କନକ ବ୍ୟୁରୋ : କି’ବୋର୍ଡ ବାଡ଼େଇ ବାଡ଼େଇ ଅଫିସରଙ୍କ ହାତ ବିନ୍ଧିଲାଣି। ପଚାରି ପଚାରି ତଣ୍ଟି ଶୁଖିଗଲାଣି। ସମ୍ପତ୍ତି ଜଳ ଜଳ ହୋଇ ଦିଶୁଛି ହେଲେ ବାବୁଙ୍କ ମୁହଁ ଖୋଲୁନି। କ୍ୟାମେରା ଦେଖି ବେଡ୍‌ ରୁମ୍ ବତୀକୁ ବନ୍ଦ କରି କବାଟ କିଳି ଦେଉଛନ୍ତି ସମ୍ପର୍କୀୟ । ଏ ହେଉଛି କୋଟିପତି କୁବେର ଇଞ୍ଜିନିୟର ଅଶୋକ ପଣ୍ଡାଙ୍କ ଘରର ଚିତ୍ର। କେବେ ବି ବିଶ୍ୱାସ କରି ହେବନି ଏ ଜଣେ ଆର୍ ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀଙ୍କ ଘର ବୋଲି। ଘରଦ୍ୱାର ଚାରିଆଡ଼େ ଠାକୁରଙ୍କ ମୂର୍ତ୍ତି, ସେଣ୍ଟ୍ରାଲ ଏସି। କପବୋର୍ଡରେ ରହିଛି ଇମ୍ପୋଟେଡ୍ ସାମଗ୍ରୀ । କାନ୍ଥ ସାରା ୱାଲ-ପେପର । ଟିଭି ପାନେଲ ସାଙ୍ଗକୁ ମ୍ୟାଚିଙ୍ଗ ସିଲିଂ। ବାବୁଆଣୀଙ୍କ ପାଇଁ ରାଡୋ ଘଣ୍ଟା, ବାବୁଙ୍କ ସଉକ ଫିଲ୍ମଷ୍ଟାରଙ୍କୁ ବି ପଛରେ ପକାଇ ଦେବ। ପିନ୍ଧୁଥିଲେ ଟ୍ୟାଗ-ହ୍ୟୁୟର, ମୋଣ୍ଟ ବ୍ଲାଙ୍କ, ଟମି ସାଙ୍ଗକୁ ରେ-ବ୍ୟାନ ଚଷମା। 

ଗ୍ୟାଲେରିଆରେ ବ୍ଲାକବେରି ସୋରୁମ୍ : ସିମ୍ଫୋନିରେ ଥିଲା କ୍ରୋକଡାଇଲ୍‌ ଷ୍ଟୋର୍‌ 

Advertisment

ସୋ-ରୁମରେ ଅଫର ଲାଗିଥିଲା ବାଏ ୱାନ୍ ଗେଟ୍ ୱାନ୍ ଫ୍ରି। ଗତକାଲି ସହକାରୀ ଯନ୍ତ୍ରୀ ରାଜା କିଶୋର ଜେନା ବନ୍ଧା ହେବା ପରେ ଭିଜିଲାନ୍ସକୁ ମିଳିଗଲେ ଅଶୋକ ଫ୍ରୀ। ରାଜାଙ୍କ ସମ୍ପତ୍ତି ଘାଣ୍ଟୁ ଘାଣ୍ଟୁ, ସ୍କାନରକୁ ଆସିଥିଲେ ଅଶୋକ । ଗୋଟିଏ ଜାଗାରେ କାମ କରୁଥିଲେ ଆଉ ସବୁକିଛି ମିଳିମିଶି ଖାଉଥିଲେ। ଏକାଠି ସପିଂ ମଲରେ ଦୋକାନ ଘର ବି କିଣିଥିଲେ। ଅଶୋକଙ୍କର ଭୁବନେଶ୍ୱରର କେବଳ କସମୋପଲିସ୍ ଫ୍ଲାଟ୍ ନୁହେଁ । ଉତ୍କଳ କନିକା ଗ୍ୟାଲେରିଆରେ ଦୁଇଟି ସପିଂ ଷ୍ଟୋର୍‌, ସିମ୍ଫୋନି ମଲ୍‌ରେ ଗୋଟିଏ ସପିଂ ଷ୍ଟୋର, ସୋମନାଥ ନଗରରେ ଥିବା ୪ ମହଲା ପ୍ରାସାଦ, ଡୁମ୍‌ଡୁମାରେ ୩ ମହଲା ଘର, ୧୭ ଲକ୍ଷର ପୋଷ୍ଟାଲ ଡିପୋଜିଟ୍ ଆଉ ଭୋକ୍ସୱାଗନ କାର୍ । 

ଭିଜିଲାନ୍ସ ରେଡ୍ ଏବେ ଦୁର୍ନୀତି ଖୋରଙ୍କ ଛାତି ଧଡ୍ ଧଡ୍ କଲାଣି । ଟଙ୍କା ଦେଖି ମୁହଁ ବଙ୍କା କରି ଦେଉଥିବା ସରକାରୀ ଅଫିସର ଏବେ ନିଜ ଧନ ସମ୍ପତ୍ତି ସବୁ ବେନାମୀ କରିବାର ପ୍ରକ୍ରିୟା ଆରମ୍ଭ କଲେଣି । ହେଲେ ଏ ବାବଦରେ କିନ୍ତୁ ତଥ୍ୟ ପାଇଛି ଭିଜିଲାନ୍ସ ଟିମ୍ ।