କନକ ବ୍ୟୁରୋ: ମୃତଦେହକୁ ଅସମ୍ମାନ। ଶବଦାହ ପାଇଁ ମିଳିଲାନି ଜାଗା। ଶେଷରେ ଶହଦାହ ଗୃହରେ ହେଲା ଅନ୍ତିମ ସଂସ୍କାର। ରେଢାଖୋଲରୁ ଆସିଛି ଏଭଳି ଖବର । ଯୁବତୀଙ୍କୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଆଉ ପୋଷ୍ଟମର୍ଟମ ପରେ ଆସିଥିବା ମୃତଦେହର ଅନ୍ତିମ ସଂସ୍କାର କରିବାକୁ ମନାକରିଦେଇଛନ୍ତି ଗାଁ ଲୋକେ ।

ଦୁଷ୍କର୍ମ ହୋଇଥିବା ଜଣେ ଯୁବତୀଙ୍କୁ ନିଜସ୍ୱ  ଗାଁରେ ନା ମିଳିଲା ୬ଖଣ୍ଡ କାଠ ନା ମିଳିଲା ୬ଫୁଟର ଜାଗା ।  ମୃତଦେହକୁ ଗ୍ରହଣ କରି ଦାହ କରିବାକୁ ସିଧାସିଧା ମନାକରିଦଲେ ଗାଁ ଲୋକେ । ଏଭଳି ଘଟଣା ଘଟିଛି ସମ୍ବଲପୁର ରେଢାଖୋଲ ଅଂଚଳରେ । ପୋଷ୍ଟମର୍ଟମ ପରେ ଯୁବତୀଙ୍କ ମୃତଦେହ ଗାଁକୁ ଆସିଥିଲା । ମୃତଦେହ ପଂହଚିବା ବେଳେ ଗାଁ ପୁଲିସ ଛାଉଣୀ ହୋଇଥିଲା ଓ ବରିଷ୍ଠ ଅଧକାରୀ ବି ଉପସ୍ଥିତି ଥିଲେ । କିନ୍ତୁ ମୃତଦେହକୁ ଗ୍ରହଣ କରି ଅନ୍ତିମ ସଂସ୍କାର ପାଇଁ ମନାକରିଦେଇଛନ୍ତି ଗାଁ ଲୋକେ । ବଡ କଥା ହେଲା, ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ବି ନିଆଯାଇଥିଲା । କିନ୍ତୁ ଦାହ ସଂସ୍କାର ପାଇଁ ଗାଁ ଲୋକେ ମନାକରିଦେଇଥିଲେ ।  ଫଳରେ ପ୍ରଶାସନ ରେଢାଖୋଲ ଏନଏସିରେ ଯୁବତୀଙ୍କ ଅନ୍ତିମ ସଂସ୍କାର କରିଛି । 

ଶୁକ୍ରବାରଦିନ ରେଢାଖୋଲ ଅଂଚଳର ଜଣେ ୨୫ ବର୍ଷିୟା ଯୁବତୀଙ୍କୁ  ସେହି ଗାଁର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସଂପୃକ୍ତ ଯୁବତୀଙ୍କ ମୃତଦେହ ନିକଟସ୍ଥ ଜଙ୍ଗଲରୁ ମିଳିଥିଲା । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ହଇଚଇ ଖେଳିଯାଇଥିଲା । କିନ୍ତୁ ମୃତଦେହକୁ ଗାଁ ଲୋକେ ଗ୍ରହଣ ନ କରିବା ମାନବିକତା ଉପରେ ପ୍ରଶ୍ନ ଉଠାଇଛି । 

ମୃତଦେହକୁ ପ୍ରଶାସନ ବାରମ୍ବାର ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରୁଥିବା ବେଳେ ଶବ ପ୍ରତି ଅସମ୍ମାନ ଦେଖିବାକୁ ମିଳିଛି ।