କନକ ବ୍ୟୁରୋ: ଗାଁ ମୁଣ୍ଡରେ ବାଉଁଶରେ ବନ୍ଧା ହୋଇଛି ବ୍ୟାନର । ଲେଖା ହୋଇଛି ନିୟମାବଳୀ । କେହି ଚପଲ ପିନ୍ଧିବେ ନାହିଁ । କାହା ଘରେ ଚୁଲି ଜଳୁନି କି ଘର ଓଳାଯାଉନାହିଁ । ଗାଁ ଭିତରେ କୌଣସି ଗାଡ଼ି ଗଡୁନାହିଁ । ଗାଁ ରାସ୍ତାରେ ପୋଷ୍ଟର ଲଗାଇ ଏଭଳି ନିର୍ଦ୍ଦେଶ ଦେଇଛି ଗାଁ କମିଟି । ଉଦଳା ବ୍ଲକ ଅଧୀନ କୁଟଲିଂ ରାଜସ୍ବ ଗାଁର ସୁରକ୍ଷା ପାଇଁ ଚାଲିଛି ନିଆରା ଦଶନ୍ଧି ପୂଜା ।
୧୦ ବର୍ଷ ଥରେ ଗାଁରେ ଦଶନ୍ଧି ପୂଜା ପାଳନ କରାଯାଇଥାଏ । ଏହି ପୂଜାସ୍ଥଳୀକୁ ମହିଳାମାନେ ଯାଇପାରିବେ ନାହିଁ କି ପୂଜା ଚାଲିଥିବା ବେଳେ ବାହାର ଲୋକ ଦେଖିପାରିବେ ନାହିଁ । ଏଭଳି ଅଜବ ନିୟମ ରହିଛି । ୨ ଦିନ ଧରି ସମସ୍ତ ନୀତିକାନ୍ତି ଅନୁସାରେ ୩ ଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ସ୍ବାଭାବିକ ଅବସ୍ଥାକୁ ଫେରିଥାଏ ଗାଁର ସ୍ଥିତି । ନିୟମର ସହ ପୂଜା ପାଳନ କଲେ ରୋଗବ୍ୟାଧି, ବନ୍ୟ ଜୀବଜନ୍ତୁଙ୍କ କବଳରୁ ଗାଁକୁ ରକ୍ଷା ମିଳିଥାଏ ବୋଲି ବିଶ୍ବାସ ରହିଛି ।