କନକ ବ୍ୟୁରୋ: ବିରାଟ କୋହଲି ନିଜ ପ୍ରଶଂସକଙ୍କ ପାଇଁ କିଙ୍ଗ୍ କୋହଲି । ଗୋଟିଏ ନାଁ ନୁହେଁ ଫ୍ୟାନ୍ସଙ୍କ ପାଇଁ ସେ ଏକ ଇମୋସନ୍ । ତାଙ୍କ କାରନାମା ହିଁ ସେମିତି । ୨୦୧୧ ଦିନିକିଆ ବିଶ୍ୱକପଠାରୁ ଆରମ୍ଭ କରି ୨୦୨୫ ଚାମ୍ପିୟନ୍ସ ଟ୍ରଫି ପର୍ଯ୍ୟନ୍ତ, ସବୁବେଳେ ପ୍ରଭାବୀ ପ୍ରଦର୍ଶନ କରି ସେ ଭାରତକୁ ବିଶ୍ୱ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ବହନ କରିଛନ୍ତି । ହେଲେ ଯେତେବେଳେ ନିଜେ ଅଧିନାୟକ ଥିଲେ ଇତିହାସ ଲେଖୁଲେଖୁ ଫେଲ୍ ମାରିଥିଲେ । ଏଣୁ ଏବେ ତାଙ୍କୁ ଫ୍ୟାନ୍ସମାନେ ମୁକୁଟ ବିହୀନ ସମ୍ରାଟ ବୋଲି ସମ୍ବୋଧନ କଲେଣି ।
୨୦୦୮ରେ ଡେବ୍ୟୁ କରିବା ପରେ ୨୦୧୧ରେ ଦିନିକିଆ ବିଶ୍ୱକପ ଦଳରେ ସାମିଲ ଥିଲେ ବିରାଟ କୋହଲି । ଅଧିନାୟକ ଥିଲେ ମହେନ୍ଦ୍ର ସିଂହ ଧୋନୀ । ଶ୍ରୀଲଙ୍କା ସହ ଫାଇନାଲ ମ୍ୟାଚ୍ରେ ବିରାଟ କୋହଲି ୩୦ ରନ୍ର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ । ସଚିନ୍ ଓ ସେହୱାଗ୍ ଆଉଟ୍ ହେବାପରେ କୋହଲି ପିଚ୍ରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । ଖାଲି ସେତିକି ନୁହେଁ, ୨୦୧୩ ଚାମ୍ପିୟନ୍ସ ଟ୍ରଫି ବିଜୟରେ ବି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବିରାଟ କୋହଲି । ୫ଟି ମ୍ୟାଚ୍ରେ ସେ ୫୮.୬୬ ହାରରେ ସେ ୧୭୩ ରନ୍ କରିଥିଲେ । ସେହିଭଳି ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବିରାଟ କୋହଲି । ଫାଇନାଲ ମ୍ୟାଚ୍ରେ ସେ ୫୯ ବଲ୍ରେ ୭୬ ରନ୍ କରିଥିଲେ । ଚାମ୍ପିୟନ୍ସ ଟ୍ରଫିରେ ବି ବିରାଟ କୋହଲି, ପାକିସ୍ତାନ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଦମ୍ଦାର ପାଳି ଖେଳି ଟିମ୍ର ସଙ୍କଟମୋଚକ ସାଜିଥିଲେ ।
ବିରାଟଙ୍କ ବିଷୟରେ ଯେତେ କହିଲେ ସେତେ କମ୍ ହେବ । ମହେନ୍ଦ୍ର ସିଂହ ଧୋନୀଙ୍କ କ୍ୟାପ୍ଟେନ୍ସିରେ ବିରାଟ କୋହଲି ଆଇସିସି ଇଭେଣ୍ଟ୍ରେ ୭ ଥର ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ସେହିଭଳି ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ବି କୋହଲି ୭ ଥର ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । କିନ୍ତୁ ନିଜେ ଅଧିନାୟକ ଥିବା ବେଳେ କୋହଲି ମାତ୍ର ଥରେ ହିଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇ ପାରିଥିଲେ । ସେହିଭଳି ଧୋନୀ ଅଧିନାୟକ ଥିବା ବେଳେ କୋହଲି ଦୁଇ ଥର ପ୍ଲେୟାର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ୍ ବିବେଚିତ ହୋଇଥିଲେ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ବି କୋହଲି ଦୁଇଥର ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ୍ ଆୱାର୍ଡ ପାଇଛନ୍ତି । କିନ୍ତୁ ନିଜେ ଅଧିନାୟକ ଥିବା ବେଳେ ଥରଟେ ମଧ୍ୟ ଆଇସିସି ଇଭେଣ୍ଟ୍ରେ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇ ପାରିନଥିଲେ କିଙ୍ଗ୍ କୋହଲି ।
ନିଜେ କ୍ୟାପ୍ଟେନ୍ ଥିବା ବେଳେ କେଉଁଠି ସମସ୍ୟା ରହୁଥିଲା ? କାହିଁକି ତାଙ୍କ ପ୍ରଦର୍ଶନ ପ୍ରଭାବିତ ହେଲା ଏ ପ୍ରଶ୍ନ ଆଜି ବି ଫ୍ୟାନ୍ସଙ୍କ ମନରେ ଉଙ୍କି ମାରୁଛି । କିନ୍ତୁ ଏଭଳି ରେକର୍ଡ ଯୋଗୁଁ କେବଳ ଦେଶ ନୁହେଁ ଦେଶ ବାହାରେ ବି କିଙ୍ଗ୍ କୋହଲିଙ୍କ କୋଟିକୋଟି ଫଲୋର୍ସ ଅଛନ୍ତି । ସମସ୍ତଙ୍କ ପାଇଁ ସେ କିଙ୍ଗ୍ କୋହଲି । ମୁକୁଟ ବିହୀନ ସମ୍ରାଟ ବିରାଟଙ୍କ ରେକର୍ଡ ବିଷୟରେ ଯେତେ କହିଲେ ସେତେ କମ୍ । ଏବେ କୁହାଯାଉଛି ରୋହିତଙ୍କ ଅଧିନାୟକତ୍ୱରେ ସେ ୨୦୨୭ ଦିନିକିଆ ବିଶ୍ୱକପ୍ ବି ଖେଳିବେ । ତେବେ ତାହା ସମୟ କହିବ ।