କନକ ବ୍ୟୁରୋ: ତାମିଲନାଡ଼ୁ ରାଜନୀତିରେ ତିଷ୍ଠି ରହିଥିବା ଆଞ୍ଚଳିକ ଦଳ ଓ ଜାତୀୟ ଦଳମାନଙ୍କ ଦବ୍ଦବା ଭିତରେ ଅଭିନେତା ବିଜୟ ନିଜର ନୂଆ ଦଳ ଟିଭିକେ ସହ ଏଥରକ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ।ଏହା ଭିତରେ ତାଙ୍କ ଜନସଭାରେ ସମର୍ଥକଙ୍କ ପ୍ରବଳ ଭିଡ଼ ଆଗକୁ ବଡ଼ ଟକ୍କର ଦେବ ବୋଲି ଅନୁମାନ କରାଗଲାଣି ।
ଆଖି ପାଉନଥିବା ଭିଡ଼, ଗଣି ହେଉନଥିବା ସମର୍ଥକ। ଏହା ହେଉଛି ବିଜୟଙ୍କ ଜନସଭା ।ଯାହାଙ୍କ ସିନେମା ଦେଖିବାକୁ ହଲରେ ଯେଉଁଭଳି ଭାବେ ଦର୍ଶକଙ୍କ ଭିଡ଼ ଲାଗୁଥିଲା ଆଜି ନିର୍ବାଚନୀ ରାଲିରେ ମଧ୍ୟ ସେମିତି ଜନସମୁଦ୍ର ଦେଖିବାକୁ ମିଳିଛି । ଦୁଇଦିନ ତଳେ ମଦୁରାଇରେ ଆୟୋଜିତ ରାଲିରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ରାଲିରେ ବିଜୟ ଏକଥା ସ୍ପଷ୍ଟ କରିଛନ୍ତି ଯେ ସେ କାହା ସହ ମେଣ୍ଟ କରିବେନି । ରାଜନୀତିରେ ଗୁଲାମଗିରି କରିବେନି। ବିଜେପି ସହ ବିଚାରଧାରାର ଲଢ଼େଇ ଓ ଡିଏମ୍କେକୁ ପ୍ରତିଦ୍ବନ୍ଦ୍ବିଭାବେ ଅଭିହିତ କରି ଏକାକୀ ଲଢ଼ିବାକୁ ଘୋଷଣା କରିଛନ୍ତି ।
ଜନସମୁଦ୍ର ପରି ଜନସମର୍ଥନ ବିଜୟଙ୍କ ମନୋବଳ ବଢ଼ାଉଥିବ କିନ୍ତୁ ତାମିଲନାଡ଼ୁ ରାଜନୀତିରେ ନୂଆ ଦଳ ଭାବେ ତିଷ୍ଠିବା ଏତେଟା ସହଜ ନୁହେଁ । ସବୁବେଳେ ରାଜ୍ୟରେ ଦୁଇଟି ମେଣ୍ଟ ଡିଏମ୍କେ ଓ ଏଆଇଡିଏମ୍କେ ମଧ୍ୟରେ ଲଢ଼େଇ ହୁଏ । କେବଳ ୨୦୨୪ ଲୋକସଭା ନିର୍ବାଚନକୁ ଛାଡ଼ିଦେଲେ ଆଉ ପ୍ରାୟ ସମସ୍ତ ନିର୍ବାଚନରେ ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକ ଏହି ଦୁଇ ମେଣ୍ଟରେ ସାମିଲ ହୋଇଛନ୍ତି ।
ଜନ ନାୟଗଣକୁ ନିଜ ଜୀବନର ଶେଷ ଚଳଚ୍ଚିତ୍ର ଭାବେ ଅବିହିତ କରି ବିଜୟ ଏବେ ରାଜନୀତିରେ ପୂରା ସମୟ ଦେଉଛନ୍ତି । ଏହା ସତ ଯେ ତାମିଲନାଡ଼ୁ ରାଜନୀତିରେ ଲୋକପ୍ରିୟ ଚଳଚ୍ଚିତ୍ର ତାରକାମାନେ ଖୁବ ସଫଳ ହୋଇଛନ୍ତି । ଯେପରିକି ଏମଜି ରାଘବେନ୍ଦ୍ରେନ ଓ ଜୟଲଲିତା । ଏହା ସହ ତାଳ ଦେଇ ବହୁ ଚଳଚ୍ଚିତ୍ର ତାରକା ତଥା କମଲ ହାସନ, ରଜନୀକାନ୍ତ ରାଜନୀତିରେ ଏତେଟା ସଫଳ ହୋଇନାହାଁନ୍ତି । ତେବେ ବିଜୟଙ୍କ ରାଜନୀତି ଯାତ୍ରାର ସଫଳତା ଆଗାମୀ ଦିନର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ନିର୍ଭର କରୁଛି । ତାରକା ରାଜନୀତି କରିବେ ନା ପୁଣି ଫିଲ୍ମ ଦୁନିଆକୁ ଫେରିବେ ସମୟ ହିଁ କହିବ ।