କନକ ବ୍ୟୁରୋ : ସବୁବେଳେ ବିବାଦୀୟ ରହିଥିବା ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଏକ ବୟାନ ପୁଣି ବିବାଦ ଛିଡା କରିଛି । ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଭୂମିକା ଉପରେ ଉପରାଷ୍ଟ୍ରପତି ପ୍ରଶ୍ନ ଉଠାଇଛନ୍ତି ।ଉପରାଷ୍ଟ୍ରପତିଙ୍କ ବୟାନ ଅନେକ ଦିଗକୁ ସୂଚିତ କରୁଛି । ଏହା ଏକ ରାଜନୈତିକ ପୃଷ୍ଠଭୂମିକ ଆଡକୁ କେନ୍ଦ୍ରିତ କରୁଥିବା ଚର୍ଚ୍ଚା ହେଉଛି ।ନିକଟରେ ଭାରତର ନିର୍ବାଚନ କମିଶନଙ୍କ ନିଯୁକ୍ତି ପ୍ରକିୟାରୁ ମୁଖ୍ୟ ବିଚାରପତିଙ୍କୁ ବାଦ ଦେବା ନେଇ ଏକ ସଂଶୋଧନ ବିଲ ସଂସଦରେ ଗୃହିତ ହୋଇଛି । ଯାହା ଆଧାରରେ କେବଳ ପ୍ରଧାନମନ୍ତ୍ରୀ ମୋଦୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀଙ୍କ ମନୋନୀତି ଜଣେ କମିଟି ମନ୍ତ୍ରୀଙ୍କୁ ନେଇ ଗଠିତ କମିଟି ମୁଖ୍ୟ ନିର୍ବାଚନ କମିଶନର ଓ ସଦସ୍ୟଙ୍କୁ ମନୋନୀତ କରୁଛନ୍ତି । ଏହା ଛଡା ସିବିଆଇ ନିର୍ଦ୍ଦେଶକ, ଭିଜିଲାନ୍ସ କମିଶନର ପରି ସାମ୍ବାଧାନିକ ପଦବୀରେ ନିଯୁକ୍ତି ପାଇଁ କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା. ଓ ଭାରତର ପ୍ରଧାନ ବିଚାରପତି ସଦସ୍ୟ ଅଛନ୍ତି । ଏପରିସ୍ଥଳରେ ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି ତଥା ଅନ୍ୟାନ୍ୟ ଉଚ୍ଚ ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ପ୍ରଧାନ ବିଚାରପତିଙ୍କ ଭୂମିକାକୁ ନେଇ ଉପରାଷ୍ଟ୍ରପତିଙ୍କ ବୟାନ ଅନେକ ଦିଗରୁ ସରକାରୀ ଦଳର ମନ୍ତବ୍ୟ ବୋଲି ଧରାଯାଇପାରେ । ଉପରାଷ୍ଟ୍ରପତି ସରକାରୀ ପକ୍ଷକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ ହୁଏ । ଏପରିକି ବିରୋଧୀ ପକ୍ଷକୁ ସମାନ ସୁଯୋଗ ମିଳୁନଥିବା ଅଭିଯୋଗ ଆଧାରରେ ଗତ ଶୀତ ଅଧିବେଶନରେ ଉପରାଷ୍ଟ୍ରପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ଆଉ ବର୍ତ୍ତମାନର ବୟାନ ଉପରାଷ୍ଟ୍ରପତିଙ୍କ ପକ୍ଷପାତିତା ଉପରେ  କହିବାକୁ ବିରୋଧୀ ପକ୍ଷକୁ ଆଉ ଏକ ସୁଯୋଗ ଦେବ ।