କନକ ବ୍ୟୁରୋ: ରକ୍ତରେ ଭିଜିଲା ଯାଯାବରଙ୍କ ଆଶ୍ରୟସ୍ଥଳୀ। ଗୋଷ୍ଠୀ ସଂଘର୍ଷରେ ୩ ଜଣ ମହିଳାଙ୍କ ସମେତ ୫ ଜଣଙ୍କ ମୁଣ୍ଡ ଗଡିଛି। ୨ ଯାଯାବର ଗୋଷ୍ଠୀଙ୍କ ମଧ୍ୟରେ ଥିବା ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଥିବା ବେଳେ ପୋଲିସ ହତ୍ୟାକାରୀଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି । ତେବେ ନିସ୍ତବ୍ଧ ରାତିର ଏ ନରହନ୍ତା କାହାଣୀ ପୂରା ସୁନ୍ଦରଗଡକୁ ଥରାଇ ଦେଇଛି।
- ସୁନ୍ଦରଗଡରେ ଚାଞ୍ଚଲ୍ୟ
- ଯାଯାବରଙ୍କ ଆଶ୍ରୟସ୍ଥଳୀରେ ବୀଭତ୍ସ ହତ୍ୟା
- ଗଡିଲା ୫ ମୁଣ୍ଡ, ବହିଲା ରକ୍ତର ସୁଅ
ସୁନ୍ଦରଗଡର କରମଡିହି ଗୀତପଡା ପଡିଆ । ଏଣେତେଣେ ପଡିଥିଲା ଲୁଗାପଟା, ତମ୍ବୁ ବାହାରେ ଆର୍ତ୍ତ ଚିତ୍କାର। ରକ୍ତ ଜୁଡୁବୁଡୁ ହୋଇ ପଡି ରହିଥିଲା ୫ ମରଶରୀର। ରାତିରେ ତମ୍ବୁରେ ଶୋଇଥିବା ବେଳେ ଅତି ବୀଭତ୍ସ ଭାବେ ୫ ଜଣଙ୍କୁ ହତ୍ୟା କରାଯାଇଥିଲା । ତେବେ ଭୁଜାଲି ଚୋଟ ଖାଇ ଯିଏ ବି ବଞ୍ଚିଛି, ସିଏ ଏବେ ହସ୍ପିଟାଲ ବେଡରେ ଜୀବନ ସହ ସଂଘର୍ଷ କରୁଛି। ଆଉ ଏହି ଜଘନ୍ୟ ହତ୍ୟାକାଣ୍ଡ ପଛର କାରଣ ସାଜିଛି ଯାଯାବର ଗୋଷ୍ଠୀ ମଧ୍ୟରେ ଥିବା ପୂର୍ବ ଶତ୍ରୁତା। କାଳରାତ୍ରିର ଏ ନିର୍ମମ ହତ୍ୟାକାଣ୍ଡ ପୂରା କରମଡିହିକୁ ଥରାଇଦେଇଛି।
ମଙ୍ଗଳବାର, ରାତି ପ୍ରାୟ ୧୧ଟା ସମୟ। ମହାରାଷ୍ଟ୍ରର ୱର୍ଦ୍ଧାରୁ ଆସିଥିବା ଯାଯାବର ପରିବାର ତମ୍ବୁ ତଳେ ଆଶ୍ରୟ ନେଇଥିଲେ। କିନ୍ତୁ ଅନ୍ଧକାର ଭିତରେ କେହି କିଛି ବୁଝିବା ପୂର୍ବରୁ ତାମିଲନାଡୁର ଯାଯାବର ଗୋଷ୍ଠୀ କରିଥିଲା ଅତର୍କିତ ଆକ୍ରମଣ। ମହିଳା, ଶିଶୁ, ପୁରୁଷ ଯିଏ ସାମ୍ନାକୁ ଆସିଲା ସିଏ ଖାଇଲା ଭୁଜାଲି ଚୋଟ।
୫ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି। ହତ୍ୟାକାଣ୍ଡ ଭିଆଇବା ପରେ ଜଣେ ମହିଳା ଓ ୪ ଶିଶୁଙ୍କୁ ଧରି ଫେରାର ହୋଇଯାଇଛନ୍ତି ଆକ୍ରମଣକାରୀ।ଆହତ ହୋଇଥିବା ଅବିନାଶଙ୍କ ଦ୍ବିତୀୟ ପତ୍ନୀଙ୍କୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ମାରପିଟ୍ ହୋଇଥିଲା। ଆଉ ସୁଯୋଗ ପାଇବା କ୍ଷଣି ମହାରାଷ୍ଟ୍ର ଯାଯାବର ଗୋଷ୍ଠୀର ୫ ଜଣଙ୍କୁ ଯୋଜନବଦ୍ଧ ଭାବେ ହତ୍ୟା କରି ଫେରାର ହୋଇଯାଇଛନ୍ତି ତାମିଲନାଡୁର ଯାଯାବର ଗୋଷ୍ଠୀ। ଡଗ୍ ସ୍କ୍ବାର୍ଡ, ସାଇଣ୍ଟିଫିକ୍ ଟିମ ସହ ପଶ୍ଚିମାଞ୍ଚଳ ଡିଆଇଜି ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ ମଧ୍ୟ ଆକ୍ରମଣକାରୀଙ୍କ ପତ୍ତା ପାଉନି।
ସୂଚନାଯୋଗ୍ୟ ଯେ, ଯାଯାବର ଗୋଷ୍ଠୀଙ୍କର କୌଣସି ନିର୍ଦ୍ଦିଷ୍ଟ ଠିକଣା ନାହିଁ। ତେଣୁ ଯାଯାବର ଗୋଷ୍ଠୀର ହତ୍ୟାକାରୀ କୁଆଡେ ଗଲେ ତାହା ସବୁଠୁ ବଡ ପ୍ରଶ୍ନ। ତେଣୁ ଏମାନଙ୍କୁ ଧରିବା ଏବେ ପୋଲିସ ପାଇଁ ସବଠୁ ବଡ ଚ୍ୟାଲେଞ୍ଜ।
Follow Us