କନକ ବ୍ୟୁରୋ: ଦିଲ୍ଲୀରେ ଚାଲିଛି ଫୁଲେରା ଗ୍ରାମ ପଞ୍ଚାୟତ ଭଳି ସରକାର । ସରକାରୀ ମିଟିଂରେ ମୁଖ୍ୟମନ୍ତ୍ରୀଙ୍କ ସହ ସାମିଲ ହେଉଛନ୍ତି ତାଙ୍କ ସ୍ୱାମୀ । ଆମ ଆଦମୀ ପାର୍ଟି ଦିଲ୍ଲୀ ସରକାର ଉପରେ ଏଭଳି ଗମ୍ଭୀର ଅଭିଯୋଗ ଲଗାଇବା ସହିତ ଟାର୍ଗେଟ୍ କରିଛି । ସିଧା ସିଧା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆପ୍ ନେତା ସୌରଭ ଭରଦ୍ୱାଜ ଟାର୍ଗେଟ୍ କରିବା ସହିତ ଦିଲ୍ଲୀର ସରକାରକୁ ଲୋକପ୍ରିୟ ଓ୍ୱେବସିରିଜ୍ ‘ପଞ୍ଚାୟତ’ର ଫୁଲେରା ସରକାର ସହ ତୁଳନା କରିଛନ୍ତି । ଯେଉଁଠି କି ସରପଞ୍ଚଙ୍କ ସ୍ୱାମୀ ସରପଞ୍ଚଙ୍କ ଭଳି ବ୍ୟବହାର କରିବା ସହିତ ସବୁ କିଛି ନିଷ୍ପତ୍ତି ନେଉଥିଲେ ।
ଆପ୍ ନେତା ସୌରଭ ଭରଦ୍ୱାଜ ନିଜର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ କିଛି ଫଟୋ ସେୟାର କରିବା ସହିତ କିଛି କ୍ୟାପ୍ସନ ଲେଖିଛନ୍ତି । ଏହି ଫଟୋରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ମିଟିଂ ନେଉଥିବାବେଳେ ସାଙ୍ଗରେ ଅଛନ୍ତି ତାଙ୍କ ସ୍ୱାମୀ । ସୌରଭ ଭରଦ୍ୱାଜ ଲେଖିଛନ୍ତି, “ଦେଶର ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଓ ସାମ୍ବିଧାନିକ ବ୍ୟବସ୍ଥାର ମଜାକ୍ ଉଡୁଛି । ପରିବାରବାଦ ଉପରେ ଗାଳି ଦେଉଥିବା ବିଜେପି ଏବେ ଏହା ପରିବାରବାଦ ନୁହେଁ ତ ଆଉ କଣ?”
दिल्ली सरकार बनी फुलेरा पंचायत
— Saurabh Bharadwaj (@Saurabh_MLAgk) September 7, 2025
जैसे फुलेरा की पंचायत में महिला प्रधान के पति प्रधान की तरह काम करते थे , आज दिल्ली में CM के पति आधिकारिक मीटिंग में बैठ रहे हैं ।
हमने पहले भी बताया था कि CM आले पति आधिकारिक मीटिंग में बैठते हैं , अधिकारियों के साथ मीटिंग और इंस्पेक्शन करते… pic.twitter.com/40D3kz5OXU
ଏହାସହ ସୌରଭ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପାଖରେ କଣ ଆଉ କେହି ବି କାର୍ଯ୍ୟକର୍ତ୍ତା ନଥିଲେ, ଯାହା ଉପରେ ସେ ବିଶ୍ୱାସ କରିପାରିବେ । ଏମିତି କଣ କାମ ପଡ଼ିଲା ଯେ, ଘର ଲୋକଙ୍କୁ ଡାକିବାକୁ ପଡ଼ିଲା । ଏମିତି କି କାରଣ ଯେ, ମୁଖ୍ୟମନ୍ତ୍ରୀ ନିଜ ସ୍ୱାମୀଙ୍କୁ ଅଥରିଟି ଭାବେ ସ୍ଥାପିତ କରିବାକୁ ଚାହୁଛନ୍ତି?
ଆପ୍ ସାଂସଦ ସଞ୍ଜୟ ସିଂହ ମଧ୍ୟ ଏହି ଫଟୋ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସଞ୍ଜୟ ସିଂହ କହିଛନ୍ତି, ଫୁଲେରା ପଞ୍ଚାୟତକୁ ଆପଣଙ୍କୁ ସ୍ୱାଗତ । ମୋଦୀ ଜୀ ଦିଲ୍ଲୀକୁ ଦୁଇଟି ମୁଖ୍ୟମନ୍ତ୍ରୀ ଦେଇଛନ୍ତି । ଜଣେ ହେଲେ ରେଖା ଗୁପ୍ତା ଏବଂ ତାଙ୍କ ସ୍ୱାମୀ ସୁପର୍ ସିଏମ୍ । ମୋଦୀଙ୍କ ବିଜେପି ୬ ମାସରେ ଦିଲ୍ଲୀକୁ କବାଡିଖାନା କରିଦେଇଛନ୍ତି । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଏକ୍ସରେ ଏହି ଫଟୋକୁ ସେୟାର କରିଛନ୍ତି । ଆଉ ଲେଖିଛନ୍ତି, ଆଜି ମୁଖ୍ୟମନ୍ତ୍ରୀ ଜନସେବା ସଦନରେ ଶାଲୀମାର ବାଗ ବିଧାନସଭାରେ ଚାଲୁଥିବା ବିକାଶ କାମର ସମୀକ୍ଷା କଲି । ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ନିୟମିତ ଭାବେ ଏହି ଅଞ୍ଚଳର ପ୍ରଗତି ନେଇ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ ।