NAVEEN PATNAIK Photograph: (KANAK NEWS)
କନକ ବ୍ୟୁରୋ: ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଅଚାନକ ଇସ୍ତଫା ଦେବା ପରେ, ଏବେ ଆଗକୁ ହେବାକୁ ଯାଉଛି ନିର୍ବାଚନ । ଦେଶର ଆଗାମୀ ଉପ-ରାଷ୍ଟ୍ରପତି କିଏ ହେବ, ତାହା ସ୍ଥିର କରିବାକୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇସାରିଛି । ହେଲେ ଏହାରି ଭିତରେ କିନ୍ତୁ ଗୋଟିଏ ବଡ଼ ପ୍ରଶ୍ନ ଓଡ଼ିଶା ରାଜନୀତିକୁ ସରଗରମ କରିଛି । ଏଥର ଉପ-ରାଷ୍ଟ୍ରପତି ନିର୍ବାଚନ ହେଲେ ବିଜେଡି କାହାକୁ ସପୋର୍ଟ କରିବ, ଆଉ କାହାକୁ ବିରୋଧ କରିବ ତାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଖାସ୍ କରି ବିଜେପିକୁ ଏଥର ବିଜେଡି ସପୋର୍ଟ କରୁଛି ନା ବିରୋଧ କରୁଛି, ତା ଉପରେ ରହିଛି ସମସ୍ତଙ୍କର ନଜର ।
ନବୀନ ଆଉ ବିଜେଡି ସବୁବେଳେ ବିଜେପି ଆଉ କଂଗ୍ରେସଠୁ ସମଦୂରତ୍ୱ କଥା କହୁଥିଲେ ବି, ଅନେକ ପ୍ରସଙ୍ଗରେ ନବୀନ ଏନଡିଏକୁ ସପୋର୍ଟ କରିଆସିଛନ୍ତି । ଏଥିପାଇଁ ଅନେକ ସମୟରେ ବିଜେଡିକୁ କାଉଣ୍ଟର ମଧ୍ୟ କରିଆସିଛି କଂଗ୍ରେସ । ହେଲେ ଯେବେଠୁ ଦଳ ରାଜ୍ୟରେ କ୍ଷମତାରୁ ହଟିଛି, ସେବେଠୁ କିନ୍ତୁ ସବୁ ଚିତ୍ର ବଦଳିଯାଇଛି । ଲୋକସଭାରେ ଦଳର ସାଂସଦ ସଂଖ୍ୟା ଶୂନ୍ ହେବା ପରେ, କେନ୍ଦ୍ର ରାଜନୀତିରେ ଓଜନ ହରାଇଛି ବିଜେଡି । ଏପଟେ ରାଜ୍ୟସଭାରେ କେବଳ ବିଜେଡି ସାଂସଦ ସଂଖ୍ୟା ୭ । ତେଣୁ ଆଗକୁ ଉପ-ରାଷ୍ଟ୍ରପତି ନିର୍ବାଚନରେ ଦଳ କେଉଁ ନିଷ୍ପତ୍ତି ନେଉଛି, ତାହା ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ।
ଓ୍ୱକଫ୍ ବିଲ ବେଳେ ବିଜେଡି ଏହାକୁ ବିରୋଧ କରିବ ବୋଲି ପ୍ରଥମରୁ ଚର୍ଚ୍ଚା ହେଲା, ହେଲେ ଶେଷ ମୁହୂର୍ତ୍ତରେ କିନ୍ତୁ ସାଂସଦଙ୍କ ବିବେକ ଉପରେ ସବୁକିଛି ଛାଡ଼ିଦିଆଗଲା । ଯାହା ଫଳରେ ବିଜେଡିର ୫ ଜଣ ସାଂସଦ ଓ୍ୱକଫ୍ ବିଲ ସପକ୍ଷରେ ଭୋଟ୍ ଦେଲେ । ଯାହାକୁ ନେଇ ସେତେବେଳେ ରାଜନୀତି ମଧ୍ୟ ସରଗରମ ହେଲା । ଆଉ ଏବେ ଯେତେବେଳେ ଦଳ ଓଡ଼ିଶାରେ ବିରୋଧୀ ଆସନରେ ବସିଛି, ଆଉ ବିଜେପି ସତ୍ତାର ଆସନରେ ବସିଛି । ସେତେବେଳେ ଦିଲ୍ଲୀରେ ଦଳ କେଉଁ ଫର୍ମୁଲା ଆପଣାଇବ, ସେନେଇ ଖୁବଶୀଘ୍ର ଗୋଟିଏ ନିଷ୍ପତ୍ତି ନେବାକୁ ପଡ଼ିପାରେ ।
ପ୍ରଥମ କଥା ହେଲା, ଯଦି ବିଜେଡି ଏଥର ଉପ-ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରେ, ତେବେ ବିଜେଡି ବିଜେପିର ବି-ଟିମ୍ ବୋଲି ଅପବାଦ ମୁଣ୍ଡାଇବାକୁ ପଡ଼ିବ । କଂଗ୍ରେସ ଲଗାତାର ଭାବେ ଯେଉଁଭଳି ପ୍ରସଙ୍ଗ ଉଠାଇ ସରକାରକୁ ହରଡ଼ଘଣାରେ ପକାଉଛି, ବିଜେଡିକୁ ମଧ୍ୟ କଂଗ୍ରେସ ସେହିଭଳି ଭାବେ ଅସୁବିଧାରେ ପକାଇପାରେ । ଅନ୍ୟପଟେ ବିଜେଡି ଯଦି ଭୋଟିଂରୁ ନିଜକୁ ଦୂରେଇ ରଖେ, ତେବେ ଦିଲ୍ଲୀ ରାଜନୀତିରେ ନିଜର ଓଜନ ହରାଇବ ବିଜୁ ଜନତା ଦଳ । ଆଉ ଯଦି ଦଳ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରି ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ କରେ, ତେବେ ରାଜ୍ୟ ସହିତ ଦିଲ୍ଲୀ ରାଜନୀତିରେ ଗୋଟିଏ ନୂଆ ସମୀକରଣ ଦେଖିବାକୁ ମିଳିପାରେ ।
ଏ ସବୁ ଭିତରେ ଉପ-ରାଷ୍ଟ୍ରପତି ନିର୍ବାଚନ ଏବେ ବିଜେଡି ପାଇଁ ଖଣ୍ଡାର ଧାର ହେଇ ଛିଡ଼ା ହୋଇଛି । ତେଣୁ ବିଜେଡି ସୁପ୍ରିମୋ ଆଗକୁ କେଉଁ ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
Follow Us