କନକ ବ୍ୟୁରୋ: ଦିନେ ପେଟ ପାଟଣା ପାଇଁ ପର ଘରେ ମୂଳ ଲାଗିବାକୁ ପଡୁଥିଲା ମହିଳାଙ୍କୁ  । ବର୍ତମାନ କିନ୍ତୁ ସମୟ ସ୍ରୋତରେ ସବୁ କିଛି ବଦଳି ଯାଇଛି । ଯିଏ ବଞ୍ଚିବା ପାଇଁ କାମ ଖୋଜୁଥିଲା ଆଜି ସେ ମହିଳାମାନେ ଦୃଢ ଇଚ୍ଛା ଶକ୍ତି ବଳରେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଦିନ ମଜୁରିଆରୁ ଛେଳି ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିବାର ଲକ୍ଷ୍ୟ ରଖିଛନ୍ତି ଉପାନ୍ତ ଅଞ୍ଚଳର ଗାଁ ମହିଳା । ଆଉ ଏମାନଙ୍କୁ ସହଯୋଗର ହାତ ବଢାଇଛି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା । ଦେଖିବା ଗୁଣୁପୁର ବ୍ଲକ ନେରମାନଗୁଡ଼ା ଗ୍ରାମରୁ ଏହି ରିପୋର୍ଟ  ।

Advertisment

ରୋଜଗାର ଦେଉଛି ଛେଳି ଚାଷ । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ନେରମାନଗୁଡ଼ା ଗାଁ ମହିଳାମାନେ ଛେଳି ଚାଷ କରି ଲାଭବାନ ହେଉଛନ୍ତି । ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତରେ ଅବସ୍ଥିତ ଏହି ଅଞ୍ଚଳ ପୂର୍ବରୁ ନକ୍ସଲ ପ୍ରବଣ ଅଞ୍ଚଳ ଭାବେ ପରିଚିତ ଥିଲା । ତେବେ ସ୍ଥିତି ସ୍ୱାଭାବିକ ହେବା ପରେ ଏବେ ଏହି ଗାଁ ମହିଳାଙ୍କ ଜୀବନ ଧାରଣାରେ ଆସୁଛି ସୁଧାର । ଦିନ ମଜୁରିଆ ଭାବେ ଜୀବନ ବିତାଉଥିବା ମହିଳାମାନେ ଏବେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ନୂଆ ନୂଆ ଚାଷ ଆପଣାଉଛନ୍ତି । ଏଠାକାର ଲୋକଙ୍କ ଜୀବନ ଜୀବିକା କହିଲେ ଚାଷ କାମ । ଏମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସହଯୋଗର ହାତ ବଢାଇଛି ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ଗୁଣୁପୁର । 

ଗୃପ ଗଠନ ପୂର୍ବରୁ ଏହି ମହିଳାମାନେ ଦିନ ମଜୁରିଆ ଓ ଲଘୁଜାତ ବନ୍ୟଦ୍ରବ୍ୟ ସଂଗ୍ରହ କରି ନିଜର ଗୁଜରାଣ ମେଂଟାଉଥିଲେ । ୨୦୧୭ରେ ଗାଁର ୧୦ ଜଣ ମହିଳା ଏକାଠି ହୋଇ ଆରମ୍ଭ କରିଛନ୍ତି “ କାଲାୱାରୀ ସ୍ୱୟଂ ସହାୟକ ଗୋଷ୍ଠୀ”  । ୨୦୨୪ -୨୫ ଆର୍ଥିକ ବର୍ଷରେ ୧ ଲକ୍ଷ ୮୫ ହଜାର ଟଙ୍କା ବ୍ୟୟରେ ମହିଳାମାନଙ୍କୁ ୩୨ ଗୋଟି ଛେଳି ପ୍ରଦାନ କରାଯାଇଛି  । ଛେଳି ମାନଙ୍କ ରକ୍ଷଣା ବେକ୍ଷଣ ଓ ଲାଳନ ପାଳନ ସହ ସମସ୍ତ କାମ କରୁଛନ୍ତି ଗୃପର ସଦସ୍ୟାମାନେ  । ଏହି ସ୍ୱୟଂ ସହାୟକ ଗୋଷ୍ଠୀର ଛେଳି ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ଭବିଷ୍ୟତରେ ଏହି ସବୁ ଛେଳିକୁ ବିକ୍ରି କରି ଦୁଇ ପଇସା ରୋଜଗାର କରିପାରିବେ ବୋଲି ଆଶା ରଖିଛନ୍ତି ଗୃପର ସଦସ୍ୟା।

ପୂର୍ବରୁ ଏହି ମହିଳା ମାନେ ଦିନ ମଜୁରିଆ ଭାବେ ନିଜର ଭରଣ ପୋଷଣ କରୁଥିଲେ । ଏବେ ଗୃପ ଗଠନ ପରେ ଏଠାକାର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଛେଳି ଚାଷ କରି ସ୍ୱାବଲମ୍ବୀ ହେବାପାଇଁ ଆଶା ରଖିଛନ୍ତି । ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯାଇ ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି ପ୍ରୋଗ୍ରାମ ମ୍ୟାନେଜର । ବାସ୍ତବରେ ଏହି ଉପାନ୍ତ ଅଞ୍ଚଳର ଜନ ଜାତି ମହିଳାଙ୍କ ନିଆରା ପ୍ରୟାସ ଅନ୍ୟ ମହିଳା ମାନଙ୍କ ପାଇଁ ନିଶ୍ଚୟ ପ୍ରେରଣା ଯୋଗାଇବ ।