କନକବ୍ୟୁରୋ : ସୟଦ ମୁସ୍ତାକ ଅଲ୍ଲୀ ପରେ ଏବେ ଜାରି ରହିଛି ବିଜୟ ହଜାରେ ଟ୍ରଫି । ଗତକାଲିର ମ୍ୟାଚରେ ଓଡିଶା ମଣିପୁରକୁ ୯ ଓ୍ବିକେଟରେ ପରାସ୍ତ କରିଛି । ଆଉ ଏହି ମ୍ୟାଚରେ ଓଡିଶା ପକ୍ଷରୁ ଡେବ୍ୟୁ କରିଥିବା ତାପସ ଦାସଙ୍କ କମାଲ ଦେଖିବାକୁ ମିଳିଛି । ତାପସ ନିଜର ପ୍ରଥମ ମ୍ୟାଚରେ ମଣିପୁର ବିପକ୍ଷରେ ୪ ଓ୍ବିକେଟ ହାସଲ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ଏହି ମ୍ୟାଚରେ ମଣିପୁର ପ୍ରଥମେ ବ୍ୟାଟିଂ କରିଥିଲା । ହେଲେ ଓଡିଶା ବୋଲରଙ୍କୁ ସାମ୍ନା କରିପାରିନଥିଲେ ମଣିପୁର ବ୍ୟାଟର। ତାପସ ଓ ରାଜେଶଙ୍କ ଦୁର୍ଦ୍ଦଶ ବୋଲିଂରେ ଧରାଶାୟୀ ହୋଇଯାଇଥିଲା ମଣିପୁର । ଦଳ ପକ୍ଷରୁ ରାଜେଶ ମହାନ୍ତି ୧୪ ରନ ଦେଇ ୩ ଓ୍ବିକେଟ ନେଇଥିବା ବେଳେ ତାପସ ଦାସ ୧୭ ରନ ଦେଇ ୪ ଓ୍ବିକେଟ ହାସଲ କରିଥିଲେ । ମଣିପୁର ୪୦ ଓଭର ଖେଳି ମାତ୍ର ୧୦୦ ରନ କରିବାରେ ସଫଳ ହୋଇ ପାରିଥିଲା ।
୧୦୧ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଓଡିଶା ଦଳ ୨୦ ଓଭରରେ ୧ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଦଳ ପକ୍ଷରୁ ସ୍ବସ୍ତିକ ସାସମଲ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ମ୍ୟାଚରେ ତାପସ ଦାସ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ତେବେ ଡେବ୍ୟୁ ମ୍ୟାଚରେ ଏଭଳି ପ୍ରଦର୍ଶନ ପରେ ଏବେ ତାପସଙ୍କ ଉପରେ ନଜର ରହିଛି ।
ଓଡିଶା ଏହି ଟୁର୍ଣ୍ଣାମେଣ୍ଟରେ ଏବେ ଯାଏଁ ୪ମ୍ୟାଚ ଖେଳି ସାରିଛି । ୨ଟିରେ ପରାଜୟ ଲାଭ କରିଥିବା ବେଳେ ୨ଟି ମ୍ୟାଚରେ ବିଜୟୀ ହୋଇଛି ଦଳ ।