କନକ ବ୍ୟୁରୋ: ସଂଖ୍ୟା ନାହିଁ କିନ୍ତୁ ସରକାର ଗଢିବାକୁ ବିଜେଡି ଆଗ୍ରହୀ। ଆବଶ୍ୟକ ପଡିଲେ କଂଗ୍ରେସର ହାତ ଧରିବାକୁ ପ୍ରସ୍ତୁତ ବୋଲି ବିଜେଡି ନେତା ଖୁଲମଖୁଲ୍ଲା କହିଲେଣି। ଅନ୍ୟପଟେ ବିଜେଡିର ଆୟୁଷ ସରି ଆସୁଥବା ବେଳେ ବିଜେପି ଆଗାମୀ ୨୫ ବର୍ଷ ସରକାରରେ ରହିବ ବୋଲି କହିଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର।

  • ନେତା ଖେଳୁଛନ୍ତି ମାଇଣ୍ଡଗେମ
  • ପ୍ରତିଦିନ ବଦଳୁଛି ରାଜନୀତିର ମିଶାଣ ଫେଡାଣ 
Advertisment

୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଠନ ପଛର ସୂତ୍ରଧର ସାଜିଥିବା ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ବୟାନ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିବାକୁ ଖୋରାକ ଯୋଗାଇଛି। ପ୍ରଭାରୀଙ୍କ ବୟାନକୁ ଆହୁରି ପ୍ରଭାବୀ କରିଛି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ବିଜେଡିକୁ ମାରିଥିବା ବାଣ। ବିଜୟଙ୍କ ବିଜେଡି ଶେଷ ହୋଇଯିବା ବୟାନର ଦୁଇ ପାଦ ଆଗକୁ ଯାଇ ଜୟନାରାୟଣ କହିଛନ୍ତି, ବିଜେଡି ଏବେ ସାଲାଇନ ଓ ଆଇସିୟୁରେ ଅଛି। ବିଜେଡିର ଆୟୁଷ ବହୁତ କମ।

ବିଜେଡି ଶେଷ ହୋଇଯିବ ବୋଲି ବିଜେପି ନେତା ଦମ୍ଭୋକ୍ତି ବାଢୁଛନ୍ତି। କିନ୍ତୁ ଅନ୍ୟପଟେ କଂଗ୍ରେସ ସହ ମିଶି ସରକାର ଗଢିବାକୁ ମୋହର ମାରିଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ। ଦଳର କିଛି ବରିଷ୍ଠ ନେତା ମଧ୍ୟ ପୂର୍ବରୁ ଏନେଇ ସଙ୍କେତ ଦେଇଛନ୍ତି।  କିନ୍ତୁ ପ୍ରଶ୍ନ ଉଠୁଛି...

  • କଂଗ୍ରେସ ସହ ସରକାର ଗଠନ କରିବାକୁ କହି ନବୀନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଛନ୍ତି କି ଦଳୀୟ ନେତା?
  • ପୂର୍ବରୁ କଂଗ୍ରେସ ସହ ଯିବନି ବୋଲି ମନା କରିଥିଲେ ନବୀନ
  • ବିଜେଡିର ପରାଜୟ ପରେ ମନ ପରିବର୍ତ୍ତନ କରିଛନ୍ତି କି ନବୀନ?
  • କଂଗ୍ରେସ ସହ ଆଗକୁ ବଢିବାକୁ ନିଜେ ନକହି ଦଳୀୟ ନେତାଙ୍କ ଦ୍ବାରା କୁହାଉଛନ୍ତି କି ବିଜେଡି ସୁପ୍ରିମୋ?

ଅନ୍ୟପଟେ ବିଜେପିର ଆଇସିୟୁ ଉପାଖ୍ୟାନକୁ ନେଇ ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ୪ ମାସରେ କିଏ ଆଇସିୟୁକୁ ଯାଇଛି ତାହା ଓଡ଼ିଶାର ଲୋକ ଦେଖିଛନ୍ତି। ସମୟ କହିବ ଆଗକୁ କଣ ହେବ। ଯାହାର ଜବାବ ରଖି କେନ୍ଦ୍ରମନ୍ତ୍ରୀ ଜୁଏଲ କହିଛନ୍ତି, ଦିବା ସ୍ବପ୍ନ ଦେଖୁଛି ବିଜେଡି। 

ସୂଚନାଯୋଗ୍ୟ ଯେ, ବିଜେପି-ବିଜେଡି ଛକାପଞ୍ଝା ଭିତରେ କ୍ଷମତା ପାଇଁ ବିଜେଡିର ଆଭିମୁଖ୍ୟକୁ ନେଇ ଉଠିଛି ପ୍ରଶ୍ନ। ସଂଖ୍ୟା ନଥାଇ ମଧ୍ୟ କଂଗ୍ରେସ ସହଯୋଗରେ ସରକାର ଗଢିବାକୁ ଦମ୍ଭ ଦେଖାଇବା ତୃଣମୂଳସ୍ତରରେ ବିଜେଡି କର୍ମୀଙ୍କୁ ଦୋଛକିରେ ଛିଡା କରିଛି।