କନକ ବ୍ୟୁରୋ: ପ୍ରାୟ ୧୩ ବର୍ଷ ପରେ ରଣଜୀ ଖେଳିବେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ବ୍ୟାଟର ବିରାଟ କୋହଲି । ରେଳବାଇ ଟିମ୍‌ ବିପକ୍ଷରେ ଖେଳିବାକୁ ସେ ଦିଲ୍ଲୀ ଟିମ୍‌ରେ ସାମିଲ ହୋଇଛନ୍ତି । ଜାନୁଆରୀ ୩୦ ତାରିଖରେ ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଏଥିପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ ବିରାଟ କୋହଲି । ଏଠାରେ ଆଜି ପ୍ରାୟ ୪୫ ମିନିଟ କାଳ ପ୍ରାକ୍ଟିସ୍ କରିଛନ୍ତି ବିରାଟ କୋହଲି । ଏହାପରେ ସାଥି ଖେଳାଳିଙ୍କ ସହିତ ଫୁଟବଲ୍‌ ବି ଖେଳିଥିଲେ । 

Advertisment

ଦୀର୍ଘ ଦିନ ପରେ କୋହଲି ରଣଜୀ ପାଇଁ ଅଭ୍ୟାସ ପାଇଁ ଆସିଥିଲେ । ଏଥିପାଇଁ କୋହଲିଙ୍କ ପାଇଁ ଲଞ୍ଚ୍‌ରେ ପୁରୀ ଛୋଲେ ମଗାଇଥିଲା ଦିଲ୍ଲୀ କ୍ରିକେଟ୍‌ ବୋର୍ଡ । କିନ୍ତୁ କୋହଲି ଏହାକୁ ଖାଇବାକୁ ମନା କରିଦେଇଥିଲେ । ବିରାଟ କୋହଲି ଅନ୍ୟ ସାଥି ଖେଳାଳିଙ୍କ ସହ ମିଶି କଡି ଚାଉଳ ଖାଇବା ସହ ପୁରୁଣା ଦିନକୁ ପୁଣି ମନେ ପକାଇଥିଲେ । ସୋମବାର ଫିରୋଜଶାହ କୋଟଲା ଷ୍ଟାଡିୟମରେ ସେ ପ୍ରାୟ ୩ ଘଣ୍ଟା ସମୟ ବିତାଇଥିଲେ । ସେ ଜବରଦସ୍ତ ଅଭ୍ୟାସ କରିବା ସହ ଦିଲ୍ଲୀ ଟିମ୍‌ର କୋଚ୍ ସରଣଦୀପ ସିଂ ଓ ବ୍ୟାଟିଂ କୋଚ୍‌ ବଣ୍ଟୁ ସିଂହଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । 
ଊଊଉଇର ବରିଷ୍ଠ ଅଧିକାରୀ କହିଛନ୍ତି, ‘କୋହଲି ବିଲକୁଲ ବଦଳି ନାହାନ୍ତି । କିନ୍ତୁ ଆଗରୁ ତାଙ୍କୁ ପୁରୀ ଛୋଲେ ପସନ୍ଦ ଥିଲା, ଆମେ ତାଙ୍କ ପାଇଁ ତାହା ମଗାଇଥିଲୁ । କିନ୍ତୁ ସେ ଖାଇବାକୁ ମନା କରିଥିଲେ । ସେ କହିଥିଲେ ଏହା ତାଙ୍କର ପୁରୁଣା ପସନ୍ଦ ଥିଲା । ଏଣୁ ସାଥି ଖେଳାଳିଙ୍କ ସହ ମିଶି କଡ଼ି ଚାୱଲ ଖାଇଥିଲେ । ଏହି ସମୟର ସେ ଖେଳାଳିଙ୍କ ସହ ମଜାମସ୍ତି ବି କରିଥିଲେ । 

ଅଭ୍ୟାସ ବେଳେ କୋହଲି ପ୍ରଥମେ ଥ୍ରୋ ଡାଉନ୍‌ ଅଭ୍ୟାସ କରିଥିଲେ । ଏହାପରେ ବ୍ୟାଟିଂ ଅଭ୍ୟାସ ଆରମ୍ଭ କରିଥିଲେ । ଗ୍ରାଉଣ୍ଡ୍‌ରେ କୋହଲିଙ୍କୁ ଦେଖି ଦିଲ୍ଲୀ ଅଧିନାୟକ ଆୟୁଷ ବାଦୋନୀ ଅସହଜ ହୋଇ ପଡ଼ିଥିଲେ । ଏହାପରେ କୋହଲି ସ୍ପିନର ହର୍ଷ ତ୍ୟାଗୀ ଓ ସୁମିତ ମାଥୁରଙ୍କ ସାମ୍ନା କରିଥିଲେ । ଏହି ସମୟରେ କୋହଲିଙ୍କୁ ଚାମ୍ପିୟନ୍ସ ଟ୍ରଫି ପାଇଁ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳିଥିଲା ।