କନକ ବ୍ୟୁରୋ: ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ଉପରାଷ୍ଟ୍ରପତି ପଦ ପାଇଁ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଗୁରୁବାର ଅଧିସୂଚନା ମଧ୍ୟ ଜାରି ହେବା ସହିତ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ନାମାଙ୍କନ ଦାଖଲ ନେଇ ସମୟ ଆରମ୍ଭ ହେବା ସହିତ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଗୋଟିଏ ପଟେ ବିଜେପି ଏନଡିଏ ସାଥୀମାନଙ୍କୁ ନେଇ ନିଜର ସମର୍ଥନ ଯୋଗାଡ଼ କରିବା ଆରମ୍ଭ କରିଦେଇଛି । ଅନ୍ୟପଟେ କଂଗ୍ରେସ ନେତୃତ୍ୱରେ ଇଣ୍ଡି ମେଣ୍ଟ ମଧ୍ୟ ନିଜର ପ୍ରାର୍ଥୀଙ୍କୁ ନିର୍ବାଚନ ମୈଦାନରେ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ।

Advertisment

କିଏ ହେବେ ପ୍ରାର୍ଥୀ?

ଉପରାଷ୍ଟ୍ରପତି ପଦ ପାଇଁ କୌଣସି ବି ଦଳ କିମ୍ବା ମେଣ୍ଟ ଏଯାଏଁ ନିଜର ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ଚର୍ଚ୍ଚା ହେଉଛି ବିଜେପି ଏଥର ନିଜର ଜଣେ ତୁଙ୍ଗ ନେତାଙ୍କୁ ଉପରାଷ୍ଟ୍ରପତି ଆସନରେ ବସାଇପାରେ । ସଂଘ ସହିତ ଦଳର ବିଚାରଧାରାକୁ ଯେଉଁ ନେତା କଠୋର ଭାବେ ମାନୁଥିବ, ସେହିଭଳି ଜଣେ ନେତାଙ୍କୁ ଦଳ ଉପରାଷ୍ଟ୍ରପତି ଆସନରେ ବସାଇପାରେ ବୋଲି କୁହାଯାଉଛି । ଅନ୍ୟପଟେ କଂଗ୍ରେସ ନେତୃତ୍ୱରେ ଇଣ୍ଡି ମେଣ୍ଟ ବୁଝାସୁଝା କରି ଜଣିଏ ନେତାଙ୍କୁ ମୈଦାନକୁ ଓହ୍ଲାଇପାରେ ।

ବିଜେପି ସହ ଶିବସେନା, ଜେଡିୟୁ, ଟିଡିପି

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଥମରୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ପାର୍ଟିର ଅନ୍ୟ ତମାମ ବରିଷ୍ଠ ନେତାଙ୍କ ସହ ବୈଠକ କରିତିଲେ । ଏହାପରେ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏନଡିଏ ନେତାଙ୍କ ବୈଠକ ବସିଥିଲା ।  ଯେଉଁଥିରେ କି ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ମାନସମନ୍ଥନ ହୋଇଛି । ଏହାପରେ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିବା ସହିତ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ନିଜର ସମର୍ଥନ ଜଣାଇଛନ୍ତି ।

ଆସନ୍ତା ସପ୍ତାହରେ ବିଜେପି ନିଜର ପ୍ରାର୍ଥୀ ଚୟନ ସହିତ ସହଯୋଗୀଙ୍କ ସମର୍ଥନ ଯୋଗାଡ଼ିବା ଆରମ୍ଭ କରିବ ବୋଲି ସୂଚନା ରହିଛି । ବିଜେପିର ଦୁଇ ସହଯୋଗୀ ଜେଡିୟୁ ଏବଂ ଟିଡିପିର ସମର୍ଥନ ଏନଡିଏକୁ ମିଳିବା ଏକପ୍ରକାର ପକ୍କା । ତେଣୁ ମୋଟ ଉପରେ କହିବାକୁ ଗଲେ ଶିବସେନା ସହିତ ଜେଡିୟୁ ଏବଂ ଟିଡିପିର ସମର୍ଥନ ଏନଡିଏକୁ ମିଳିବ ।

ଇଣ୍ଡି ମେଣ୍ଟ ଆଣିବ ସହମତିରେ ପ୍ରାର୍ଥୀ

ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀ କ୍ୟାମ୍ପ ଜୋରଦାରରେ ଆକ୍ଟିଭ୍ ହୋଇଛି । ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୁରୁବାର ବିରୋଧୀ କ୍ୟାମ୍ପର ନେତାଙ୍କୁ ନେଇ ଏକ ଭୋଜିର ଆୟୋଜନ କରୁଛନ୍ତି । ଯେଉଁଥିରେ କି ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଅଙ୍କ ଛିଣ୍ଡିପାରେ । ଇଣ୍ଡି ମେଣ୍ଟ ଏଥର ସବୁ ସହଯୋଗୀ ଦଳର ସହମତିରେ ଜଣେ ନେତାଙ୍କୁ ଉପରାଷ୍ଟ୍ରପତି ଭାବେ ପ୍ରାର୍ଥୀ କରିପାରେ । ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦ ପାଇଁ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଭୋଟ୍ ପଡ଼ିବ । ଯେଉଁଥିରେ କି ଲୋକସଭା ଏବଂ ରାଜ୍ୟସଭାର ସାଂସଦମାନେ ଭୋଟ୍ ଦେବେ ।