କନକ ବ୍ୟୁରୋ: ଗିରଫ ହୋଇଥିବା ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ସମ୍ପତ୍ତି ଆୟଠାରୁ ୫ ଶହ ଗୁଣା ଅଧିକ । ଏହି ଟଙ୍କା କାହାର ତାହା ଏବେ ବଡ଼ ପ୍ରଶ୍ନ। ଏହି ସବୁ ଟଙ୍କା ଆସିଲା କେଉଁଠୁ? କେଉଁ ଉପାୟରେ ବାବୁ ଜଣଙ୍କ ଏତେ ଟଙ୍କା ଠୁଳ କଲେ ଏସବୁକୁ ନେଇ ପ୍ରଶ୍ନ । 

ମାଇନିଙ୍ଗ ଡେପୁଟି ଡାଇରେକ୍ଟର ଧରଣୀଧର ନାୟକ ଗିରଫ ହେବା ପରେ ତାଙ୍କ ସମ୍ପତ୍ତି ଆୟଠୁ ୫୦୦ ଗୁଣ ଅଧିକ ବୋଲି ଭିଜିଲାନ୍ସ କହିଛି। ଏତେ ପରିମାଣର ସମ୍ପତ୍ତି କେମିତି ଅର୍ଜନ କଲେ ଭିଜିଲାନ୍ସ ପଚାରିଥିଲା। କିନ୍ତୁ ଧରଣୀଧର ନାୟକ ଏ ନେଇ ସ୍ପଷ୍ଟୀକରଣ ରଖିପାରିନଥିବା ଜଣାପଡିଛି। ଏବେ କୋର୍ଟରେ ଧରଣୀଧରଙ୍କୁ ଭିଜିଲାନ୍ସ ହାଜର କରିବ। ପରେ ରିମାଣ୍ଡରେ ନେଇ ଅଧିକ ଖୋଳତାଡ କରିବ। ୨ଟି ବିଲ୍ଡିଂ , ପ୍ରାୟ ୧.୩୦ କୋଟି ଟଙ୍କା ମୂଲ୍ୟର ଗୋଟିଏ ୩-ବିଏଚକେ ଫ୍ଲାଟ ଏବଂ ଭୁବନେଶ୍ୱରରେ ୧୮୦୦ ବର୍ଗଫୁଟ ଅଞ୍ଚଳର ଗୋଟିଏ ଡୁପ୍ଲେକ୍ସ ରହିଛି। ସେହିପରି ୧୯ଟି ଦୋକାନ ଥିବା ୨ଟି ମାର୍କେଟ କମ୍ପ୍ଲେକ୍ସ, ୧୧ଟି ପ୍ଲଟ୍, ୫୩ ଲକ୍ଷ ଟଙ୍କା ଜମା ରାଶି ରହିଛି । ଘରକରଣା ଜିନିଷର ମୂଲ୍ୟ ୫୪.୭୦ ଲକ୍ଷ ଟଙ୍କା ରହିଛି। ନଗଦ ୯.୮୫ ଲକ୍ଷ ଟଙ୍କାରୁ ଅଧିକ ଜବତ ହୋଇଥିବା ବେଳେ ଗୋଟିଏ ଚାରି ଚକିଆ ଓ ୨ଟି ଦୁଇ ଚକିଆ ଯାନ ଇତ୍ୟାଦି ରହିଛି।