କନକ ବ୍ୟୁରୋ : ଧନୁଯାତ୍ରା ଦେଖିବାକୁ ଯାଇଥିବା ଯୁବତୀଙ୍କୁ ଯେଉଁ ସ୍ଥାନରୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଥିଲା, ସେଠାରେ ପହଁଚିଛି କନକ ନ୍ୟୁଜ୍ ଟିମ୍ । ଘଂଚ ଜଂଗଲ ଭିତରେ ଯେଉଁଠି ଯୁବତୀ ଜଣଙ୍କ ରକ୍ତ ଜୁଡୁବୁଡୁ ହୋଇ ପଡିଥିଲେ ସେହି ସ୍ଥାନକୁ ଯାଇ ଗ୍ରାଉଣ୍ଡଜିରୋରେ ଅନୁଧ୍ୟାନ କରିଛନ୍ତି ଆମ ପ୍ରତିନିଧି ।
ଘଟଣାସ୍ଥଳରେ ଅନୁଧ୍ୟାନ କରିବା ପରେ ଯୁବତୀଙ୍କ ଗାଁର ଲୋକଙ୍କ ଠାରୁ ସତ ବୁଝିବାକୁ ପ୍ରୟାସ କରିଛନ୍ତି । ଆଉ ପୀଡିତାଙ୍କ ଗାଁର ଲୋକମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସାଂଘାତିକ । ପୋଲିସ ଜାଣିଶୁଣି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛନ୍ତି । ଏପରିକି ଉଦ୍ଧାର ସମୟରେ ପୀଡିତା ଜଣଙ୍କ ଯେଉଁ ପୋଷାକ ପିନ୍ଧିଥିଲେ, ତାକୁ ସିଜ୍ ନକରି ଏବେ ଯେ କୌଣସି ପୋଷାକ ପୋଲିସ ମାଗୁଥିବା କହିଛନ୍ତି ।
ଘଟଣାକୁ ଏହା ଭିତେର ପ୍ରାୟ ୪ଦିନ ବିତି ଯାଇଥିଲେ ବି ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅନ୍ୟପଟେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଦଳର ପ୍ରତିନିଧି ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ହେଲେ, ପୋଲିସ ଏପର୍ଯ୍ୟନ୍ତ କାହାକୁ ଧରିନଥିବାରୁ ଆନ୍ଦୋଳନ ଚେତାବନୀ ଦେଇଛି ବିରୋଧୀ । ପାଲଟା ବିଜେଡି ନେତାଙ୍କ ଆଡକୁ ଆଂଗୁଳି ଉଠାଇଛି ବିଜେପି । ଗୋଟିଏ ପଟେ ପୀଡିତା ବୁର୍ଲା ହସ୍ପିଟାଲରେ ଚିକିତ୍ସତ ହେଉଛନ୍ତି । ସୁସ୍ଥ ହେବା ପାଇଁ ସଂଘର୍ଷ କରୁଛନ୍ତି । ଅନ୍ୟପଟେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସର ବିଫଳତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।