କନକବ୍ୟୁରୋ: ମଣିପୁରରେ ହିଂସା ଭୟଙ୍କର ହେବାରେ ଲାଗିଛି । ସାମାନ୍ୟ ନିରବତା ପରେ ପୁଣି ଥରେ ହିଂସା ଉଗ୍ର ହୋଇଛି । କୁକି ଉଗ୍ରବାଦୀ ମାନେ ସକ୍ରିୟ ହୋଇଛନ୍ତି । ଡ୍ରୋନ୍ ମାଧ୍ୟମରେ ଆଟାକ୍ କରୁଛନ୍ତି । ବିଷ୍ଣୁପୁର ଜିଲ୍ଲା ମୋଇରଙ୍ଗ ସହରରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମୈରେମ୍ବମ କୋଇରେଙ୍ଗ ସିଂହଙ୍କ ଘର ଉପରେ ରକେଟ୍ ଆକ୍ରମଣ ହୋଇଛି । ଏହି ଘଟଣାରେ  ୩ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ  ଭିତରେ ଜଣେ ୧୩ ବର୍ଷୀୟ ବାଳିକା ରହିଛି । ରକେଟ୍ ମାଡ଼ରେ କମ୍ୟୁନିଟି ହଲ୍‌ ଓ ଅନ୍ୟ ଏକ ଘର  କ୍ଷତିଗ୍ରସ୍ତ ହୋଇଛି ।

Advertisment

ଦିନକରେ ଏହା ଦ୍ୱିତୀୟ ରକେଟ୍ ଆକ୍ରମଣ । ଏହା ପୂର୍ବରୁ ଶୁକ୍ରବାର ସକାଳୁ ମୋଇରଙ୍ଗଠାରୁ ୪ କି.ମି. ଦୂର ଟ୍ରୋଙ୍ଗଲ ଓବି ଅଞ୍ଚଳରେ ରକେଟ୍ ଆକ୍ରମଣ ଘଟିଥିଲା । ଏଥିରେ ଦୁଇଟି ଘର କ୍ଷତିଗ୍ରସ୍ତ ହୋଇଛି ।  ପୋଲିସର ସୂଚନା ଅନୁସାରେ, ମୋଇରଙ୍ଗରେ କେବେ ବି ବନ୍ଧୁକ କିମ୍ବା ବୋମା ଆକ୍ରମଣ ହୋଇନଥିଲା । ଏହି ଘଟଣାକୁ  ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହା ପୂର୍ବରୁ ଗତ ୩ ତାରିଖରେ ଇମ୍ଫାଲ ୱେଷ୍ଟ ଜିଲ୍ଲାର ସେଜମ  ଚିରାଙ୍ଗ ଗ୍ରାମରେ ଉଗ୍ରବାଦୀମାନେ ଡ୍ରୋନ୍ ଆକ୍ରମଣ କରିଥିଲେ । ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣ ଆହତ ହୋଇଥିଲେ । ସେପ୍ଟେମ୍ବର ୧ରେ ଏହି ଜିଲ୍ଲାର କୋନ୍ନୁକ ଗାଁରେ ମଧ୍ୟ ଏକ ଡ୍ରୋନ  ଆକ୍ରମଣ କରାଯାଇଥିଲା ।

ଏଥିରେ ୨ ଜଣଙ୍କ ମୃତ୍ୟୁ  ହେବା ସହ ଅନ୍ୟ ୯ ଜଣ ଆହତ ହୋଇଥିଲେ ।  ଡ୍ରୋନ୍ ଆକ୍ରମଣ ପରେ ଗାଁରେ ରହୁଥିବା ୧୭ଟି ପରିବାର ଗାଁ ଛାଡି ପଳାଇଛନ୍ତି । କୁହାଯାଉଛି କି ଏହି ଆକ୍ରମଣ ପଛରେ କୁକି ଉଗ୍ରବାଦୀଙ୍କ ହାତ ରହିଛି । ଡ୍ରୋନ ଆକ୍ରମଣ କରିବା ଲାଗି ସେମାନଙ୍କୁ ମିଆଁମାରୁ ଟେକ୍ନିକାଲ ସପୋର୍ଟ ମିଳିବା ସହ ତାଲିମ୍‌  ମଧ୍ୟ ଦିଆଯାଉଛି । ଏହାର ତଦନ୍ତ କରିବା ଲାଗି ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ସେପଟେ କେନ୍ଦ୍ର ସରକାର ରାଜ୍ୟରେ ପ୍ରଥମଥର ପାଇଁ ଡ୍ରୋନ ନିରୋଧ ମଧ୍ୟମ ଧରଣର ମେସିନ ଗନ ବ୍ୟବହାର କରିବା ଲାଗି ଅନୁମତି ଦେଇଛନ୍ତି । ରାଜ୍ୟରେ ଗତ ୧ ତାରିଖରୁ ୩ ତାରିଖ  ମଧ୍ୟରେ ଦୁଇଟି ଡ୍ରୋନ ଆକ୍ରମଣ ଘଟଣା ସାମ୍‌ନାକୁ ଆସିବା ପରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ମଣିପୁର ପୋଲିସ ଡିଜି ରାଜୀବ ସିଂହଙ୍କ କହିଛନ୍ତି, ରାଜ୍ୟରେ ଡ୍ରୋନ୍ ଆକ୍ରମଣ ସମ୍ପୂର୍ଣ୍ଣ ନୂଆ ଘଟଣା । ଏହାକୁ ଗମ୍ଭୀରତାର ସହ ନିଆଯାଇଛି । ସେଥିପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି ।