କନକ ବ୍ୟୁରୋ: ଆଜି ବିଧିବଦ୍ଧ ଭାବରେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ । ଆଜି ହରିୟାଣାରେ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଓ ପବନ ଖେରା ପ୍ରଦେଶ କଂଗ୍ରେସ ସଭାପତି ଉଦୟ ଭାନ ପ୍ରମୁଖଙ୍କ ଉପସ୍ଥିତରେ ସେ ଦଳରେ ମିଶିଛନ୍ତି । ଏହି ସମୟରେ ହରିଆଣା କଂଗ୍ରେସ ପ୍ରଭାରୀ ଦୀପକ ବାବରିଆ ମଧ୍ୟ ଉପସ୍ଥିତ ଥିଲେ । 

କଂଗ୍ରେସରେ ଯୋଗ ଦେବାପରେ ଭନେଶ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ କଂଗ୍ରେସ ଦଳକୁ ଧନ୍ୟବାଦ ଦେବାକୁ ଚାହୁଁଛି । କଥାରେ ଅଛି ନା ଖରାପ ସମୟରେ ହିଁ ଜଣା ପଡ଼େ ନିଜର କିଏ ଓ କିଏ ପର । ଯେତେବେଳେ ଆମକୁ ରାସ୍ତାରେ ଘୋଷାଡ଼ି ନେଉଥିଲେ ସେତେବେଳେ ବିଜେପିକୁ ଛାଡ଼ି ସବୁ ପାର୍ଟି ଆମ ସହିତ ଛିଡ଼ା ହୋଇଥିଲେ । କଂଗ୍ରେସରେ ଯୋଗ ଦେଉଥିବାରୁ ଗର୍ବ ଅନୁଭବ କରୁଛି, ଯିଏ ଆମକୁ ସମର୍ଥନ ଦେଇଥିଲା ।’ 

ଗତ ସେପ୍ଟେମ୍ବର ୪ ତାରିଖରେ ବିରୋଧୀ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ । ଏହାପରେ ଆକଳନ କରାଯାଉଥିଲା ଯେ ଖୁବଶୀଘ୍ର ସେ କଂଗ୍ରେସରେ ଯୋଗ ଦେଇ ପାରନ୍ତି । ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ମହଲ ଗରମ ରହିଛି । ୨୦୨୩ରୁ ଭାରତୀୟ କୁସ୍ତିଯୋଦ୍ଧା ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ ।   ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ)ର ତତ୍କାଳୀନ ଅଧ୍ୟକ୍ଷ ତଥା ଭାଜପା ନେତା ବ୍ରିଜଭୂଷଣ ଶରଣ ସିଂଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି କୁସ୍ତିଯୋଦ୍ଧା ଜୋରଦାର ବିରୋଧ କରିଥିଲେ । ଏହି ସମୟରୁ ଭାଜପା ସହ କୁସ୍ତିଯୋଦ୍ଧାଙ୍କ ଅସନ୍ତୋଷ ସ୍ପଷ୍ଟ ଦେଖାଯାଉଥିଲା ।

ପ୍ୟାରିସ ଅଲିମ୍ପିକ ଗେମ୍ସରେ ଏକ ବଡ ନିରାଶା ପରେ ରେସଲର ଭିନେଶ ଫୋଗାଟ ଦେଶକୁ ଫେରିଥିଲେ, ସେତେବେଳେ ହରିୟାଣା କଂଗ୍ରେସ ନେତା ଦୀପେନ୍ଦ୍ର ସିଂ ହୁଡା ନିଜେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ସ୍ୱାଗତ କରିଥିଲେ । ଏହାପରେ ସେ ନିଜ ଗାଁ ପର୍ୟ୍ୟନ୍ତ ରୋଡ ଶୋ’କୁ ମଧ୍ୟ ସମର୍ଥନ କରିଥିଲେ । ଉଭୟ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ।