CMO Photograph: (KANAK NEWS)
କନକ ବ୍ୟୁରୋ : ରାଜ୍ୟରେ ଦୁର୍ନୀତି ବିରୋଧରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦୁର୍ନୀତିଖୋର ସରକାରୀ ବାବୁଙ୍କ ଅଣ୍ଟା ଭାଙ୍ଗୁଛି ଭିଜିଲାନ୍ସ । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ଭିଜିଲାନ୍ସର ସଫଳତା ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ଗତ ଦେଢ ବର୍ଷ ମଧ୍ୟରେ ରାଜ୍ୟରେ ୨୦ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଯେଉଁମାନଙ୍କ ଉପରେ ଆଇନ ଶୃଙ୍ଖଳା ରକ୍ଷା କରିବାର ଦାୟିତ୍ୱ ରହିଛି, ସେମାନଙ୍କ ମଧ୍ୟରୁ କିଛି ଲାଞ୍ଚୁଆ ଅଧିକାରୀ ଦୁର୍ନୀତିରେ ଲିପ୍ତ ରହିବା ଚିନ୍ତାର ବିଷୟ ପାଲଟିଛି । କେବଳ ପୁଲିସ ନୁହେଁ, ଅନ୍ୟାନ୍ୟ ବିଭାଗର ସରକାରୀ କର୍ମଚାରୀମାନେ ମଧ୍ୟ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଗତ ଦେଢ଼ ବର୍ଷ ଭିତରେ ମୋଟ ୨୭୧ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ବିଭିନ୍ନ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି । ସବୁଠାରୁ ବଡ଼ କଥା ହେଲା, ଦୁର୍ନୀତିର ପ୍ରମାଣ ମିଳିବା ପରେ ୧୭୪ ଜଣ ସରକାରୀ କର୍ମଚାରୀ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ--ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା: ବିଧାନସଭାରେ ନିଜେ ତଥ୍ୟ ଦେଲେ ମୁଖ୍ୟମନ୍ତ୍ରୀ
ଦୁର୍ନୀତି ବିରୋଧରେ ‘ଜିରୋ ଟଲରାନ୍ସ’ ନୀତି ଅବଲମ୍ବନ କରି କଠୋର ଦଣ୍ଡବିଧାନ ମଧ୍ୟ କରାଯାଇଛି । ଦୋଷୀ ସାବ୍ୟସ୍ତ ହେବା ପରେ ୩୩ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିବା ବେଳେ ୬୫ ଜଣ କର୍ମଚାରୀଙ୍କ ପେନସନ ବା ଅବସରକାଳୀନ ଭତ୍ତା ବନ୍ଦ କରିଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇଛନ୍ତି । ଏହି ପରିସଂଖ୍ୟାନ ସ୍ପଷ୍ଟ କରୁଛି ଯେ ରାଜ୍ୟରେ ଦୁର୍ନୀତି ନିବାରଣ ପାଇଁ ଭିଜିଲାନ୍ସ ବିଭାଗ ବେଶ୍ ସକ୍ରିୟ ରହିଛି ।
Follow Us