କନକ ବ୍ୟୁରୋ: ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ । ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ ଭୋଟ୍ ଦେଇ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବେ। ଆସନ୍ତାକାଲି ସନ୍ଧ୍ୟାରେ ହିଁ ଭୋଟ୍ ଗଣତି କରି ଫଳ ଘୋଷଣା କରାଯିବ। ଉପରାଷ୍ଟ୍ରପତି ପଦବି ପାଇଁ ଏନ୍ଡିଏ ଏବଂ ଇଣ୍ଡିମେଣ୍ଟର ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ବିତା ହେଉଛି । ମହାରାଷ୍ଟ୍ର ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନଙ୍କୁ ବିଜେପି ନେତୃତ୍ୱାଧୀନ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଥିବା ବେଳେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କୁ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିମେଣ୍ଟ ପ୍ରାର୍ଥୀ କରିଛି। ସଂସଦର ଉଭୟ ଗୃହର ସଦସ୍ୟ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଦେବେ। ଏବେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏନଡିଏର ଅଧିକ ସଦସ୍ୟ ଅଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନର ଇଲେକ୍ଟୋରାଲ୍ କଲେଜରେ ଏନ୍ଡିଏର ସଂଖ୍ୟା ଗରିଷ୍ଠତା ଅଛି । ଲୋକସଭାର ଗୋଟିଏ ଆସନ ଖାଲିଥିବାରୁ ସମୁଦାୟ ୫୪୨ ମଧ୍ୟରୁ ଏନ୍ଡିଏର ୨୯୩ ଜଣ ସଭ୍ୟ ଅଛନ୍ତି ।
ସେହିଭଳି ରାଜ୍ୟସଭାର ୨୩୯ ଆସନ ମଧ୍ୟରୁ ଏନ୍ଡିଏର ୧୩୨ ଜଣ ସମର୍ଥନ ଅଛି । ଏହାଛଡ଼ା ବିଜେଡିର ୭ଜଣ ଓ ବିଆର୍ଏସ୍ର ୪ଜଣ ରାଜ୍ୟସଭା ସଭ୍ୟଙ୍କ ମତଦାନରୁ ବିରତ ରହିବା କାରଣରୁ ଉପରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ୩୮୬ ଜଣ ସଭ୍ୟଙ୍କ ସମର୍ଥନ ଆବଶ୍ୟକ । ଅନ୍ୟପକ୍ଷରେ ଉଭୟ ଗୃହରେ ଏନ୍ଡିଏ ସଭ୍ୟ ସଂଖ୍ୟା ୪୨୫ । ଏହା ଛଡ଼ା ଜଗନମୋହନ ରେଡ୍ଡୀଙ୍କ ୱାଇଏସ୍ଆରସିପି ମଧ୍ୟ ଏନ୍ଡିଏକୁ ସମର୍ଥନ ଦେବେ ବୋଲି ଘୋଷଣା କରିଛି । ଇତିମଧ୍ୟରେ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଉଭୟ ଏନ୍ଡିଏ ଏବଂ ଇଣ୍ଡିମେଣ୍ଟ ଜୋରଦାର ପ୍ରୟାସ କରିଛନ୍ତି । ଗତ ଦୁଇଦିନ ଧରି ବିଜେପି ସାଂସଦଙ୍କ କର୍ମଶାଳା ମଧ୍ୟ ଚାଲିଥିଲା । ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ ଓ ଇଣ୍ଡିମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ମଧ୍ୟ ବ୍ୟକ୍ତିଗତ ଭାବେ ବିଭନ୍ନ ନେତାଙ୍କୁ ସାକ୍ଷାତ କରି ସମର୍ଥନ ଲୋଡ଼ିଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦ ଭବନ ପରିସରରେ ମଙ୍ଗଳବାର ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ପରେ ଫଳ ଘୋଷଣା କରାଯିବ। ସ୍ବାସ୍ଥ୍ୟଗତ କାରଣରୁ ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଜୁଲାଇ ୨୧ରେ ଇସ୍ତଫା ଦେବା ପରେ ଏହି ପଦବି ଖାଲି ପଡ଼ିଛି ।