କନକ ବ୍ୟୁରୋ : ଉପରାଷ୍ଟ୍ରପତି ପଦରୁ ଧନଖଡଙ୍କ ଇସ୍ତଫା ? କିଏ ହେବେ ପରବର୍ତ୍ତୀ ଉପରାଷ୍ଟ୍ରପତି? ଏହା ସାମାନ୍ୟ ଇସ୍ତଫା ଦେଖାଯାଉଥିଲେ ବି ଏହା ପଛରେ ଅନେକ ରାଜନୈତିକ କାରଣ ରହିଥିବା କୁହାଯାଉଛି । ବିଶେଷ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ‘ଅପମାନିତ କରିବା ଭଳି ପଦକ୍ଷେପ’ ଯୋଗୁ ଧନଖଡ ଇସ୍ତଫା ଦେଇଥିବା ଚର୍ଚ୍ଚା । ଧନଖଡ ଡାକିଥିବା ଗୁରୁତ୍ୱପୂର୍ଣ୍ଣ ବିଜନେସ ପରାମର୍ଶଦାତା କମିଟି ବା ବିଏସି ମିଟିଂରେ ସାମିଲ ହୋଇନଥିଲେ । ଜେପି ନଡ୍ଡା ଓ କିରଣ ରିଜିଜୁ ଏହି ବୈଠକରେ ଅନୁପସ୍ଥିତ ହେବାକୁ ଗୁରୁତ୍ୱର ସହ ନେଇଥିଲେ ଧନଖଡ । ବିହାର ନିର୍ବାଚନ ପାଇଁ ଧନଖଡଙ୍କ କାନ୍ଧରେ ବନ୍ଧୁକ ରଖି ବିଜେପି ଗୁଳି ଚଳାଇଥିବା ବି ଚର୍ଚ୍ଚା । ଧନଖଡ଼ ସମ୍ଭବତଃ ନୀତୀଶ କୁମାରଙ୍କ ପାଇଁ ପଥ ପରିଷ୍କାର କରିଛନ୍ତି । ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପରବର୍ତ୍ତୀ ଉପରାଷ୍ଟ୍ରପତି କରାଯିବା ଚର୍ଚ୍ଚା । ଏହାପରେ ବିଜେପି ରାଜ୍ୟ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯୋଜନା କରୁଥିବା କୁହାଯାଉଛି ।
ସୋମବାର ରାଜ୍ୟସଭାରେ ଜଷ୍ଟିସ ବର୍ମାଙ୍କ ବିରୋଧରେ ବିରୋଧୀ ଦଳ ପକ୍ଷରୁ ମହାଅଭିଯୋଗ ପ୍ରସ୍ତାବ ଆଗତ ପାଇଁ ସଭାପତିଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ସଭାପତି ହିସାବରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏହାକୁ ଗ୍ରହଣ କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ସେକ୍ରେଟାରି ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଶାସକ ବିଜେପି ଠିକ୍ ଭାବରେ ଗ୍ରହଣ କରିନାହିଁ । ଏଭଳି ପ୍ରସ୍ତାବ ପ୍ରଥମେ ଶାସକ ଦଳ ଆଗତ କରି ଦୁର୍ନୀତି ବିରୋଧରେ ଉଚ୍ଚ ମୂଲ୍ୟବୋଧ ସୃଷ୍ଟି କରିବାକୁ ବିଜେପି ଚାହୁଥିଲା। ଯାହାକୁ ନେଇ ଉପରାଷ୍ଟ୍ରପତି ଓ ବିଜେପି ତୁଙ୍ଗ ନେତୃବୃନ୍ଦଙ୍କ ମଧ୍ୟରେ ତୀବ୍ର ମତଭେଦ ହୋଇଥିବା କୁହାଯାଉଛି । ସେହିପରି ରାଜ୍ୟସଭାରେ ଜେପି ନଡ୍ଡା ପ୍ରଦର୍ଶନ କରିଥିବା ଆଭିମୁଖ୍ୟ ମଧ୍ୟ ଧନଖଡ଼ଙ୍କୁ ଆଘାତ ଦେଇଥିବା କୁହାଯାଉଛି । ଅପରେସନ ସିନ୍ଦୂରକୁ ନେଇ ରାଜ୍ୟସଭାରେ ସୋମବାର ବିରୋଧୀ ହୋହଲ୍ଲା କରିଥିଲେ। ଏହି ସମୟରେ ଜେପି ନଡ୍ଡା ନିଜ ଆସନରେ ଛିଡ଼ା ହୋଇ ଜଗଦୀପ ଧନଖଡ଼ଙ୍କୁ କହିଥିଲେ ଯେ “କିଛି ବି ରେକର୍ଡକୁ ଯିବ ନାହିଁ । ମୁଁ ଯାହା କହିବି, ସେସବୁ ହିଁ ରେକର୍ଡକୁ ଯିବ।” ଗୃହର ଅଧ୍ୟକ୍ଷଙ୍କୁ ସର୍ବସମ୍ମୁଖରେ ଏପରି କହିବା ଅପମାନ ଛଡ଼ା ଆଉ କିଛି ନୁହେଁ ବୋଲି କଂଗ୍ରେସ କହିଛି ।
ମଙ୍ଗଳବାର ଧନଖଡ଼ ରାଜ୍ୟସଭାକୁ ଆସି ନାହାନ୍ତି। ନିୟମ ଅନୁସାରେ ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଉପାଧ୍ୟକ୍ଷ ଗୃହ ଚଳାଇଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ୨୦୨୦ରୁ ଜେଡିୟୁର ହରିବଂଶ ନାରାୟଣ କାର୍ଯ୍ୟ କରି ଆସୁଛନ୍ତି । ଏବେ ନୂଆ ଅଧ୍ୟକ୍ଷ ନିର୍ବାଚିତ ହେବା ଯାଏ ଅର୍ଥାତ ପୂରା ମୌସୁମୀ ଅଧିବେଶନରେ ରାଜ୍ୟସଭାର ଅଧ୍ୟକ୍ଷତା କରିବେ। ଆଗକୁ ବିହାର ନିର୍ବାଚନ ଥିବା ବେଳେ ଜଣେ ବିହାରୀ ନେତା ଗୃହ ପରିଚାଳନା କରିବେ। ଏହାକୁ ଆଧାର କରି ବିଜେପି ଓ ଜେଡିୟୁ ନିର୍ବାଚନ ବୈତରଣୀ ପାର ହେବାକୁ ଚାହିବେ। ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ରାଜନୀତିକ ମହଲରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ହେଉଛି । ଧନଖଡ଼ ଇସ୍ତଫା ଦେବାର ପ୍ରାୟ ୧୫ ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ଏକ୍ସରେ ଧନଖଡ଼ଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହ ତାଙ୍କୁ ପ୍ରେରଣାଦାୟୀ ଓ କିଷାନ ପୁତ୍ର ବୋଲି କହିଛନ୍ତି । ତେବେ ଧନଖଡ଼ ହୃଦ୍ଘାତ ସମସ୍ୟା ପାଇଁ ଚଳିତ ବର୍ଷ ଚିକିତ୍ସିତ ହେଉଥିଲେ। କିନ୍ତୁ ମୌସୁମୀ ଅଧିବେଶନ ପ୍ରଥମ ଦିନ ବେଶ୍ ଉତ୍ସାହର ସହ କାମ କରିବା ପରେ ହଠାତ୍ ଏମିତି ଭାବେ ଇସ୍ତଫା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯଦି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା, ତା’ହେଲେ ସେ ମୌସୁମୀ ଅଧିବେଶନ ଆରମ୍ଭରୁ ଇସ୍ତଫା ଦେଇ ପାରିଥାଆନ୍ତେ ବୋଲି ବିରୋଧୀ କହିଛନ୍ତି ।
ବିହାର ନିର୍ବାଚନରେ ବିଜେପି ଏଥର ଅଧିକ ସିଟ୍ରେ ଲଢ଼ି ଏହାକୁ ଦଖଲ କରିବା ଲକ୍ଷ୍ୟରେ ଅଛି। ନୀତୀଶ କୁମାରଙ୍କୁ ଉପରାଷ୍ଟ୍ରପତି କରି ବିଜେପି ନିଜ ରଣନୀତିକୁ ସଫଳ କରିବା ଉଦ୍ଦେଶ୍ୟରେ ରହିଛି। ବିହାର ନିର୍ବାଚନ ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ । ଦଳ ଏବେ ଜେଡିୟୁ ସହ ମେଣ୍ଟ କରି ସରକାରରେ ରହିଛି । କିନ୍ତୁ ଏଠାରେ ବିଜେପି କେବେ ବି ଏକାକୀ ବିଜୟ ହୋଇ ନାହିଁ । ଜେଡିୟୁ ସହ ମେଣ୍ଟ କରି ବିଜେପି ଏଥର ମଧ୍ୟ ନିର୍ବାଚନ ଲଢ଼ିବ। ହେଲେ ରାଜ୍ୟରେ ଅଧିକ ଆସନ ଦଳ ଦଖଲ କରି କ୍ଷମତାର ଡୋରି ନିଜ ପାଖରେ ରଖିବାକୁ ଚାହୁଛି । ଜଗଦୀପ ଧନଖଡ଼ଙ୍କ ଇସ୍ତଫା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ସ୍ବାସ୍ଥ୍ୟଗତ କାରଣ ଦର୍ଶାଯାଇଥିଲେ ବି ଏହାକୁ ସହଜରେ କେହି ଗ୍ରହଣ କରିନାହାନ୍ତି । ପ୍ରକୃତରେ ନଡ୍ଡା ଅପମାନିତ କରିବା ଏବଂ ବିହାର ନିର୍ବାଚନ ପାଇଁ ତାଙ୍କୁ ଇସ୍ତଫା ପାଇଁ କୁହାଯାଇଥିବା ଅଧିକ ଚର୍ଚ୍ଚା ହେଉଛି । ଏହାସହ ଆଉ ଏକ ରୋଚକ କାରଣ ମଧ୍ୟ ଶୁଣାଯାଉଛି । ଆଗାମୀ ବର୍ଷ ୭୫ ବୟସରେ ପହଞ୍ଚିବେ ଉପରାଷ୍ଟ୍ରପତି । ଏହା ତାଙ୍କ ଇସ୍ତଫାର ଅନ୍ୟ ଏକ କାରଣ ବୋଲି ଧରି ନିଆଯାଇପାରେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ତଫା ପାଇଁ ଆରଏସ୍ଏସ୍ ତୁଙ୍ଗ ନେତୃବୃନ୍ଦ ପରୋକ୍ଷରେ ଚାପ ସୃଷ୍ଟି କରିଥାଇପାରନ୍ତି ।