କନକ ବ୍ୟୁରୋ: ସାବଧାନ ! ରାସ୍ତାରେ ବୁଲୁଛନ୍ତି ମୃତ୍ୟୁର ଦେବତା ଯମରାଜ । ଖାଲି ବୁଲୁଛନ୍ତି ତାହା ନୁହେଁ ବରଂ ଯେଉଁମାନେ ସଡ଼କ ନିୟମ ମାନୁନାହାନ୍ତି ସେମାନଙ୍କୁ ହେଲମେଟ୍ ଦେଇ ସଚେତନତା କରି କହୁଛନ୍ତି ଏଥର ଛାଡ଼ିଦେଲି । ଆଗକୁ ଯଦି ନିୟମ ନମାନି ରାସ୍ତାରେ ଏମିତି ବୁଲିବ ତାହାଲେ ମୋ ସାଙ୍ଗରେ ନେଇଯିବି । ଅର୍ଥାତ୍ ମୃତ୍ୟୁ ହୋଇପାରେ ବୋଲି ପରୋକ୍ଷରେ କହୁଛନ୍ତି । କିଛି ଏମିତି ଦୃଶ୍ୟ ଝାଡଖଣ୍ଡର ଜାମସେଦପୁର ଅଂଚଳରୁ ସାମ୍ନାକୁ ଆସିଛି । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ହାତରେ ଗଦା ଧରିଛନ୍ତି, ଅବିକଳ ଯମରାଜାଙ୍କର ବେଶ ହୋଇଛନ୍ତି । ହଠାତ୍ ରାସ୍ତାରେ ତାଙ୍କୁ ଦେଖିଲେ ଡର ବି ଲାଗିବ । କିନ୍ତୁ ସେ ଲୋକଙ୍କୁ ସଚେତନତା ପାଇଁ ଏମିତି ଅବତାର ନେଇଥିବା କହିଛନ୍ତି । ଯେଉଁ ବାଇକ୍ ଆରୋହୀମାନେ ରାସ୍ତାରେ ଆଇନ ଭାଙ୍ଗୁଛନ୍ତି ସେମାନଙ୍କୁ ପ୍ରଥମ ଦଫାରେ ବୁଝାଉଛନ୍ତି କିନ୍ତୁ ଦ୍ବିତୀୟ ଥର ଏମିତି କଲେ ଆକ୍ସନ ସହ ମୃତ୍ୟୁ ହେବା ନେଇ କହୁଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏମିତି ଅଭିଯାନର ଆୟୋଜନ ପଛରେ ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ ଓ ପରିବହନ ବିଭାଗ ହିଁ ରହିଛି ।
ବଢିବ ବ୍ଲକିଂ ଓ ଚେକିଂ
ବିଭିନ୍ନ ସମୟରେ ଦେଖାଯାଉଛି କି, ରାସ୍ତାରେ ଅମାନିଆ ଗାଡ଼ି ଚାଳକଙ୍କ ଲାଗି ଦୁର୍ଘଟଣା ବଢିବାରେ ଲାଗିଛି । କେବଳ ଦୁର୍ଘଟଣା ହେଉଛି ତାହା ନୁହେଁ ବରଂ ଅକାରଣେ ଜୀବନ ବି ଯାଉଛି । ତେଣୁ ସଚେତନତା ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନର କଡ଼ା ନିର୍ଦ୍ଦେଶ ରହିଛି । ଏମିତି ସ୍ଥିତିରେ ପ୍ରଥମେ ସଚେତନତା କରିବା ଲାଗି ପ୍ରଶାସନ ନିଷ୍ପତ୍ତି ନେଇଛି । ସୂଚନା ଅନୁସାରେ, ପ୍ରଥମ ଦଫାରେ ଯେଉଁମାନେ ନିୟମ ଭାଙ୍ଗିଛନ୍ତି ସେମାନଙ୍କୁ ଗୋଲାପ ଫୁଲ ଦିଆଯାଉଛି ଏବଂ ନିୟମ ମାନିବାକୁ ଅନୁରୋଧ ବି କରାଯାଉଛି । ଆଉ କିଛି ଲୋକଙ୍କ ବେକରେ ଫୁଲମାଳ ଦିଆଯାଇ ସମ୍ୱର୍ଦ୍ଧନା କରାଯାଉଛି । ଏମିତି କଲେ ସେମାନେ ସଚେତନତା ହେବା ସହିତ ଆଗମୀ ଦିନରେ ନିୟମ ଭାଙ୍ଗିବେ ନାହିଁ ବୋଲି ପ୍ରତିଶୃତି ବି ଦେଉଛନ୍ତି । ସେପଟେ ପୋଲିସ କହିଛି, କେବଳ ଗାଡ଼ି ଚାଳକ ହେଲମେଟ୍ ପିନ୍ଧିବା ଜରୁରୀ ନୁହେଁ ବରଂ ସାଙ୍ଗରେ ବସିଥିବା ବ୍ୟକ୍ତି ବି ହେଲମେଟ୍ ପିନ୍ଧିବା ଜରୁରୀ । ଏମିତି କଲେ ଦୁର୍ଘଟଣା ହେଲେ ବି ଜୀବନ ବଂଚିଯିବ ବୋଲି କୁହାଯାଉଛି ।
ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । ଏହି ସମୟରେ ସଂକଳ୍ପ ନେଇ ଦୁର୍ଘଟଣା କମାଇବାକୁ ଚେଷ୍ଟା କରାଯିବ । ଏବଂ ଆଶା ରହିଛି କି ଦୁର୍ଘଟଣା କମିବ । ଏଠାରେ କହିରଖୁଛୁ କି, ପୂର୍ବରୁ ୟୁପି ସରକାର ସଡ଼କ ଦୁର୍ଘଟଣା କମାଇବା ଲାଗି ପ୍ରଶାସନକୁ ଆକ୍ସନ ମୋଡ୍ରେ ରହିବାକୁ ନିର୍ଦ୍ଦେଶ ଦେଇଛି । ଖାଲି ଏତିକି ନୁହେଁ ବରଂ ଯେଉଁମାନେ ନିୟମ ମାନିବେ ନାହିଁ ସେମାନେ ଦଣ୍ଡ ପାଇବେ । ଏଥିପାଇଁ ଆବଶ୍ୟକ ଅନୁସାରେ, ପୋଲିସ ଓ ପରବହନ ବିଭାଗର କର୍ମଚାରୀଙ୍କ ସଂଖ୍ୟା ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଝାଡଖଣ୍ଡରେ ନିଆଯାଇଥିବା ଯମରାଜ ପଦକ୍ଷେପ କିନ୍ତୁ ଏବେ ଚର୍ଚ୍ଚାରେ ।