କନକ ବ୍ୟୁରୋ: ବାବୁଙ୍କ ଘରେ ପୁଳା ପୁଳା ଟଙ୍କା । ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ମିଳିଲା ନଗଦ ଦେଢ କୋଟି । ଅଧ କେଜିର ସୁନା, କେଜିଏରୁ ଅଧିକ ରୁପା ମିଳିଲାଣି ଡେପୁଟି ରେଞ୍ଜରଙ୍କ ଘରୁ । ୬ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ । ଜୟପୁରର ପୈତୃକ ଘର, ଆପାର୍ଟମେଂଟରେ ଥିବା ୨ଟି ଫ୍ଲାଟ, ସମ୍ବାର ଟୋଟାରେ ଥିବା ଶ୍ବଶୁର ଘର, ଭୁବନେଶ୍ବରରେ ଥିବା ଭାଇ ଘର ସମେତ ତାଙ୍କ ଅଫିସରେ ରେଡ୍ କରିଛନ୍ତି ଅଧିକାରୀ । ଚଢାଉରେ ଭିଜିଲାନ୍ସର ୬ଡିଏସପି, ୫ଇନ୍ସପେକ୍ଟର, ୯ଏଏସଆଇ ଏବଂ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି । ଚଢାଉ ଜାରି ରହିଥିବା ବେଳେ ଏଯାବତ୍ ଭିଜିଲାନ୍ସ ସାଢେ ୩ଲକ୍ଷ ନଗଦ ଟଙ୍କା ଜବତ କରିଛି ।
ବର୍ତ୍ତମାନ ଜଣଙ୍କ ପରେ ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ସ୍କାନରକୁ ଆସୁଛନ୍ତି । ଗତ ଜୁଲାଇ ୨୩ ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । BMC ଅଫିସ୍ ସମେତ ଭୁବନେଶ୍ୱର ଘରେ ଚଢ଼ାଉ ଜାରି । ଭୁବନେଶ୍ୱର, ଖୋର୍ଦ୍ଧା ଓ ରାୟଗଡ଼ାରେ ଚାଲିଥିଲା ଚଢ଼ାଉ । ବଡ଼ଗଡ଼ ବ୍ରିଟ୍ କଲୋନିରେ ଥିବା ଘରେ ମଧ୍ୟ ଚଢ଼ାଉ । ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ଙ୍କ ନିର୍ଦ୍ଦେଶକ୍ରମେ ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ୍ ଆଧାରରେ ଜଗନ୍ନାଥ ପଟ୍ଟନାୟକଙ୍କ ସମ୍ପର୍କୀୟ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି । ଭିଜିଲାନ୍ସର ୬ ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ ଚାଲିଛି ।
ସେହିଭଳି ଗତ ଜୁଲାଇ ୨୨ ତାରିଖରେ ବି ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଥିଲେ । କେନ୍ଦ୍ରାପଡ଼ାର କୁବେର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କୁ ବାନ୍ଧିଥିଲା ଭିଜିଲାନ୍ସ । ଦୁଇ ଦିନର ଚଢ଼ାଉ ପରେ ଆଜି ଡିଏଫଓଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ତାଙ୍କର ଅନୁଗୁଳରେ ୯ ହଜାର ବର୍ଗଫୁଟ ବିଶିଷ୍ଟ ବହୁ ମହଲା କୋଠା, ଅନୁଗୁଳ ଛେଣ୍ଡିପଦାରେ ଏକ ବିଶାଳ ଫାର୍ମ ହାଉସ, ୧୧୫ ପ୍ଳଟ୍, ୨୦୦ ଗ୍ରାମ ସୁନା, ୧୦ ଲକ୍ଷ ୨୫ ହଜାର ଟଙ୍କାର ନଗଦ ଟଙ୍କା, ୫୦ ଲକ୍ଷ ୩୮ ହଜାର ଟଙ୍କା ବ୍ୟାଙ୍କ ଜମା, ୨ଟି କାର ଆଦି ସମ୍ପତ୍ତି ଠାବ ହୋଇଥିଲା । କାଲିଠାରୁ କେନ୍ଦୁଝର ରେ ଡିଏଫଓ ନିତ୍ୟାନନ୍ଦ ନାଏକଙ୍କ ସରକାରୀ ବାସଭବନ ଓ ଅଫିସରେ ଭିଜିଲାନ୍ସ ଚଢାଉ କରିଥିଲା । ତେବେ ବାବୁଙ୍କ ସରକାରୀ ବାସଭବନରୁ ନଗଦ ୮ ଲକ୍ଷ ୫୦ହଜାର ଟଙ୍କା ସହ ଏକ ବନ୍ଧୁକ ଜବତ କରାଯାଇଥିଲା ।
Follow Us