କନକ ବ୍ୟୁରୋ : ପଖାଳ ଖାଇ ଜିଲ୍ଲାପାଳଙ୍କ ଅଫିସ ପିଣ୍ଡାରେ ଶୋଇଲେ ଗ୍ରାମବାସୀ । ସମାଧାନ ବେଳେ ପ୍ରଶାସନ ସହିତ ମୁଁହା ମୁହିଁ । କାନ୍ଦି କାନ୍ଦି ଜିଲ୍ଲାପାଳଙ୍କୁ ନିଜ ଦାବି ଜଣାଇଛନ୍ତି । ଠାକୁରମୁଣ୍ଡା ବ୍ଲକ କେଶଡିହା ପଞ୍ଚାୟତର ଚାନ୍ଦିଖମଣ ଗ୍ରାମବାସୀ ଆଜି ସକାଳୁ ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ନିଜ ସମସ୍ୟା ଜଣାଇଛନ୍ତି । ସେମାନଙ୍କ କହିବା ଅନୁସାରେ ତିନି ପିଢ଼ିରୁ ଅଧିକ ସମୟ ଧରି ଶିମିଳିପାଳ ପାଦ ଦେଶରେ ରହୁଛନ୍ତି । ବାପା-ଜେଜେ ବାପାଙ୍କ ଅମଳରୁ ୧୯୫୨ ମସିହାରୁ ଚାନ୍ଦିଖମଣ ଗାଁରେ ରହୁଛନ୍ତି । ଶିମିଳିପାଳ ପାଦ ଦେଶରେ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଜଙ୍ଗଲ ଜମି ଅଧିକାର ଆଇନ ଅନୁସାରେ ସେମାନଙ୍କୁ ଜମିପଟ୍ଟା ମଧ୍ୟ ମିଳିସାରିଛି । କିନ୍ତୁ ବର୍ଷେ ପୂର୍ବରୁ ପଡ଼ୋଶୀ ଗାଁର କିଛି ଅସାଧୁ ବ୍ୟକ୍ତି ଜୋର ଜବରଦସ୍ତ ତାଙ୍କ ଚାଷ ଜମିକୁ ମାଡି ବସିଛନ୍ତି । ଗାଁ ଲୋକ ସେଠାକୁ ଗଲେ ଗଣ୍ଡଗୋଳ କରୁଛନ୍ତି । କିଛିଦିନ ପୂର୍ବରୁ ଜିଲ୍ଲାପାଳ ଓ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଏବେ ମାମଲା ଥାନାରୁ ଯାଇ କୋର୍ଟରେ ବିଚାରାଧୀନ ରହିଛି । ବର୍ତ୍ତମାନ ଜମିରେ ୧୪୪ ଧାରା ଲାଗିଛି । ଆଜି ଗାଁ ଲୋକେ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଛନ୍ତି । ଅଫିସ ପରିସରରେ ଧାରଣା ଦେଇଛନ୍ତି । ସାଙ୍ଗରେ ଆଣିଥିବା ପଖାଳ ସେହିଠାରେ ଖାଇ ସେହିଠାରେ ଶୋଇ ରହିବାର ଦୃଶ୍ୟ ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଏହାର ସମାଧାନ ତୁରନ୍ତ କରିବାକୁ କାନ୍ଦି କାନ୍ଦି ନିବେଦନ କରିଛନ୍ତି । ନଚେତ ଆଗାମୀ ଦିନରେ ସମସ୍ତ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।
ସେପଟେ ନିରୀହ ଆଦିବାସୀଙ୍କ ସହ ଧାରଣାସ୍ଥଳରେ ଉପସ୍ଥିତ ରହିଛନ୍ତି ସମାଜ ସେବୀ । ଆଦିବାସୀଙ୍କ ସ୍ୱର ହୋଇ ପ୍ରଶାସନ ସହ ମୁହାଁମୁହିଁ ହୋଇଛନ୍ତି । ଲୋକମାନେ ଧାରଣା ଦେଇଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ କରଞ୍ଜିଆର ଆଦିବାସୀ ଉନ୍ନୟନ ଓ ପ୍ରକଳ୍ପ ପ୍ରଶାସକ । ସେ ଲୋକଙ୍କୁ ବୁଝାସୁଝା କରିବା ବେଳେ ଅସନ୍ତୁଷ୍ଟ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଘଟଣାଟି କୋର୍ଟର ବିଚାରାଧୀନ ଥିବାରୁ ଆଇନ ଅନୁସାରେ ପଦକ୍ଷେପ ନେଇ ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି କରଞ୍ଜିଆ ଆଦିବାସୀ ଉନ୍ନୟନ ଓ ପ୍ରକଳ୍ପ ପ୍ରଶାସକ ଚିତ୍ତରଞ୍ଜନ ମହାନ୍ତ ।