କନକ ବ୍ୟୁରୋ : ନେପାଳରେ ସୋସିଆଲ ମିଡିଆ ଆପ୍ସ ଉପରେ ବ୍ୟାନ୍ ଲଗାଇବା ବିରୋଧରେ ହଜାର ହଜାର Gen-Z ଯୁବକ,ଯୁବତୀ କାଠମାଣ୍ଡୁ ସମେତ ଅନେକ ସହରରେ ପ୍ରଦର୍ଶନ କରିଥିଲେ । ଏହି ସମୟରେ ଶହ ଶହ ଯୁବକ ନେପାଳର ସଂସଦରେ ପଶିଯାଇଥିଲେ । ଏମାନଙ୍କୁ ଅଟକାଇବା ପାଇଁ ପୁଲିସ ଲୁହବୁହା ଗ୍ୟାସର ପ୍ରୟୋଗ କରିଥିଲା । ତେବେ ବର୍ତ୍ତମାନ ନେପାଳ ପୁଲିସ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଆବାସ ପାଖରେ କର୍ଫ୍ୟୁ ଲଗାଇ ଦେଇଛି । ଯେମିତି ପ୍ରଦର୍ଶନକାରୀ ଭିଭିଆଇପିଙ୍କ ଆବାସକୁ ପ୍ରବେଶ ନ କରିପାରିବେ ।
/filters:format(webp)/kanak/media/media_files/2025/09/08/nepal-2025-09-08-14-38-43.jpg)
ପ୍ରଦର୍ଶନକାରୀ ବେରୋଜଗାରୀ, ଦୁର୍ନୀତି ଏବଂ ଆର୍ଥିକ ମାନ୍ଦାବସ୍ଥା ପାଇଁ ସରକାରଙ୍କୁ ଦାୟୀ କରୁଛନ୍ତି । ବିରାଟନଗର, ଭରତପୁର ଏବଂ ପୋଖରାରେ ମଧ୍ୟ ପ୍ରଦର୍ଶନ ହୋଇଥିଲା । ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ସରକାର ୪ ସେପ୍ଟେମ୍ବରରେ ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ, ହ୍ୱାଟ୍ସଆପ୍, ରେଡିଟ ଏବଂ X ଭଳି ୨୬ ଟି ସୋସିଆଲ ମିଡିଆ ଆପ୍ସ ଉପରେ ବ୍ୟାନ ଲଗାଇ ଦେଇଥିଲେ । ଯୁବକଙ୍କ କହିବା କଥା ହେଉଛି ଯେ ବ୍ୟାନ ଲଗାଇବା ଦ୍ୱାରା ପାଠପଢ଼ା ଏବଂ ବ୍ୟବସାୟ ପ୍ରଭାବିତ ହେବ । ଯେଉଁ ଲୋକମାନେ ଫେସବୁକ କିମ୍ବା ଇନଷ୍ଟାଗ୍ରାମ ଜରିଆରେ ଜିନିଷ ବିକ୍ରି କରୁଥିଲେ, ସେମାନଙ୍କ ବ୍ୟବସାୟ ବନ୍ଦ ହୋଇଗଲା । YouTube ଏବଂ GitHub ଭଳି ପ୍ଲାଟଫର୍ମ ନଚାଲିବା କାରଣରୁ ପିଲାମାନଙ୍କ ପାଠପଢ଼ା କଷ୍ଟକର ହୋଇଗଲା । ବିଦେଶରେ ରହୁଥିବା ଲୋକମାନଙ୍କ ସହିତ କଥାବାର୍ତ୍ତା କରିବା ମହଙ୍ଗା ଏବଂ କଷ୍ଟକର ହୋଇଗଲା । ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଏତେ ବଢ଼ିଗଲା ଯେ ବହୁତ ଲୋକ VPN ଦ୍ୱାରା ବ୍ୟାନ ଭାଙ୍ଗିବାକୁ ଚେଷ୍ଟା କଲେ । ତେବେ ସରକାର ଟିକଟକ୍ ଉପରେ ବ୍ୟାନ୍ ଲଗାଇ ନାହାନ୍ତି, ତେଣୁ ଲୋକମାନେ ଏହି ପ୍ଲାଟଫର୍ମରେ ଭିଡିଓ ପକାଇ ଆନ୍ଦୋଳନ ଆରମ୍ଭ କରିଛନ୍ତି । ନେତାମାନଙ୍କ ସନ୍ତାନଙ୍କ ଆରାମଦାୟକ ଜୀବନ ଏବଂ ସାଧାରଣ ଲୋକମାନଙ୍କ ବେରୋଜଗାରୀର ତୁଳନା କରାଯାଉଛି । ବହୁତ ଭିଡିଓ ଏବଂ #RestoreOurInternet ଭଳି ହାସଟ୍ୟାଗ୍ ଭାଇରାଲ ହେଉଛି ।