କନକ ବ୍ୟୁରୋ : ତାମିଲନାଡୁ ଦଳାଚକଟା ଘଟଣାରେ ମାଡ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ବିଜୟଙ୍କ ଟିଭିକେ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିକଟରେ ଦାବି କରିଛି ଦଳ । ସିବିଆଇ କିମ୍ବା ଏସଆଇଟି ତଦନ୍ତ ହେଲେ, ଘଟଣାର ସତ୍ୟତା ସାମ୍ନାକୁ ଆସିପାରିବ ବୋଲି କୁହାଯାଇଛି । ଟିଭିକେ ଲିଗାଲ ୱିଙ୍ଗ କୋର୍ଡିନେଟର କହିଛି, ଘଟଣା ପଛରେ ରହିଛି ବଡ଼ ଷଡ଼୍ଯନ୍ତ୍ର । ସେଥିପାଇଁ ଏହାର ସଠିକ୍ ତଦନ୍ତ ହେବାର ଆବଶ୍ୟକ ରହିଛି ।
ତାମିଲନାଡୁ କରୁରରେ ଦଳାଚକଟା ଘଟଣାରେ ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି । ଟିଭିକେ କରୁର ପଶ୍ଚିମ ଜିଲ୍ଲା ମୁଖ୍ୟ ସମ୍ପାଦକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ହତ୍ୟା ଘଟଣାରେ ଦୋଷୀ ଏବଂ ସାର୍ବଜନୀନ ସୁରକ୍ଷାକୁ ବିପଦରେ ପକାଇବା ମାମଲା ରୁଜୁ ହୋଇଛି । ଟିଭିକେ ନେତା ତଥା ତାମିଲ ସୁପରଷ୍ଟାର ବିଜୟ ଥାଲାପତିଙ୍କ ରାଲିରେ ଏହି ଦଳାଚକଟା ହୋଇଛି । ୩୯ ଜଣ ମୃତକଙ୍କ ମଧ୍ୟରେ ୧୦ଜଣ ଛୋଟ ପିଲା, ୧୭ ମହିଳା ଅଛନ୍ତି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ତାମିଲନାଡୁ ସରକାର ନିର୍ଦ୍ଦେଶ ଦେଇଛି । ଆଜି କରୁର ଗସ୍ତ କରିବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।
ବିଜୟଙ୍କ ସଭାରେ ଆବଶ୍ୟକଠାରୁ ଅଧିକ ସଂଖ୍ୟକ ଲୋକ ଭିଡ଼ ହେବାରୁ ଏଭଳି ଅଘଟଣ ହୋଇଛି । ବିଜୟଙ୍କ ରାଲିରେ ୧୦ ହଜାର ଲୋକଙ୍କ ପାଇଁ ଅନୁମତି ମିଳିଥିଲା । ହେଲେ ପ୍ରାୟ ୫୦ ହଜାର ଲୋକ ରାଲିରେ ଯୋଗଦେଇଥିଲେ । ରାଲି ପାଇଁ ଲୋକମାନେ ଅପେକ୍ଷା କରିଥିବା ବେଳେ ବିଜୟ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ସଭାସ୍ଥଳରେ ପ୍ରାୟ ୬ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ବିଜୟ । ସଭାସ୍ଥଳରେ ଭାଷଣ ଦେଉଥିବା ବେଳେ ହୋଇଥିଲା ଦଳାଚକଟା । ଦଳାଚକଟା ଅଘଟଣ ପାଇଁ ବିଜୟ ଭାଷଣ ବନ୍ଦ କରି ସହାୟତା ପାଇଁ ଅପିଲ କରିଥିଲେ । କାର୍ଯ୍ୟକର୍ତ୍ତାଙ୍କୁ ପାଣି ଯୋଗାଇବା ସହ ଆମ୍ବୁଲାନ୍ସକୁ ବାଟ ଛାଡିବାକୁ କହିଥିଲେ ବିଜୟ । ପ୍ରାୟ ୫୦ ଜଣ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିଥିବା ବେଳେ ଉଦ୍ଧାରକାର୍ଯ୍ୟକୁ ତ୍ବରାନିତ୍ବ କରାଯାଇଛି । ଅନ୍ୟ ଜିଲ୍ଲାରୁ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ ତୁରନ୍ତ କରୁର ଆସିବାକୁ ନିର୍ଦ୍ଦେଶ ।