କନକ ବ୍ୟୁରୋ: ଚଢ଼ାଉବେଳେ ଖଣି ଅଧିକାରୀଙ୍କୁ ଗାଳି ଓ କନେଷ୍ଟବଳଙ୍କୁ ଆକ୍ରମଣ । ଯାଜପୁର ଜିଲ୍ଳା କୁଆଖିଆ ଥାନା ରାଜେନ୍ଦ୍ରପୁର ନିକଟରେ ବେଆଇନ ବାଲିଘାଟରେ ଖଣିବିଭାଗ ପକ୍ଷରୁ ଚଢ଼ାଉବେଳେ ଏଭଳି ଘଟଣା ଘଟିଛି । ଏହି ସମୟରେ ଖଣି ଅଧିକାରୀଙ୍କୁ ଗାଳିଗୁଲଜ ସହ ଜଣେ ଏପିଆର କନେଷ୍ଟବଳଙ୍କୁ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣରେ କଳ୍ପତରୁ ସାହୁ ନାମକ କନେଷ୍ଟବଳ ଗୁରୁତର ଆହତ ହୋଇ ପ୍ରଥମେ ହରିପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଯାଜପୁର ସଦର ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି ।
ବୁଧବାର ଯାଜପୁର ଜିଲ୍ଳାର ଦୁଇ କନିଷ୍ଠ ଖଣି ଅଧିକାରୀ ରାଜେନ୍ଦ୍ରପୁର ବାଲିଘାଟରେ ପହଂଚି ଅଚାନକ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ । ପରେ ଜଣେ କନେଷ୍ଟବଳଙ୍କ ଦାୟିତ୍ୱରେ ଟ୍ରାକ୍ଟରଟିକୁ ଥାନାକୁ ଆଣୁଥିବା ବେଳେ ବାଟରେ କିଛି ଦୁର୍ବତ୍ତ କନେଷ୍ଟବଳ କଳ୍ପତରୁଙ୍କୁ ଆକ୍ରମଣ କରି ଟ୍ରାକ୍ଟର ଛଡ଼ାଇ ନେଇଥିଲେ । ପଛରେ ଆସୁଥିବା ଖଣି ଅଧିକାରୀ ଏ ସମ୍ପର୍କରେ ଜାଣିବା ପରେ ଆହତ କନେଷ୍ଟବଳଙ୍କୁ ଚିକିତ୍ସା ପାଇଁ ପଠାଇବା ସହ କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି । ଜଣେ ପୂର୍ବତନ ସରପଞ୍ଚଙ୍କ ଇଙ୍ଗିତରେ ତାଙ୍କର କିଛି ଲୋକ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।