କନକ ବ୍ୟୁରୋ: ଆଉ ଗୋଟିଏ ଦିନ ପରେ ଉପରାଷ୍ଟ୍ରପତି ନିର୍ବାଚନ । ଗୋଟିଏ ପଟେ ଏନଡିଏର ପ୍ରାର୍ଥୀ ସି ପି ରାଧାକ୍ରିଷ୍ଣନ ଆଉ ଅନ୍ୟପଟେ ମୈଦାନରେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ । ତେବେ ଏହି ଉପରାଷ୍ଟ୍ରପତି ନିର୍ବାଚନରେ କିଏ ମାରିବ ବାଜି? କାହା ସପକ୍ଷରେ ଯିବ ଫଳାଫଳ? ତାହା ତ ସମୟ କହିବ, ହେଲେ ତା ପୂର୍ବରୁ ଆସନ୍ତୁ ଜାଣିବା କିଏ ଏ ନିର୍ବାଚନରେ ବାଜିମାତ୍ କରିବାର ସବୁଠୁ ଅଧିକ ସୁଯୋଗ ରହିଛି ।

Advertisment

ଆପଣ ଜାଣିଥିବେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗତମାସରେ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ଯାହାପରେ ଏହି ଉପରାଷ୍ଟ୍ରପତି କରାଯାଉଛି । ତେବେ ଏହା ଦେଶର ୧୭ ତମ ଉପରାଷ୍ଟ୍ରପତି ନିର୍ବାଚନ ହେବ । 

ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କିଏ?

ଏଥର ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ମହାରାଷ୍ଟ୍ରର ରାଜ୍ୟପାଳ ଏବଂ ତଥା ବରିଷ୍ଠ ବିଜେପି ନେତା ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପଟେ ଇଣ୍ଡି ମେଣ୍ଚ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି । ଆପଣ ଜାଣିଥିବେ ଉପରାଷ୍ଟ୍ରପତିଙ୍କୁ ଲୋକସଭା ଏବଂ ରାଜ୍ୟସଭା ଉଭୟର ସଦସ୍ୟଙ୍କୁ ନେଇ ଗଠିତ ଏକ ଇଲେକ୍ଟୋରାଲ କଲେଜ ଦ୍ୱାରା ନିର୍ବାଚିତ ହୋଇଥାନ୍ତି । ଯେଉଁଥିରେ ନିର୍ବାଚିତ ଏବଂ ମନୋନୀତ ସଦସ୍ୟ ମଧ୍ୟ ସାମିଲ ଥାଆନ୍ତି । ନିର୍ବାଚନ କମିଶନଙ୍କ ତତ୍ତ୍ୱାବଧାନରେ ସାମ୍ବିଧାନିକ ପ୍ରକ୍ରିୟା ମାଧ୍ୟମରେ ଏହି ନିର୍ବାଚନ ଅନୁଷ୍ଠିତ ହୁଏ।

ଉପ-ରାଷ୍ଟ୍ରପତି ନିର୍ବାଚନରେ ନିର୍ବାଚକମାନେ କିଏ?

ଉପରାଷ୍ଟ୍ରପତିଙ୍କୁ ସଂସଦର ଉଭୟ ଗୃହର ସଦସ୍ୟଙ୍କୁ ନେଇ ଗଠିତ ଏକ ଇଲେକ୍ଟୋରାଲ୍ କଲେଜ ନିର୍ବାଚିତ କରିଥାନ୍ତି ।  ତେବେ ରାଜ୍ୟ ବିଧାନସଭାଗୁଡ଼ିକର ଏହି ପ୍ରକ୍ରିୟାରେ କୌଣସି ଭୂମିକା ନଥାଏ । ୨୦୨୫ ନିର୍ବାଚନ ପାଇଁ ଭୋଟରମାନଙ୍କ ମଧ୍ୟରେ ୭୮୨ ଜଣ ସାଂସଦ ଅଛନ୍ତି, ଯାହା ଭିତରେ ଲୋକସଭାରୁ ୫୪୩ ସାଂସଦ ଏବଂ ରାଜ୍ୟସଭାର ୨୩୩ ଜଣ ସାଂସଦ ଅଛନ୍ତି ।  ଏହାସହ ରାଜ୍ୟସଭାର ୧୨ ଜଣ ମନୋନୀତ ସଦସ୍ୟ ମଧ୍ୟ ଏହି ନିର୍ବାଚନରେ ଭୋଟ୍ ଦେବେ ।

କଣ ରହିଛି ସଂଖ୍ୟା ଗଣିତ?

ଆପଣ ଭଲଭାବେ ଜାଣିଥିବେ, ସଂସଦରେ ବର୍ତ୍ତମାନ NDAର ସଂଖ୍ୟା ଗରିଷ୍ଠତା ଅଛି । ମେଣ୍ଟ ସହଯୋଗୀଙ୍କ ସହ କିଛି ଅନ୍ୟ ଦଳ ମଧ୍ୟ ବିଜେପିକୁ ସମର୍ଥନ ଦେଉଛନ୍ତି । ସେପଟେ ଇଣ୍ଟ ମେଣ୍ଟ ମଧ୍ୟ ପଛରେ ପଡ଼ିନି । ଯଦି ଏଥର ଉପରାଷ୍ଟ୍ରପତି ନିର୍ବାଚନରେ କିଛି ଚମତ୍କାର ହୁଏ, ତେବେ ଇଣ୍ଡି ମେଣ୍ଟ ମଧ୍ୟ ବାଜି ମାରିନେଇପାରେ ବୋଲି କୁହାଯାଉଛି । ସଂଖ୍ୟା ଦୃଷ୍ଟିରୁ ବିଜେପି ନେତୃତ୍ୱାଧୀନ NDAର ୪୨୩ ଜଣ ସାଂସଦ ଅଛନ୍ତି । ତେଣୁ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ବାଜି ମାରିବା ଏକପ୍ରକାର ପକ୍କା ବୋଲି କୁହାଯାଉଛି ।

କେଉଁ ଦଳ କାହା ସପକ୍ଷରେ?

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଏମକେ ସଭାପତି ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସହ ଯୋଗାଯୋଗ କରି ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ । ହେଲେ ତା ପରେ ବି, ଷ୍ଟାଲିନ କୌଣସି ପ୍ରତିଶ୍ରୁତି ଦେବାରୁ ନିବୃତ୍ତ ରହିଥିଲେ। ତେଣୁ ସେ ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ସମର୍ଥନ କରିପାରନ୍ତି ବୋଲି କୁହାଯାଉଛି । ସେପଟେ ଓ୍ୱାଇଏସଆରର ଲୋକସଭାରେ ୪ ଜଣ ସାଂସଦ ଅଛନ୍ତି ଏବଂ ରାଜ୍ୟସଭାରେ ଦଳର ସାଂସଦ ସଂଖ୍ୟା ୭ ଜଣ । ତେଣୁ ଯେହେତୁ ଅନେକ ପ୍ରସଙ୍ଗରେ ଓ୍ୱାଏସଆର୍ କଂଗ୍ରେସ ବିଜେପିକୁ ସମର୍ଥନ କରିଆସିଛି । ତେଣୁ ଏଥର ମଧ୍ୟ ସେ ବିଜେପିକୁ ସମର୍ଥନ କରିପାରେ ବୋଲି କୁହାଯାଉଛି ।

ସେପଟେ ଟିଏମସି ସାଂସଦ ଡେରେକ୍ ଓ'ବ୍ରାଏନ୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ଆମ ଆଦମୀ ପାର୍ଟି ସମେତ ସମସ୍ତ ବିରୋଧୀ ଦଳ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଇଣ୍ଟି ମେଣ୍ଟର ପ୍ରାର୍ଥୀଙ୍କୁ ସମର୍ଥନ କରିବେ । ହେଲେ ଏହା ଭିତରେ ବି, ବିଜେଡି ଏପର୍ଯ୍ୟନ୍ତ ଉପରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ, ସେନେଇ କୌଣସି ବି ନିଷ୍ପତ୍ତି ନେଇନି । ତେଣୁ ଚର୍ଚ୍ଚା ଏବେ କେଉଁ ଦଳ କାହାକୁ ସମର୍ଥନ କରିବ?

ଭୋଟ ଦେବାର ପ୍ରକ୍ରିୟା କ’ଣ ଏବଂ ଭୋଟ କିପରି ଗଣନା କରାଯାଏ?

ଉପରାଷ୍ଟ୍ରପତି ନିର୍ବାଚନ, ସମ୍ବିଧାନର ଧାରା  ୬୬ ଅନୁଯାୟୀ ଏକକ ଆନୁପାତିକ ଭୋଟ୍ ମାଧ୍ୟମରେ କରାଯାଏ । ସାଂସଦମାନେ ଗୁପ୍ତ ମତଦାନ ଦ୍ୱାରା ସେମାନଙ୍କର ଭୋଟ ଦିଅନ୍ତି, ଆଉ ପ୍ରାର୍ଥୀମାନଙ୍କୁ ପସନ୍ଦ କ୍ରମରେ (୧, ୨, ୩ ଇତ୍ୟାଦି) ସ୍ଥାନିତ କରନ୍ତି । ଏହି ନିର୍ବାଚନରେ ଜିତିବାକୁ ହେଲେ ଜଣେ ପ୍ରାର୍ଥୀଙ୍କୁ ମୋଟ ବୈଧ ଭୋଟର ଅଧାରୁ ଅଧିକ ସଂଖ୍ୟାଗରିଷ୍ଠତା କୋଟା ହାସଲ କରିବାକୁ ପଡିବ । ଯଦି କୌଣସି ପ୍ରାର୍ଥୀ ପ୍ରଥମ ପସନ୍ଦ ଭୋଟରେ ଏହା ହାସଲ କରନ୍ତି ନାହିଁ, ତେବେ ସବୁଠାରୁ କମ୍ ଭୋଟ ପାଇଥିବା ପ୍ରାର୍ଥୀଙ୍କୁ ବାଦ୍ ଦିଆଯାଏ ଏବଂ ପରବର୍ତ୍ତୀ ଉପଲବ୍ଧ ପସନ୍ଦ ଅନୁଯାୟୀ ସେମାନଙ୍କର ଭୋଟପତ୍ର ସ୍ଥାନାନ୍ତରିତ କରାଯାଏ। ଏହି ପ୍ରକ୍ରିୟା ଜଣେ ପ୍ରାର୍ଥୀ ଆବଶ୍ୟକ ସୀମା ଅତିକ୍ରମ କରିବା ପର୍ଯ୍ୟନ୍ତ ଜାରି ରହେ।

ନିର୍ବାଚନ କେବେ?

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସେପ୍ଟେମ୍ବର ୯ ତାରିଖରେ ହେବ । ଭୋଟ୍ ସମାପ୍ତ ହେବା ପରେ ତୁରନ୍ତ ଗଣନା ଆରମ୍ଭ ହେବ ଏବଂ ନିର୍ବାଚନ କମିଶନଙ୍କ ତତ୍ତ୍ୱାବଧାନରେ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସେହି ଦିନ ଫଳାଫଳ ଘୋଷଣା କରାଯିବ ।