କନକ ବ୍ୟୁରୋ: କୂଳ ଖାଉଛି ସୁବର୍ଣ୍ଣରେଖା ନଦୀ । ୨ଟି ଗାଁ ଓ ୪୦ ଏକରରୁ ଅଧିକ ଚାଷ ଜମି ନଦୀ ଗର୍ଭରେ ହଜିଯାଇଛି । ପ୍ରତିବର୍ଷ ବର୍ଷା ଦିନ ଆସିଲେ ନଦୀକୁ ବନ୍ୟା ଆସୁଛି । ଆଉ ଅନେକଙ୍କ ଘର ଚାଷ ଜମି ଧୋଇନେଉଛି । ଯାହାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ନଈକୂଳିଆ ଲୋକ । ଏବଂ ସ୍ଥାୟୀ ପଥରବନ୍ଧ ନିର୍ମାଣ ପାଇଁ ଦାବି ହୋଇଛି । 

Advertisment

ଧୀରେ ଧୀରେ ସୁବର୍ଣ୍ଣରେଖା ନଦୀ ତାର କରାଳ ରୂପ ଦେଖାଉଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର, ବସ୍ତା, ବାଲିଆପାଳ ଏବଂ ଭୋଗରାଇ ବ୍ଲକ ଦେଇ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ । କାଳିକାପୁରଠାରୁ ବାଲିଆପାଳ ବ୍ଲକର କଣ୍ଟାପାଳ ପର୍ୟ୍ୟନ୍ତ ନଦୀ ପାର୍ଶ୍ବରେ ଆଦୌ ପଥରବନ୍ଧ ନାହିଁ । ଛୋଟଖାନପୁର ଏବଂ ବଡ଼ଖାନପୁର ଗାଁ ନଦୀ ଗର୍ଭରେ ସମ୍ପୂର୍ଣ୍ଣ ଲୀନ ହୋଇଯାଇଛି । ଲୋକ ଏବେ ଭୟଭୀତ ହୋଇ ଗାଁ ଛାଡ଼ି ଅନ୍ୟ ଗାଁରେ ବସବାସ କରୁଛନ୍ତି । ସ୍ଥାୟୀ ପଥର ବନ୍ଧ ନଥିବାରୁ ନଦୀ କୂଳ ଖାଇ ଗାଁ ମୁହାଁ ହୋଇଥିବା କହିଛନ୍ତି। ପ୍ରତିବର୍ଷ ନଦୀରେ ବନ୍ୟା ଆସୁଥିବାରୁ ଚାଷ ଜମି ସହିତ ଅନେକ ଗାଁ ଧୋଇଯିବ । ଏହି ଭୟରେ ରହୁଥିବା ଲୋକ ସ୍ଥାୟୀ ପ୍ରତିକାର ଦାବି କରିଛନ୍ତି । 

ନଦୀ ପାର୍ଶ୍ବରେ ପଥରବନ୍ଧ ନାହିଁ । ଯେଉଁଥିପାଇଁ ବନ୍ୟା ଆସିବା ମାତ୍ରେ ଚାଷ ଜମିରେ ପାଣି ମାଡ଼ିଯାଉଛି । ଫଳରେ ଅନେକ ଗରିବ ଚାଷୀଙ୍କ ଜମିହରା ହୋଇଯାଉଛନ୍ତି । ଗତ କିଛି ବର୍ଷ ଭିତରେ ଜଳେଶ୍ବର ବ୍ଲକର ବାଇଗଡ଼ଗଡ଼ିଆ ଗାଁର ୪୦ ଏକରରୁ ଅଧିକ ଚାଷ ଜମି ନଦୀ ଗର୍ଭକୁ ଚାଲିଯାଇଛି । ବିଭିନ୍ନ ସମୟରେ ସମସ୍ୟା ନେଇ ପ୍ରଶାସନକୁ ଜଣାଇଥିଲେ ବି କୌଣସି ସୁଫଳ ମିଳିନି । ବେଳ ଥାଉ ଥାଉ ଏହାର ପ୍ରତିକାର କରାନଗଲେ ଏମିତି ଅନେକ ଗାଁ ଓ ଚାଷ ଜମି ସୁବର୍ଣ୍ଣରେଖାରେ ଲୀନ ହୋଇଯିବ ।