କନକ ବ୍ୟୁରୋ: ରୋହିତଙ୍କ ପରେ ନିରାଶ କଲେ ବିରାଟ । ରଣଜୀରେ ଫେଲ ହେଲେ ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି । ୧୩ ବର୍ଷ ପରେ ରଣଜୀ ମୈଦାନକୁ ଓହ୍ଲାଇଥିବା ଏହି ଷ୍ଟାର ବ୍ୟାଟ୍ସମ୍ୟାନ ମାତ୍ର ୬ ରନ କରି ପାଭିଲିୟନ ଫେରିଯାଇଛନ୍ତି । ବିରାଟ ଆଉଟ ହେବା ପରେ ପୂରା ଷ୍ଟାଡିୟମରେ ନୀରବତା ଦେଖିବାକୁ ମିଳିଥିଲା । କାରଣ ବିରାଟଙ୍କ ରଣଜୀ ଖେଳ ଦେଖିବାକୁ ଷ୍ଟାଡିୟମକୁ ଛୁଟିଥିଲେ ହଜାର ହଜାର ଦର୍ଶକ । ଏମିତି କି ବିରାଟଙ୍କ ଟିକେ ଝଲକ ପାଇଁ ଷ୍ଟାଡିୟମ ବାହାରେ ଠେଲାପେଲା ଦେଖିବାକୁ ମିଳିଥିଲା । ହେଲେ ବିରାଟଙ୍କ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । 

Advertisment

୩୦ ଜାନୁଆରୀରେ ରେଲଓ୍ବେ ବିପକ୍ଷରେ ଦିଲ୍ଲୀ ପାଇଁ ରଣଜୀ ମୈଦାନକୁ ଓହ୍ଲାଇଥିଲେ ବିରାଟ । ପ୍ରଥମ ଦିନରେ ଦିଲ୍ଲୀ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ସେହି ଦିନ ଦର୍ଶକ ବିରାଟଙ୍କ ବ୍ୟାଟିଂ ଦେଖିପାରିନଥିଲେ ସତ କିନ୍ତୁ ପଡିଆରେ ବିରାଟଙ୍କ ଝଲକ ଦେଖିଥିଲେ । ଦ୍ବିତୀୟ ଦିନରେ ଦିଲ୍ଲୀ ୨ ଓ୍ବିକେଟ ହରାଇବା ପରେ ୩ ଓ୍ବିକେଟରେ ଆସିଥିଲେ ବିରାଟ । ହେଲେ ଏତେଟା ପ୍ରଭାବୀ ପ୍ରଦର୍ଶନ ଦେଖାଇ ପାରିନଥିଲେ । ସେ ରେଲଓ୍ବେର ଦ୍ରୁତ ବୋଲର ହିମାଂଶୁ ସାଙ୍ଗବାନଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ । 

ବିରାଟ କୋହଲି ରଣଜୀ ଖେଳିବାକୁ କହିବା ପରେ ଦିଲ୍ଲୀ କ୍ରିକେଟ ପକ୍ଷରୁ ଜବରଦସ୍ତ ବନ୍ଦୋବସ୍ତ ହୋଇଥିଲା । ଦର୍ଶକଙ୍କୁ ଫ୍ରିରେ ଷ୍ଟାଡିୟମ ପ୍ରବେଶ ପାଇଁ ଅନୁମତି ମିଳିଥିଲା । ଯେଉଁଥିପାଇଁ କିଙ୍ଗ କୋହଲିଙ୍କୁ ଦେଖିବାକୁ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ ଦଳଚକଟାରେ କିଛି ଦର୍ଶକ ଆହତ ହୋଇଥିଲେ । ଆଉ ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ବି ଆହତ ହୋଇଥିଲା । ଚଳିତ ରଣଜୀରେ କେବଳ ବିରାଟ ନୁହେଁ ରୋହିତ ଶର୍ମା, ରିଷବ ପନ୍ତ, ଯଶସ୍ବୀ ଜୟସ୍ବାଲଙ୍କ ଭଳି ଷ୍ଟାର ଖେଳାଳି ଫ୍ଲପ ହୋଇଛନ୍ତି । 

ବର୍ଡର ଗାଭାସ୍କର ଟ୍ରଫିରେ ବିଫଳ ହେବା ପରେ ସମସ୍ତ ଖେଳାଳିଙ୍କୁ ରଣଜୀ ଖେଳିବାକୁ ପରାମର୍ଶ ଦିଆଯାଇଥିଲା । ମ୍ୟାନେଜମେଣ୍ଟ ପାଇଁ ସବୁଠାରୁ ଚିନ୍ତାର କାରଣ ପାଲଟିଥିଲା ବିରାଟ- ରୋହିତଙ୍କ ଫର୍ମ । ଉଭୟ ରଣଜୀ ଖେଳିଥିଲେ ସତ, ହେଲେ ଏଠି ବି ତାଙ୍କ ବ୍ୟାଟ ଚାଲିନଥିଲା । ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆକୁ ପୂରା ଫିଟ କରିବାକୁ ଲାଗି ପଡିଛି ମ୍ୟାନେଜମେଣ୍ଟ । ହେଲେ ପୁଣି ଷ୍ଟାର ଖେଳାଳିଙ୍କ ପ୍ରଦର୍ଶନ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । 

ଏହା ପୂର୍ବରୁ ବିରାଟ କୋହଲି ଶେଷ ଥର ପାଇଁ ନଭେମ୍ବର ୨୦୧୨ରେ ବିରେନ୍ଦ୍ର ସେହଓ୍ବାଗଙ୍କ ନେତୃତ୍ବରେ ଦିଲ୍ଲୀ ଟିମ ପାଇଁ ଉତ୍ତର ପ୍ରଦେଶ ବିପକ୍ଷରେ ଖେଳିଥିଲେ । ଏଥିରେ ବିରାଟ କୋହଲି ପ୍ରଥମ ପାଳିରେ ୧୪ ରନ କରି ଆଉଟ ହୋଇତିବା ବେଳେ ଦ୍ବିତୀୟ ପାଳିରେ ୪୩ ରନ କରିଥିଲେ । ତେବେ ୧୩ ବର୍ଷ ପରେ ବିରାଟଙ୍କ ପ୍ରତ୍ୟାବର୍ତ୍ତନରେ ଦର୍ଶକ ତାଙ୍କ ବ୍ୟାଟରୁ କିଛି ମ୍ୟାଜିକର ଆଶା କରିଥିଲେ । ହେଲେ ତାହା ସମ୍ଭବ ହୋଇନଥିଲା ।