କନକ ବ୍ୟୁରୋ: ଦଶହରା ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ହାତୀପୋଖରୀ ନିକଟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ହାତୀପୋଖରୀ ଅତିକ୍ରମ କରୁଥିବା ବେଳେ ନାରାବାଜି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହାକୁ ନେଇ ଉଭୟ ପକ୍ଷରୁ ଢେଲା ଓ କାଚ ବୋତଲ ମାଡ଼ ହୋଇଥିଲା । ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ଅଟକି ରହିଥିବା ବେଳେ ରାଉସାପାଟଣା ଦୁର୍ଗାକାଳୀ ମେଢ଼ ତା’କୁ ଅତିକ୍ରମ କରି ଆଗକୁ ଯାଇଥିଲା । ରାଉସାପାଟଣା ମେଢ଼ ଦରଘାବଜାର ଥାନା ଅତିକ୍ରମ କରୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ମେଢ଼ ଶୋଭାଯାତ୍ରାରେ ଯାଉଥିବା ଯୁବକଙ୍କୁ ଆକ୍ରମଣ କରିଥିଲେ । କେଉଁ କାରଣରୁ ଏହି ସଂଘର୍ଷ ହେଲା ତାହାର କାରଣ ଖୋଜୁଛି ପୁଲିସ । ଗଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । ଘଟଣାସ୍ଥଳରେ ଅନେକ କ୍ୟାମେରା ଓ ଡ୍ରୋନ ଥିବାରୁ ଅଭିଯୁକ୍ତଙ୍କୁ ତୁରନ୍ତ ଚିହ୍ନଟ କରାଯାଇଥିଲା ।
ଏଥିରେ ୬ରୁ ଅଧିକ ଆହତ ହୋଇଥିବାବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି । ରାସ୍ତା ପାର୍ଶ୍ୱ ରେ ଥିବା ବାଇକ୍ ଭଙ୍ଗାରୁଜା ହେବା ସହ ବିଭିନ୍ନ ଦୋକାନ ଆଗରେ ଷ୍ଟଲ୍ ଭଙ୍ଗାରୁଜା ହୋଇଛି । ତୀବ୍ର ଉତ୍ତେଜନା ସୃଷ୍ଟି ହେବା ଯୋଗୁଁ ରାଉସାପାଟଣା ମେଢ଼ ଅଟକି ରହିଥିବା ବେଳେ ସେଠାରେ ଲୋକେ ଧାରଣାରେ ବସିଥିଲେ । ପୁଲିସ ଉପସ୍ଥିତିରେ ଏଭଳି ଗଣ୍ଡଗୋଳକୁ ନିନ୍ଦା କରିବା ସହ ପୁଲିସର ନିଷ୍କ୍ରିୟତା ଅଭିଯୋଗ ଆଣିଛନ୍ତି । ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ । ତିନିକୋଣିଆ ବଗିଚା ପଟୁ ଯାଉଥିବା ମେଢ଼ଗୁଡ଼ିକ ଆଗକୁ ବଢ଼ି ନ ପାରି ଦରଘାବଜାରରେ ଦୀର୍ଘ ସମୟ ଧରି ଅଟକି ରହିଥିଲା । ଏବେ ପରିସ୍ଥିତି ଶାନ୍ତ ଥିବା ବେଳେ କଡ଼ା ନଜର ରଖିଛି ପୁଲିସ ।