କନକ ବ୍ୟୁରୋ: ବାଘ ନାଁ ଶୁଣିବା ମାତ୍ରେ ଆମେ ଡରନ୍ତି । କାରଣ ସେ ଏତେ ମାତ୍ରାରେ ହିଂସ୍ର ଯେ ମଣିଷକୁ ମାତ୍ର କେଇ ମୁହୂର୍ତ୍ତରେ ଆକ୍ରମଣ କରି ଶିକାର କରିଦେବ । ସେଇଥି ଲାଗି ତ ଯେତେବେଳେ ବାଘ ମାତିଛି କି ବଣରୁ ଖସି ଯାଉଥିବା ଖବର ଆସିଲେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ଖେଳିଯାଏ । ଘରୁ ବାହାରିବାକୁ ବି ଡ଼ର ଲାଗେ । ହେଲେ ଥରେ ଚିନ୍ତା କରନ୍ତୁ ତ, ଯେବେ କଲରାପତରିଆ ବାଘକୁ ଜଣେ ଚାଷୀ ଲାଙ୍ଗୁଡ଼ ଧରି ନିଜ ଆୟତ୍ତକୁ ଆଣିବେ…କେମିତି ଥିବ ସେ ଦୃଶ୍ୟ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ । କର୍ଣ୍ଣାଟକର ତୁମାକୁରୁ ଜିଲ୍ଲାରୁ ଏମିତି ଘଟଣା ସାମ୍ନାକୁ ଆସିବା ପରେ ଚାଷୀଙ୍କୁ ଛୁଟିଛି ପ୍ରଶଂସାର ସୁଅ । 

Advertisment

ତୁମାକୁରୁ ଜିଲ୍ଲାରେ ଅନେକ ଦିନ ହେଲାଣି କଲରାପତରିଆ ବାଘ ଉତ୍ପାତ ମଚାଇଥିଲା । ବାଘକୁ ଧରିବାକୁ ସ୍ଥାନୀୟ ବନବିଭାଗ କସରତ କରିଥିଲା । ଯନ୍ତା ବି ବିଛାଇଥିଲା । କିନ୍ତୁ ବାଘ ଧରିବାରେ ବନ ବିଭାଗ ସଫଳ ହୋଇନଥିଲା । କେମିତି ବାଘ ଧରାଯିବ ସେନେଇ ନୂଆନୂଆ ରଣକୌଶଳ ଆପଣାଉଥିଲା ବନବିଭାଗ । ଏହାପରେ ବି ବାଘ ଧରାଦେଉନଥିଲା। ଏହି ସମୟରେ ଜଣେ ମହିଳା ଓ ତାଙ୍କ ପିଲା ରାସ୍ତାରେ ଯାଉଥିବା ବେଳେ ବାଘ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ବାଘର ଲାଙ୍ଗୁଡ଼କୁ ମାଡ଼ି ବସିଥିଲେ ସ୍ଥାନୀୟ ଅଂଚଳର ୪୩ ବର୍ଷୀୟ ଚାଷୀ ଯୋଗାନନ୍ଦ । ଖାଲି ବାଘ ଧରିଥିଲେ ତାହା ନୁହେଁ ବରଂ ମାଆ ଓ ପିଲାର ବି ଜୀବନ ବଂଚାଇ ଦେଇଥିଲେ । ଯେଉଁ ସ୍ଥିତିରେ ବାଘର ସାମ୍ନା କେହି କରିପାରୁନଥିଲେ ସେହି ସମୟରେ ଚାଷୀ ଜଣକ ଦେଖାଇଥିବା ସାହସକୁ ନେଇ ସବୁଠି ପ୍ରଶଂସା । 

ବାଘକୁ ଆୟତ୍ତ କରିବା ପରେ ଏନେଇ ବନବିଭାଗକୁ ଖବର ଦିଆଯାଇଥିଲା । ସଙ୍ଗେ ସଙ୍ଗେ ବନବିଭାଗ ପହଞ୍ଚିବା ପରେ ବାଘକୁ ସାଙ୍ଗରେ ନେଇଥିଲା । ବର୍ତ୍ତମାନ ସମୟରେ ବାଘକୁ ମହୀଶୁରର ଏକ ସୁରକ୍ଷିତ ଏନକ୍ଲୋଜରେ ରଖାଯାଇଥିବା ସୂଚନା ମିଳିଛି । ସେପଟେ ଗାଁ ଲୋକଙ୍କ କହିବା ଅନୁସାରେ, ଗାଁରେ କିଛିଦିନ ହେବ ହଠାତ୍‌ ଗାଈଙ୍କୁ କେହି ଶିକାର କରୁଥିବା ଜଣାପଡ଼ିଥିଲା । ହେଲେ କିଏ ମାରୁଛି ସେନେଇ କାହା ପାଖରେ କିଛି ଖବର ନଥିଲା । ପାଳି କରି କ୍ଷେତରେ ଗାଁ ଲୋକେ ଲୁଚିରହୁଥିବା ବେଳେ ଗାଈଙ୍କୁ ଶିକାର କରିଥିଲା କଲରାପତରିଆ ବାଘ । ଏନେଇ ଗାଁରେ ଆତଙ୍କ ଖେଳିବା ପରେ ବନବିଭାଗ ତୁରନ୍ତ ବାଘକୁ କାବୁ କରୁ ବୋଲି ଗାଁ ଲୋକେ ଦାବି କରିଥିଲେ । ଗାଁ ଲୋକଙ୍କ ଦାବି ପରେ ଅପରେସନ୍‌ ତେନ୍ଦୁଆ ଆରମ୍ଭ କରିଥିବା ବନବିଭାଗ । କ୍ଷେତରେ ବାଘ ପହଞ୍ଚିବା ପରେ ଧରିବାକୁ ପ୍ରୟାସ କରିଥିଲା ବନବିଭାଗ । ହେଲେ ଖସି ଯାଇ ଦୌଡି ପଳାଉଥିବା ବେଳେ ମହିଳା ତାଙ୍କ ପିଲାଙ୍କୁ ଆକ୍ରମଣ କରୁଥିବା ବାଘ । ଏତିକି ବେଳେ ନିଜ ଜୀବନକୁ ବାଜି ଲଗାଇ ବାଘକୁ କାବୁ କରିଥିଲେ ଚାଷୀ । 

ସେପଟେ ବାଘ ଧରିବା ପରେ ଚାଷୀ ଜଣକ କହିଛନ୍ତି, ବାଘକୁ ନେଇ ପୁରା ଗାଁରେ ଭୟର ବାତାବରଣ ଥିଲା । କେମିତି ବାଘ ଧରାଯିବ ସେନେଇ ପ୍ଲାନ ତ ହେଉଥିଲା କିନ୍ତୁ ସଫଳତା ମିଳୁନଥିଲା । ମୋ ଆଖି ସାମ୍ନାରେ ବାଘ ଆକ୍ରମଣ ପାଇଁ ଉଦ୍ୟମ କରୁଥିବା ବେଳେ ମୁଁ ତା' ଲାଙ୍ଗୁଡ଼କୁ ମାଡ଼ି ବସିଲି ଏବଂ ଧରିପକାଇଲି । ମତେ ଡ଼ର ଲାଗୁଥିଲା ହେଲେ ଅନ୍ୟର ଜୀବନ ବଂଚାଇବାକୁ ମୁଁ ଚେଷ୍ଟା କରି ସଫଳ ହେଲି । 

ଆମେ ଅନେକ ଥର ଦେଖିଛନ୍ତି କି ଜଙ୍ଗଲ ପାଖ ଗାଁରେ ବାଘ ପଶେ, ଆକ୍ରମଣ କରେ । ହେଲେ ବାଘକୁ କେହି କେବେ ଧରିପାରନ୍ତି ନାହିଁ । ଟ୍ରାଙ୍କୁଲାଇଜ୍‌ କରିବା ପରେ ହିଁ ବାଘ ଧରାପଡ଼େ । କିନ୍ତୁ କର୍ଣ୍ଣାଟକର ଜଣେ ସାହସୀ ଚାଷୀ ଯେଉଁପରି ଭାବରେ ବାଘ ଧରିଛନ୍ତି ତାହା ନିଶ୍ଚିତ ପ୍ରଶଂସା ଯୋଗ୍ୟ ।