କନକ ବ୍ୟୁରୋ : ପ୍ରତିଦିନ ଇଣ୍ଟରନେଟରେ କିଛି ନା କିଛି ଭିଡିଓ ଭାଇରାଲ୍ ହୋଇଥାଏ । କିଛି ମଜାଦାର ଆଉ କିଛି ଛାତି ଥରାଇଦେଲା ଭଳି ଭିଡ଼ିଓ । ଏମିତି ହିଁ ଗୋଟିଏ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓରେ ଦେଖାଯାଉଛି ଯେ ଏକ ଦମ୍ପତି ରେଷ୍ଟୁରାଣ୍ଟରେ ବସି ସୁଆଦିଆ ଖାଦ୍ୟର ମଜା ନେଉଥିଲେ ଏବଂ ଏହି ମୁହୂର୍ତ୍ତକୁ କ୍ୟାମେରାରେ ରେକର୍ଡ କରୁଥିଲେ । ଠିକ୍ ସେହି ସମୟରେ ଏକ ଦ୍ରୁତ ଗତିରେ ଆସୁଥିବା କାର୍ କାନ୍ଥ ଭାଙ୍ଗି ରେଷ୍ଟୁରାଣ୍ଟ ଭିତରେ ପଶିଗଲା । ଏହି ଭୟଙ୍କର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଗଲା । ଯାହାର ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି ।
Food influencers were hit by a car while reviewing a burger inside a restaurant pic.twitter.com/OD8pPGzxrp
— FearBuck (@FearedBuck) August 18, 2025
ଏହି ହୃଦୟ ବିଦାରକ ଘଟଣାଟି ଆମେରିକାର ଟେକ୍ସାସରେ ଘଟିଛି, ଯେତେବେଳେ ପ୍ରସିଦ୍ଧ ୟୁଟ୍ୟୁବର୍ ନିନା ସାଣ୍ଟିଆଗୋ ନିଜ ପାର୍ଟନର୍ ପାଟ୍ରିକ୍ ବ୍ଲାକଉଡଙ୍କ ସହିତ ଏକ ରେଷ୍ଟୁରାଣ୍ଟରେ ଫୁଡ୍ ବ୍ଲଗିଂ କରୁଥିଲେ । ଦମ୍ପତି ଝରକା ପାଖରେ ବସି ଭିଡିଓ ବନାଉଥିଲେ ଆଉ ଠିକ୍ ସେହି ସମୟରେ ଏକ SUV କାର୍ କାନ୍ଥ ଭାଙ୍ଗି ରେଷ୍ଟୁରାଣ୍ଟ ଭିତରକୁ ପଶି ଆସିଲା । ଏହି ଧକ୍କା ଏତେ ଜୋରରେ ଥିଲା ଯେ ଦମ୍ପତି ଟେବୁଲରୁ ଛିଟିକି ଦୂରରେ ପଡ଼ିଗଲେ । ଭିଡିଓରେ ସ୍ଲୋ ମୋସନରେ ଦେଖାଯାଇଛି ଯେ କିପରି କାର୍ ଧକ୍କା ଦେବାରୁ କାଚ ଖଣ୍ଡଗୁଡ଼ିକ ପବନରେ ଉଡ଼ୁଥିଲା ଏବଂ ହଠାତ୍ ଘଟିଥିବା ଏହି ଦୁର୍ଘଟଣାରେ ଦମ୍ପତି ସ୍ତବ୍ଧ ହୋଇଯାଇଥିଲେ । ଏହା ପରେ ପାଟ୍ରିକ୍ ତୁରନ୍ତ ନିନାଙ୍କୁ ଉଠାଇ ତାଙ୍କୁ ଦୂରକୁ ନେଇଯାଇଥିଲେ । ଏହି ଭୟଙ୍କର ଘଟଣାରେ ଦମ୍ପତି ଆହତ ହୋଇଥିଲେ ଏବଂ ସେମାନଙ୍କ ଦେହ ରକ୍ତରେ ଭିଜି ଯାଇଥିଲା ।
/filters:format(webp)/kanak/media/media_files/2025/08/20/message-2025-08-20-16-58-19.jpg)
ଦମ୍ପତି ଏହି ଭିଡିଓକୁ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ Unrated EX Files ରେ ସେୟାର କରି ଲେଖିଛନ୍ତି, ଆମେ ମୃତ୍ୟୁ ମୁହଁରୁ ବଞ୍ଚି ଯାଇଛୁ । ଏହି ଦୁର୍ଘଟଣା ଅନୁଭବ କରାଇଲା ଯେ ଜୀବନ କେତେ ମୂଲ୍ୟବାନ । କାଲିର କୌଣସି ଭରସା ନାହିଁ । ତେଣୁ ଖୁସିରେ ରୁହନ୍ତୁ, କ୍ଷମା କରିବା ଶିଖନ୍ତୁ ଏବଂ ନିଜ ସ୍ୱପ୍ନକୁ ବଞ୍ଚିବାର ସୁଯୋଗ ହାତଛଡ଼ା କରନ୍ତୁ ନାହିଁ । ଦମ୍ପତିଙ୍କ କହିବାନୁସାରେ ଜୀବନ ସେମାନଙ୍କୁ ଆଉ ଏକ ସୁଯୋଗ ଦେଇଛି । ଏହି ଭିଡିଓ ଦେଖିବା ପରେ ୟୁଜର୍ସ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର କମେଣ୍ଟ କରିଛନ୍ତି ପାଟ୍ରିକ୍ ଯେଉଁଭଳି ଭାବରେ ନିନାଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲେ, ତାହା ପ୍ରଶଂସାଯୋଗ୍ୟ । ଅନ୍ୟ ଜଣେ କହିଛନ୍ତି ଆପଣ ସୁରକ୍ଷିତ ଅଛନ୍ତି, ଏହାଠାରୁ ବଡ଼ କଥା ଆଉ କିଛି ନାହିଁ ।