କନକ ବ୍ୟୁରୋ : ୨୭ ମେ ୨୦୨୫ ରେ ଉତ୍କଳ ବିଶ୍ବବିଦ୍ୟାଳୟ ବାୟୋଟେକ୍ନୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟଙ୍କୁ ଭାରପ୍ରାପ୍ତ କୁଳପତି ଭାବରେ ନିଯୁକ୍ତି ଦେଇଥିଲେ କୁଳାଧିପତି । ପରେ ଆଇନଜୀବୀ ପ୍ରବୀର ଦାସଙ୍କ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଥିଲେ ଉଚ୍ଚ ନ୍ୟାୟଳୟ । ଯାହାକୁ ନେଇ ମଙ୍ଗଳବାର ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟଙ୍କ ନିଯୁକ୍ତିକୁ ରଦ୍ଦ କରିଛନ୍ତି କୁଳାଧିପତି । ବିଶ୍ବବିଦ୍ୟାଳୟ ଆଇନ ୧୯୮୯ ଧାରା ୬ ଉପଧାରା ୧୦ ଅନୁସାରେ, ଯେକୌଣସି ସାଧାରଣ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ଆଉ ଏକ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇପାରିବ । ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ ଉତ୍କଳ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଥିବାରୁ ଏହାକୁ ବେଆଇନ ଦର୍ଶାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆବେଦନକାରୀ ।
ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀଙ୍କ କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରାଯାଇଛି । ଆସନ୍ତା ଅଗଷ୍ଟ ମାସରେ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି କୁଳାଧିପତି । ରାଜ୍ୟର ୧୭ଟି ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟରୁ ୧୩ଟିରେ ଖାଲି ରହିଛି କୁଳପତି ପଦ । ଭାରପ୍ରାପ୍ତ କୁଳପତିରେ ଚାଲିଛି ୧୩ ବିଶ୍ବବିଦ୍ୟାଳୟ ।
ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟରେ ଖାଲିଥିବା କୁଳପତି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନ ବି ସରିଗଲାଣି, କିନ୍ତୁ ନିଯୁକ୍ତି ପ୍ରକ୍ରିୟା ଯେମିତି ଆଗେଇବା କଥା ସେମିତି ଦେଖାଯାଉନି । ସ୍ଥାୟୀ କୁଳପତି ପଦବୀ ପୂରଣ ନହେବା ଯାଏଁ ବିଶ୍ବବିଦ୍ୟାଳୟରେ ନିଯୁକ୍ତିଠୁ ନେଇ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/23/vfgdfh-2025-07-23-20-36-47.jpg)