କନକ ବ୍ୟୁରୋ: ଲଦାଖରେ ନେପାଳ ସ୍ଥିତି । ରାଜ୍ୟ ମାନ୍ୟତା ଦାବିରେ ହିଂସାକାଣ୍ଡ । ରାସ୍ତାକୁ ଓହ୍ଲାଇଲେ ହଜାର ସଂଖ୍ୟକ ପ୍ରଦର୍ଶକ । ପୁଲିସକୁ ଆକ୍ରମଣ କଲେ, ପଥର ମାଡ଼ କଲେ । ଭୟଙ୍କର ପୋଡ଼ାଜଳା ହୋଇଛି । ପୁଲିସ ଉପରେ ବି ଆକ୍ରମଣ ହୋଇଛି । ବିଜେପି ଅଫିସ ସମ୍ମୁଖରେ ପୋଡ଼ାଜଳା କଲେ । ପ୍ରଦର୍ଶନରେ ସାମିଲ ହୋଇଥିବା ୯୦% ହେଉଛନ୍ତି ଯୁବପିଢ଼ି । ଲେହ-ଲଦାଖକୁ ସ୍ବତନ୍ତ୍ର ରାଜ୍ୟମାନ୍ୟତା ଦେବାକୁ ଏହି ପ୍ରଦର୍ଶନ କରାଯାଇଛି । ଏହି ହିଂସାକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୨ ଜଣ ଆହତ ହୋଇଛନ୍ତି । 

Advertisment

ପୁଲିସ୍ ଲୁହବୁହା ଗ୍ୟାସ୍ ପ୍ରୟୋଗ ସହ ଲାଠିଚାର୍ଜ କରିଥିବା ବେଳେ କେତେକ ସ୍ଥାନରେ ଗୁଳିଚଳାଇ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ଲେହ ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି । ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି । ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ସେପଟେ ଆଜି କାରଗିଲ ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାର ଲଦାଖର ଲୋକଙ୍କ ଦାବି ଉପରେ ଆଲୋଚନା ପୁନଃ ଆରମ୍ଭ କରିବା ପାଇଁ ଅକ୍ଟୋବର ୬ ତାରିଖରେ ଲଦାଖ ପ୍ରତିନିଧିମାନଙ୍କ ସହିତ ଏକ ବୈଠକ ଡାକିଛନ୍ତି ।  ସେପଟେ ୧୫ଦିନ ପରେ  ଆମରଣ ଅନଶନରୁ ଓହରିଛନ୍ତି ଆଜି ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ୍ ।  ଅନ୍ୟପଟେ ଲଦାଖ ହିଂସା ପଛରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।