କନକ ବ୍ୟୁରୋ: ସୁନ୍ଦରଗଡ଼ ଖଣି ଚୋରିର ସତ ବାହାର କରିବ ଭିଜିଲାନ୍ସ । କଳାହୀରା ଚୋରିର ଖୋଳତାଡ଼ ପାଇଁ ଆଜି ଭିଜିଲାନ୍ସ ଟିମ୍ ସୁନ୍ଦରଗଡ଼ ଯାଇପାରେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୋଇଲା ମାଙ୍ଗାନିଜ ଲୁଟର ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେବା ପରେ ଆଠ ଜଣିଆ ଏସଆଇଟି ଗଠନ ହୋଇଛି । ସୁନ୍ଦରଗଡ଼ ଯାଇ ପ୍ରଥମେ କାଗଜପତ୍ର ଯାଞ୍ଚ କରିବ ଏସଆଇଟି । ଏହାପରେ ଫିଲ୍ଡକୁ ଯାଇ ଯାଞ୍ଚ କରିବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ଖଣି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଖଣି ଚୋରଙ୍କ ମଧ୍ୟରେ ଛନକା ପଶିଛି । ସୁନ୍ଦରଗଡ଼ରେ ଖଣି ଚୋରିର ପର୍ଦ୍ଦାଫାସ କରିଥିଲା କନକ ନ୍ୟୁଜ । ଲଗାତାର ଦେଢ଼ମାସ ଧରି ଖଣିଜ ଲୁଟ ନେଇ କନକ ନ୍ୟୁଜ ଖବର ପ୍ରସାରଣ କରିଥିଲା । କୋଇଡ଼ା ଓ ହେମଗିରିରେ ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କାର ଖଣିଜ ଚୋରି ଚାଲିଥିଲା। ହେମଗିରି ତହସିଲରେ ଶହେରୁ ଅଧିକ ଖଣିରେ ବେଆଇନ ଭାବେ ଲକ୍ଷ ଲକ୍ଷ ଟନ୍ କୋଇଲା ଉତ୍ତୋଳନ କରାଯାଇଥିବା ଖବର କନକ ନ୍ୟୁଜ ଦେଖାଇଥିଲା ।
ହେମଗିରିର ଜାମଖାନି ସଂରକ୍ଷିତ ଜଙ୍ଗଲ ଏବଂ ଭୋଗରାକଚର ଗାଁରେ ବେଆଇନ ଭାବେ କୋଇଲା ଗଚ୍ଛିତ ଥିଲା ଯାହାର ପର୍ଦ୍ଦାଫାସ କରିଥିଲା କନକ ନ୍ୟୁଜ । କୋଇଡ଼ାରୁ ବି ମାଙ୍ଗାନିଜ ଓ ଲୁହାପଥର ଚୋରିର ପର୍ଦ୍ଦାଫାସ ହୋଇଥିଲା । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତତ୍ପରତା ଦେଖାଇଥିଲା ଜିଲ୍ଲା ପ୍ରଶାସନ । ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଚଢ଼ାଉ ହେଲା, ଗଚ୍ଛିତ ଖଣିଜକୁ ଜବତ କରାଗଲା । ଏହାପରେ ଖଣି ବିଭାଗ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଖଣି ଲୁଟ ଅଞ୍ଚଳ ବୁଲି ରିପୋର୍ଟ ସଂଗ୍ରହ କରିବା ପରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଖଣିଜ ଲୁଟ ପଛରେ ଯେକେହି ଥାଉନା କାହିଁକି, ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି ।
ଖଣି ଚୋରଙ୍କୁ ଧରିବ ଭିଜିଲାନ୍ସ
କୋଇଡ଼ା ଓ ହେମଗିରିରେ ହଜାର ହଜାର କୋଟି ଟଙ୍କାର ଖଣିଜ ଚୋରି
ହେମଗିରିର ତେଲେନଡ଼ିହି, ରତନସରା ଓ ଭୋଗରାକଚ୍ଛାର ଖାଦାନର ଲୁଟ୍
ବେଆଇନ ଭାବେ ଖଣି ଖନନ କରି କୋଇଲା ଓ ମାଙ୍ଗାନିଜ ଚୋରି
ଆର୍ଯ୍ୟନ କୋଲ ୱାସେରିରେ ବେଆଇନ ଭାବେ ଗଚ୍ଛିତ କୋଇଲା ଜବତ
କୋଇଡାର ଓ.ଏମ୍.ଏମ ପାଟମୁଣ୍ଡା ମାଙ୍ଗାନିଜ ଖଣି ବନ୍ଦ ସତ୍ତ୍ୱେ ବେଆଇନ ଉତ୍ତୋଳନ
ବଣାଇ ମୂସାପୋଷ ଜଙ୍ଗଲରୁ ହଜାର ହଜାର ଟନ୍ କୋଇଲା ଲୁଟ୍
ଜଙ୍ଗଲ ଭିତରେ ଖଣି ଖୋଳି ହଜାର ହଜାର ଟନ୍ କୋଇଲା ଚୋରା ଚାଲାଣ
ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନର ଚଢ଼ାଉ
ଗ୍ରାଉଣ୍ଡ ଜିରୋରେ ଖଣିଜ ଲୁଟର ତଦନ୍ତ କଲେ ଖଣି ବିଭାଗ ଅଧିକାରୀ
ଡ୍ରୋନ ଜରିଆରେ ଖଣିଜ ଲୁଟ ଅଞ୍ଚଳର ସର୍ଭେ କଲା ବିଭାଗ
ଖଣି ଲୁଟ ଅଞ୍ଚଳ ବୁଲି ଖଣି ମନ୍ତ୍ରୀ ଓ ଜଙ୍ଗଲ ମନ୍ତ୍ରୀଙ୍କ ରିପୋର୍ଟ ସଂଗ୍ରହ
ମୁଖ୍ୟମନ୍ତ୍ରୀଙ୍କ ସହ ଖଣିଜ ଲୁଟ ନେଇ ଆଲୋଚନା କଲେ ଖଣି ମନ୍ତ୍ରୀ
ଖଣି ଦୁର୍ନୀତିର ପର୍ଦ୍ଦାଫାସ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଖଣି ଦୁର୍ନୀତିର ତଦନ୍ତ ପାଇଁ ୮ ଜଣିଆ ଏସଆଇଟି ଗଠନ କଲା ଭିଜିଲାନ୍ସ