କନକ ବ୍ୟୁରୋ: ଉପରାଷ୍ଟ୍ରପତି ନିର୍ବାଚନ ନେଇ ଆସନ୍ତାକାଲି ପଡ଼ିବ ଭୋଟ୍ । ଯେଉଁଥିରେ ସିପି ରାଧାକ୍ରିଷ୍ଣନ ଆଉ ବି ସୁଦର୍ଶନଙ୍କ ରେଡ୍ଡୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଦେଶର ଆଗାମୀ ଉପରାଷ୍ଟ୍ରପତି କିଏ ହେବ, ତାହା ଆସନ୍ତାକାଲି ହିଁ ଜଣାପଡ଼ିଯିବ । ତେବେ ନମ୍ବର ଗେମ୍କୁ ଦେଖିଲେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କ ବିଜୟ ପକ୍କା ଜଣାପଡୁଥିଲେ ବି, ବିରୋଧୀ ମେଣ୍ଟର ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀ ଏବେ ବି ସାଂସଦଙ୍କ ଅନ୍ତରାତ୍ମା ଉପରେ ଭରସା କରି ଅଛନ୍ତି । ଯାହାକି ଏଥରର ଉପରାଷ୍ଟ୍ରପତି ନିର୍ବାଚନକୁ ଆହୁରି ଅଧିକ ରୋଚକ କରିଛି ।
କାହାର ପଲ୍ଲା ଭାରି?
ସଂସଦର ଉଭୟ ସଦନ ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଇଥାନ୍ତି । ତେଣୁ ଏହି ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କ ପଲ୍ଲା ବି ସୁଦର୍ଶନ ରେଡ୍ଡୀଙ୍କ ତୁଳନାରେ ଭାରି ରହିଛି । ଚର୍ଚ୍ଚା ହେଉଛି, ରାଧାକ୍ରିଷ୍ଣନଙ୍କ ସପକ୍ଷରେ ପାଖାପାଖି ୪୩୯ ଜଣ ସାଂସଦ ଥିବାବେଳେ, ବି ସୁଦର୍ଶନ ରେଡ୍ଡୀଙ୍କ ସପକ୍ଷରେ ୩୨୪ ସାଂସଦ ଅଛନ୍ତି । ତେବେ ଏହି ନିର୍ବାଚନରେ ଜିତାପଟ ହାସଲ କରିବାକୁ ଏନଡିଏ ମେଣ୍ଟ ନିଜର ସବୁ ବଳ ଲଗାଇ ଦେଇଛି ।
ଜାଣିରଖିବା ଉଚିତ୍ ଯେ, ଉପରାଷ୍ଟ୍ରପତି ନିର୍ବାଚନରେ ଏଥର ଭୋଟ୍ ଦେବାକୁ ଥିବା ମୋଟ୍ ସାଂସଦଙ୍କ ସଂଖ୍ୟା ରହିଛି ୭୮୧ । ଜଣେ ପ୍ରାର୍ଥୀ ଏହି ନିର୍ବାଚନରେ ଜିତିବାକୁ ହେଲେ ତାଙ୍କୁ ୩୯୨ ସାଂସଦଙ୍କ ସମର୍ଥନ ଆବଶ୍ୟକ ହେବ ।
ଲୋକସଭା
୫୪୨ ଜଣ ସାଂସଦ (ଅଧ୍ୟକ୍ଷଙ୍କୁ ଛାଡ଼ି): ଏନଡିଏ – ୨୯୩, ବିରୋଧୀ – ୨୩୪, ଅନ୍ୟ – ୧୫
ରାଜ୍ୟସଭା
୨୩୯ ଜଣ ସାଂସଦ : ଏନଡିଏ – ୧୩୨, ବିରୋଧୀ – ୭୭, ଅନ୍ୟ – ୩୦
ବିଜେଡି, ବିଆରଏସ୍ କାହା ପଟେ?
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜୁ ଜନତା ଦଳ ଏବଂ ବିଆରଏସର ୧୮ ଜଣ ସାଂସଦ ଏପର୍ୟ୍ୟନ୍ତ କାହାକୁ ସମର୍ଥନ ଦେବେ ସେନେଇ କିଛି ବି ସ୍ପଷ୍ଟ କରିନାହାଁନ୍ତି । ଏହାସହ ଅକାଳୀ ଦଳ, ଜେଡପିଏମ୍ ଭଳି ଅନେକ ଛୋଟ ଛୋଟ ଦଳ ମଧ୍ୟ କାହାକୁ ସମର୍ଥନ ଜଣାଇବେ ତାହା ଏଯାଏ ଜଣାପଡ଼ିନି । ତେଣୁ ଏହାକୁ ନେଇ ଏବେ ବି ସସପେନ୍ସ ଲାଗିରହିଛି । ବିଆରଏସର ରାଜ୍ୟସଭାରେ ୪ ଜଣ ସାଂସଦ ରହିଛନ୍ତି । ତେଣୁ ଏହି ସାଂସଦଙ୍କୁ ନିଜ ସପକ୍ଷରେ ନେବାକୁ କଂଗ୍ରେସ ପ୍ରଥମେ ଚେଷ୍ଟା ଚଳାଇଥିଲା । ହେଲେ କେସିଆର୍ କିନ୍ତୁ ସେମିତି କିଛି ବି ଭଲ ସମ୍ପର୍କ ନେଇ ଇସାରା ଦେଇନଥିଲେ । ହେଲେ ସୁଦର୍ଶନ ରେଡ୍ଡୀ କିନ୍ତୁ ବିଆରଏସର ସମର୍ଥନ ନେଇ ଆଶାବାଦୀ ଥିବା ସୂଚନା ଦେଇଛନ୍ତି । ସେପଟେ ବିଜୁ ଜନତା ଦଳର ମଧ୍ୟ ରାଜ୍ୟସଭାରେ ୭ ଜଣ ଏମପି ଅଛନ୍ତି । ଏମାନେ କାହାକୁ ସମର୍ଥନ ଜଣାଇବେ ତାହା ଏଯାଏ ସ୍ପଷ୍ଟ ହେଇନି ।