କନକ ବ୍ୟୁରୋ: ସଂଘର୍ଷ ପରେ ସଫଳତା ନିଶ୍ଚିତ ମିଳିଥାଏ... ଯାହାକୁ ସତ କରିଛନ୍ତି ବିନେଶ । ବିନେଶ ଫୋଗାଟ ଏ ନାଁ ଗୋଟେ ସଂଘର୍ଷର ନାଁ... ନ୍ୟାୟ ପାଇଁ ସେ ରାସ୍ତାକୁ ଓହ୍ଲାଇଥିଲେ, ପୋଲିସଠୁ ମାଡ ଖାଇଥିଲେ, ଅତ୍ୟାଚାରର ଶିକାର ହୋଇଥିଲେ... କଣ ରାଜରାସ୍ତାକୁ ଆସି ଜଣେ ରାଜନେତା ବିରୋଧରେ ନ୍ୟାୟ ମାଗିବା ଭୁଲ? ନ୍ୟାୟ ନ ପାଇ ଶେଷରେ ସେ କାନ୍ଦି କାନ୍ଦି ମେଡାଲ ବି ଫେରାଇ ଦେଇଥିଲେ । ସେଦିନ ଦେଶ ଦେଖିଥିଲା ଗୋଟେ ନାରୀରର ସାହସ? ନ୍ୟାୟ ମିଳିବନି ତ ତୁମ ମେଡାଲ ବି ଦରକାର ନାହିଁ ରୋକ ଠୋକ କହିଦେଇଥିଲେ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ ।
ବିଜେପି ସାଂସଦ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଶାରିରୀକ ଓ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ ମହିଳା କୁସ୍ତି ଯୋଦ୍ଧା । ଏନେଇ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ନହେବା ଯୋଗୁଁ ସେମାନେ ପ୍ରତିବାଦ କରିଥିଲେ । ହେଲେ ତାଙ୍କୁ ନ୍ୟାୟ ପ୍ରତିବଦଳରେ ପୋଲିସର ନିର୍ଯାତନା ମିଳିଥିଲା ।
ଏତିକିରେ ଶେଷ ହୋଇନଥିଲା ଭିନେଶଙ୍କ ସଂଘର୍ଷ । ପ୍ୟାରିସ ଅଲମ୍ପିକ୍ସରେ ଭିନେଶ ଗୋଲ୍ଡ ମେଡାଲ ସ୍ୱପ୍ନ ଦେଖିଥିଲେ । ମେଡାଲ ଜିତି ସେ ସମସ୍ତଙ୍କୁ ଉଚିତ ଜବାବ ଦେବାକୁ ପରିଶ୍ରମ କରିଥିଲେ । ଆଉ ସମସ୍ତଙ୍କୁ ଚମକାଇ ଫାଇନାଲରେ ବି ପହଞ୍ଚିଥିଲେ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା ମାତ୍ର ୧୦୦ ଗ୍ରାମ ଓଜନ ପାଇଁ ଭିନେଶଙ୍କୁ ଡିସକ୍ୱାଲିଫାଇ କରାଯାଇଥିଲା । ସେଦିନ କେବଳ ଭିନେଶଙ୍କ ହୃଦୟ ଭାଙ୍ଗିନଥିଲା ବରଂ କୋଟି କୋଟି ଭାରତୀୟଙ୍କର ବି ହୃଦୟ ଭାଙ୍ଗିଥିଲା । ଯେଉଁଥିପାଇଁ ତାଙ୍କ ସ୍ୱର୍ଣ୍ଣ ପଦକ ଜିତିବାର ସ୍ୱପ୍ନ ଭାଙ୍ଗି ଯାଇଥିଲା ।
ଯେବେ ସେ ପ୍ୟାରିସରୁ ଫେରିଥିଲେ ତାଙ୍କ ଆଖିର ଲୁହ ହିଁ ବୟାନ କରୁଥିଲା ତାଙ୍କ ହୃଦୟର କଷ୍ଟ । ଆଉ କୋହଭରା ମନରେ ଶେଷ ସେ କୁସ୍ତିରୁ ଅବସର ନେଇଥିଲେ ।
ନା ନ୍ୟାୟ ମିଳିଥିଲା ନା ସ୍ୱର୍ଣ୍ଣ ଜିତିବାର ସ୍ୱପ୍ନ ପୂରଣ ହୋଇଥିଲା । କିନ୍ତୁ ଜବାବ ଦେବାର ଥିଲା ସେହିମାନଙ୍କୁ ଯେଉଁମାନେ ଅତ୍ୟାଚାରକୁ ଦେଖି ବି ନଦେଖିଲା ପରି ଚୁପ ରହିଥିଲେ । ତେଣୁ ସେ ହରିୟାଣା ନିର୍ବାଚନ ପୂର୍ବରୁ ରାଜନୀତିରେ ପ୍ରବେଶ କରିଥିଲେ । ଆଉ ଜୁଲାନା ଆସନରୁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିଲେ । ଏଥର କିନ୍ତୁ ପାଳି ଭିନେଶଙ୍କର ଥିଲା । ରାଜନୀତି ମୈଦାନରେ ବିରୋଧୀଙ୍କୁ ଚିତପତାଙ୍ଗ କରି ନିର୍ବାଚନ ଜିତିଛନ୍ତି ଭିନେଶ ।
ଭିନେଶ ୬୫ ହଜାର ୮୦ ଖଣ୍ଡ ଭୋଟ ପାଇଛନ୍ତି ଆଉ ବିଜେପି ପ୍ରାର୍ଥୀ ଯୋଗେଶ କୁମାରଙ୍କୁ ୬ ହଜାର ୧୫ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଆଉ ବିଜୟୀ ହୋଇ ବିରୋଧୀଙ୍କୁ ଉଚିତ ଜବାବ ଦେଇଛନ୍ତି ।