କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା/ଏସସିବି... ବିଶ୍ୱସ୍ତରୀୟ ପ୍ରକଳ୍ପ ଭଳି ବିଶ୍ୱସ୍ତରୀୟ ଦୁର୍ନୀତିର ଅଭିଯୋଗ । ଓଡ଼ିଶା ଇତିହାସରେ ସମ୍ଭବତଃ ଏତେବଡ଼ ଦୁର୍ନୀତି କେବେ ହୋଇଥିଲା ଭଳି ମନେହେଉନି । ବଡ଼ ବଡ଼ ପ୍ରକଳ୍ପ ପାଇଁ ଯେଉଁ ମାତ୍ରାରେ ଅର୍ଥ ଖର୍ଚ୍ଚ ହୋଇଛି, ସେହି ମାତ୍ରାରେ ହଜାର ହଜାର କୋଟିର କେଳେଙ୍କାରୀ ନେଇ ଅଭିଯୋଗ ଆସିଛି । ପୂର୍ତ୍ତ ବିଭାଗର ବିଭିନ୍ନ ନିର୍ମାଣରେ ମହାଦୁର୍ନୀତି ହୋଇଥିବା ବେଳେ ଏହା ଉପରେ ଏବେ ଭିଜିଲାନ୍ସର ଆଖି ରହିଛି । କୁହାଯାଉଛି ଏହି ମହାଦୁର୍ନୀତିର କାର୍ପଟଦାର ସାଜିଥିଲେ ଓବିସିସିର ବଡ଼ ବଡ଼ ବାବୁ । ଯାହାକୁ ନେଇ ପାୱାର କରିଡ଼ରରେ ହଇଚଇ । ପୂର୍ତ୍ତ ବିଭାଗ ଅଧିନରେ କାମ କରୁଥିବା ଓବିସିସିର ମହାଦୁର୍ନୀତି ନେଇ ନିଜେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଛନ୍ତି । ଦୁର୍ନୀତିର ଚେର ଖୋଜିବା ପାଇଁ ଭିଜିଲାନ୍ସ ସହିତ ପୂର୍ତ୍ତ ବିଭାଗକୁ ମଧ୍ୟ ଅବଗତ କରାଯାଇଛି। ତଥାପି ଦୁର୍ନୀତିର ତଦନ୍ତରେ ଧିମାପଣକୁ ନେଇ ପ୍ରଶ୍ନ ଉଠିଛି। 

Advertisment

ଡିସେମ୍ୱର ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଥିଲା ।
୧୯ ଡିସେମ୍ୱରରେ ଏହାକୁ ଭିଜିଲାନ୍ସ ଓ ପୂର୍ତ୍ତ ବିଭାଗକୁ ଫରୱାର୍ଡ କରାଯାଇଛି ।
ହୋଇଥିବା ଅଭିଯୋଗକୁ ଏହି ଫରୱାର୍ଡ ଲେଟରରେ ଆଟାଚ୍‌ କରାଯାଇଛି ।


ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉଦ୍‌ବେଗ ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ତ୍ତମନ୍ତ୍ରୀ। ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଯେଉଁ ପ୍ରକଳ୍ପରେ ଅନିୟମିତତା ଥିଲା ତାକୁ ବାତିଲ କରାଯାଇଛି। ଶେଷ ମୁହୂର୍ତ୍ତରେ ତରବରିଆ ଭାବେ ପୂର୍ବ ସରକାର କରିଥିବା ୨୦ଟି ଟେଣ୍ଡରକୁ ବାତିଲ କରାଯାଇଛି। ସେଗୁଡ଼ିକ ପୁଣିଥରେ ଟେଣ୍ଡର ପ୍ରକ୍ରିୟାକୁ ଯିବ । ଯେଉଁଠି ତ୍ରୁଟି ଓ ଅନିୟମିତତା ହୋଇଛି ତାହାକୁ ତର୍ଜମା କରୁଛନ୍ତି ସରକାର। ପୂରା ସ୍ୱଚ୍ଛତାର ସହିତ ଆଗକୁ ଟେଣ୍ଡର କରାଯିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ସତ୍ୱେ ଆଗକୁ ବଢ଼ିନାହିଁ ଭିଜିଲାନ୍ସ ତଦନ୍ତ, ଯାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।