କନକ ବ୍ୟୁରୋ : ଭାରତରେ ହେବ ଜାତି ଭିତ୍ତିକ ଜନଗଣନା । କେନ୍ଦ୍ର ସରକାର ଏନେଇ ସୂଚନା ଦେବା ପରେ ସବୁଠି ଚର୍ଚ୍ଚା । ଏହି ନିଷ୍ପତ୍ତିକୁ ରାଜନୈତିକ ଦଳ ସମର୍ଥନ ଜଣାଉଥିବାବେଳେ, ଶ୍ରେୟ ନେବାକୁ ସମସ୍ତ ଆଗଭର କିନ୍ତୁ ଏହାରି ଭିତରେ ଭାରତର ସଂଖ୍ୟାଲଘୁଙ୍କ ଜାତିଭିତ୍ତିକ ପ୍ରସଙ୍ଗ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।
ସାମାଜୀକ ନ୍ୟାୟ ଓ ସମାନତା ପାଇଁ ଜାତିଭିତ୍ତିତ ଜନଗଣନା ଆବଶ୍ୟକ ରାଜନୈତିକ ଦଳ କହୁଛନ୍ତି । ଏହାକୁ ନେଇ ଶ୍ରେୟ ରାଜନୀତି ବି ଆରମ୍ଭ ହୋଇଛି । ହିନ୍ଦୁ ଧର୍ମର ଜାତି ବିଷୟରେ ଅନେକ ଜାଣିଥିବାବେଳେ, ଜନଗଣନା ସମସ୍ୟା ହୋଇନପାରେ, କିନ୍ତୁ ସଂଖ୍ୟାଲଘୁଙ୍କ କ୍ଷେତ୍ରରେ କେମିତି ହେବ ଜନଗଣନା? ତାହା ସମସ୍ୟା ସୃଷ୍ଟି କରିଛି । କାରଣ ଦେଶରେ ଏଭଳି ଅନେକ ଧର୍ମ ରହିଛି, ଯେଉଁ ଧର୍ମରେ ଜାତି ଶବ୍ଦ ନାହିଁ । ଏହାକୁ ବୁଝିବା ପାଇଁ ଆମେ ୪ଟି ସଂଖ୍ୟାଲଘୁ ସମ୍ପ୍ରଦାୟ ସମ୍ପର୍କରେ ବୁଝିବାକୁ ଚେଷ୍ଟା କରିଥିଲୁ ।
ଓଡ଼ିଶା ସମେତ ଭାରତର ବିଭିନ୍ନ ପ୍ରାନ୍ତରେ ରହିଛନ୍ତି ଲକ୍ଷାଧିକ ଇସଲାମ ଧର୍ମାବଲମ୍ବୀ । କୋରାନକୁ ପଢିଥିବା ଆଉ ଏହାକୁ ବୁଝିଥିବା ମୁସଲମାନ କହନ୍ତି, କୋରାନରେ ଜାତି କଥା ନାହିଁ । କିନ୍ତୁ କାଳକ୍ରମେ ଇସଲାମରେ ଭିନ୍ନ ଭିନ୍ନ ଜାତି ସୃଷ୍ଟି ହୋଇଛି । ଅନେକ ନିଜକୁ ସାଧାରଣ ବର୍ଗ କହନ୍ତି ତ ଅନେକ କହନ୍ତି ଆମର ଜାତି ବୋଲି କିଛି ନାହିଁ । ଠିକ୍ ସେହିପରି ଖ୍ରୀଷ୍ଟ ଧର୍ମାବଲମ୍ବୀ କହନ୍ତି ବାଇବେଲରେ କୌଣସି ଜାତି ସମ୍ପର୍କରେ ଲେଖାଯାଇ ନାହିଁ । କିନ୍ତୁ ହିନ୍ଦୁ ଆଦିବାସୀରୁ ଖ୍ରୀଷ୍ଟଧର୍ମକୁ ଆପଣାଇଥିବା ଲୋକେ ନିଜକୁ ଆଦିବାସୀ କହୁଥିବାବେଳେ, ଅନୁସୂସୁଚିତ ଜାତି ନିଜକୁ ସାଧାରଣବର୍ଗ ବୋଲି କହୁଛନ୍ତି ।
ଜାତି ବିରୋଧରେ ସ୍ୱର ଉଠାଇଥିଲେ ଗୌତମ ବୁଦ୍ଧ ଆଉ ଏହାପରେ ଆରମ୍ଭ ହେଲା ବୁଦ୍ଧ ଧର୍ମ । ବୁଦ୍ଧ ଧର୍ମରେ ଥିବା ବୌଦ୍ଧଭିକ୍ଷୁ ହୁଅନ୍ତୁ ବା ବୌଦ୍ଧ ଉପାସକ କୁହନ୍ତି, ତାଙ୍କର ଜାତି ନାହିଁ । ସେହିପରି ଶିଖ୍ ଧର୍ମାବଲମ୍ବୀ କୁହନ୍ତି 'ଆମ ଧର୍ମରେ ଉଚ୍ଚନୀଚ ବୋଲି କିଛି ନାହିଁ'।
ଖୁବଶୀଘ୍ର ଦେଶରେ ଜାତିଭିତ୍ତିକ ଜଣଗଣନା ହେବାକୁ ଯାଉଛି । ଜାତି ଜନଗଣନା ହେଲେ ଅନେକ ପଛୁଆବର୍ଗ ସରକାରୀ ସୁବିଧା ପାଇବେ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି । କିନ୍ତୁ ଯେଉଁ ଧର୍ମରେ ଜାତି ପ୍ରଥା ନାହିଁ, ସେହି ଧର୍ମରେ କିଭଳି ହେବ ଜାତିଭିତ୍ତିକ ଜଣଗଣନା ? ସେନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।