କନକ ବ୍ୟୁରୋ: ଦିନରେ ପେଟକୁ ଦାନା ଯୋଗାଡ଼ ପାଇଁ ସଂଘର୍ଷ ଆଉ ରାତି ହେଲେ ଫସଲ ରକ୍ଷା ପାଇଁ ହାତୀ ସହ ଛକାପଞ୍ଝା । ଅନ୍ଧାର ରାତିରେ ବିଲ ଭିତରେ ଜଳୁଛି ଆଲୁଅ, ସମସ୍ତେ ହାତରେ ଟର୍ଚ୍ଚ ଧରି ବିଲ ଭିତରେ ଦୌଡୁଛନ୍ତି । କାରଣ ରାତି ହେଲେ କ୍ଷତରେ ପଶି ଫସଲ ନଷ୍ଟ କରୁଛନ୍ତି ହାତୀପଲ । ଉଦଳା ପୋଡାଡିହା ରେଞ୍ଜ ନଛିପୁର ଗାଁରେ ରାତି ତମାମ ହାତୀ ପାଇଁ ଉଜାଗର ହେଉଛନ୍ତି ଚାଷୀ । ହାତୀ ପାଇଁ ଘର ଛାଡି ରାତି ତମାମ ମଞ୍ଚା ଉପରେ ଜୀବନ ବିତାଉଛନ୍ତି ଚାଷୀ ପରିବାର । ନଛିପୁର ଗ୍ରାମବାସୀଙ୍କ ଦୁଃଖ ପାଲଟିଛନ୍ତି ହାତୀ ପଲ।
ଶିମିଳିପାଳ ପାଦ ଦେଶରେ ରହିଛି ନଛିପୁର ଗାଁ । ହାତୀ ମୁହଁରୁ ଫସଲ ବଞ୍ଚାଇବା ଏବେ ଗାଁ ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । କାରଣ ଏକର ଏକର ଚାଷ ଜମି ଏବେ ହାତୀ ମୁହଁରେ । ଆଉ କିଛି ଦିନ ପରେ ଫସଲ ଅମଳ କରିବ ଚାଷୀ । ଏବେଠୁ ଫସଲ ନଜଗିଲେ ସବୁ ଧାନ ନଷ୍ଟ ହୋଇଯିବ । ସନ୍ଧ୍ୟା ହେଲେ ଘରୁ ହାତରେ ଟର୍ଚ୍ଚ, ରାତି ପାଇଁ ଖାଦ୍ୟ, ଚାଦର ଧରି କି ବୃଦ୍ଧା କି ଯୁବକ ସମସ୍ତେ ଯାଇ ପହଞ୍ଚିଯାଉଛନ୍ତି ନିଜ ଚାଷ ଜମି ନିକଟରେ। ବିଲ ନିକଟରେ ନିଆଁ ଜାଳି ଉଜାଗର ରହୁଛନ୍ତି । ଗଛ ଉପରେ ତିଆରି କରିଥିବା ମଞ୍ଚାରେ ଶୋଇ ହାତୀ ଜଗୁଛନ୍ତି ।
ଦିନେ କି ଦୁଇ ଦିନ ନୁହଁ, ଧାନ ଫସଲ ଆରମ୍ଭ ହେଲା ଦିନରୁ ଅର୍ଥାତ ୩ ମାସ ହେବ ପ୍ରତିଦିନ ଗ୍ରାମବାସୀ ଓ ଚାଷୀଙ୍କର ଏହିଭଳି ଅବସ୍ଥା। ରାତିହେଲେ ଚାଷୀଙ୍କ ଆଖିର ନିଦ ହଜାଇଦେଉଛନ୍ତି ହାତୀପଲ । ବନବିଭାଗ ପକ୍ଷରୁ ଏଥିପାଇଁ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଚାଷୀ ।