କନକ ବ୍ୟୁରୋ : ଗୁରୁବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ନୂଆଁଖାଇକୁ ନେଇ ଗାଁଠୁ ସହର ଉତ୍ସବର ମାହୋଲ । ବଜାରରୁ ହାଣ୍ଡି ମାଠିଆ ସାଙ୍ଗକୁ ନୂଆ ଧାନ, ନୂଆ ଲୁଗା କିଣୁଛନ୍ତି ଲୋକେ l ଫଳରେ ଚଳଚଞ୍ଚଳ ହୋଇଛି ହାଟ ବଜାର l କପଡ଼ା ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଚଳିତ ବର୍ଷ ଭଲ ବର୍ଷା ହୋଇ ଥିବାରୁ ସମସ୍ତେ ଖୁସି ରହିଛନ୍ତି । ଯିଏ ଯୋଉଠି ଥିଲେ ବି ପର୍ବ ପାଳନ ପାଇଁ ସମସ୍ତେ ଦୂର ଦୁରାନ୍ତରୁ ନିଜ ଘରକୁ ଫେରିଥା’ନ୍ତି l ବର୍ଷ ର ନୂଆ ଉତ୍ପାଦିତ ଫସଲକୁ ନିଜ ଇଷ୍ଟ ଦେବୀ ପାଖରେ ସମର୍ପଣ ପରେ ନୂଆ ଲୁଗା ପିନ୍ଧି ନବାନ୍ନ ଭକ୍ଷଣ କରିଥା’ନ୍ତି ।

ନୂଆଁଖାଇ ଭଳି ପାଳନ ହୁଏ ଛାଡ଼ଖାଇ 
୩ ଦିନ ଛୁଟି ପାଇ ବଢ଼ିଲା ଦାବି 

Advertisment

ନୂଆଁଖାଇଠାରୁ ବାସିପର୍ବର ଅଧିକ ଗୁରୁତ୍ବ ରହିଛି l ଏହି ଦିନ ସମସ୍ତଙ୍କ ଘରେ ଜମିଥାଏ ମନୋରଞ୍ଜନର ଆସର l ବଜାରରୁ ଲୋକେ ଛେଳି,ମେଣ୍ଡା କିଣାବିକା ଆରମ୍ଭ କରିଛନ୍ତି l ଗଣପର୍ବରେ ଛୁଟି ନ ମିଳିବାରୁ ବହୁ ଲୋକ ଏହି ପର୍ବ ପାଳନ କରିବାରୁ ବଂଚିତ ରହିଥା’ନ୍ତି l ଏଣୁ କରି ଏହି ନୁଆଁଖାଇ ପର୍ବକୁ ସରକାର ସରକାରୀ ଭାବେ ତିନିଦିନ ଛୁଟି ଘୋଷଣା କରନ୍ତୁ ବୋଲି ଦାବି ଉଠୁଛି l କୋଶଳ ସେନା ସହିତ ବିଭିନ୍ନ ସଂଗଠନ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି । ୨୮ ତାରିଖରେ ନୂଆଁଖାଇ , ୨୯ ତାରିଖକୁ ଛୁଟି ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କ ପାଖକୁ ପ୍ରସ୍ତାବ ବି ଯାଇଛି ।