କନକ ବ୍ୟୁରୋ: ଯନ୍ତ୍ରୀଙ୍କ ଜମିଦାର ହେବାର ନିଶା  । ଠାବ ହେଲା ୨୮ ପ୍ଲଟ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ବୈତରଣୀ ବେସିନର ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର କୈଳାସଚନ୍ଦ୍ର ସାହୁଙ୍କର ଭୁବନେଶ୍ୱର ସ୍ଥିତ ଘର ସମେତ ୧୦ଟି ଠିକଣାରେ ଚଢ଼ାଉ କରିଛି ଭିଜଲାନ୍ସ । ଚଢାଉ ବେଳେ ଜଣାପଡିଛି  କୈଳାସ ଚନ୍ଦ୍ର ସାହୁଙ୍କର ୨୮ଟି ପ୍ଲଟ ଅଛି । ସେଥିରୁ ୨୩ଟି କେବଳ ଯାଜପୁର ଜିଲ୍ଲାରେ ଥିବା ବେଳେ ୪ଟି ଖୋର୍ଦ୍ଧା ଓ ଗୋଟିଏ କଟକ ଜିଲ୍ଲାରେ ଅଛି।  ଏହାଛଡା ଏକ ତିନି ମହଲା ଘର ସହିତ ତାଙ୍କର ୩ଟି ଫ୍ଲାଟ ମଧ୍ୟ ଅଛି । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲର ମୃତ୍ୟୁଞ୍ଜୟପୁର ମୌଜାରେ କୈଳାସ ଚନ୍ଦ୍ର ସାହୁଙ୍କର ଏକ ତିନି ମହଲା ବିଶିଷ୍ଟ ଆବାସିକ କୋଠା ଅଛି, ଯାହା ନିର୍ମାଣାଧୀନ ରହିଛି । ଭୁବନେଶ୍ୱରର ଭୋଇ ନଗରରେ ଏକ ଆପାର୍ଟମେଣ୍ଟରେ ତାଙ୍କର ଏକ ଫ୍ଲାଟ୍ ଅଛି । ସେହିଭଳି ପୁରୀ ଓ ଯାଜପୁରରେ ତାଙ୍କର ଗୋଟିଏ ଲେଖାଏଁ ଫ୍ଲାଟ ଅଛି । ଯାଜପୁରର ବ୍ୟାସନଗରରେ ଏକ ଆପାର୍ଟମେଣ୍ଟରେ ତାଙ୍କର ଏକ ଦୋକାନ ଘର ଅଛି । ଏହି ସମସ୍ତ ପ୍ଲଟ୍, ଫ୍ଲାଟ ଓ ନିର୍ମାଣାଧୀନ ଘରର ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଟିମ୍ ମାପଚୁପ ଓ ହିସାବକିତାବ ଜାରି ରଖିଛି । ପ୍ଲଟ ଓ ଫ୍ଲାଟ ବ୍ୟତୀତ ତାଙ୍କର ୮୨ ଲକ୍ଷ ୮୦ ହଜାର ୫୮ ଟଙ୍କାର ବ୍ୟାଙ୍କ ଜମା ଅଛି ।