ପୃଥିବୀରେ ସବୁଠାରୁ ବିପଦପୂର୍ଣ୍ଣ ପ୍ରଜାତୀ କହିଲେ ସରିସୃପଙ୍କ ଉଦାହରଣ ଆଗ ଶୁଣିବାକୁ ମିଳେ । ସାପ ନାଁ ଶୁଣିଲା ମାତ୍ରେ ଏ ବୋଉ ଲୋ ଡାକ ପକାଇବା ଯେମିତି ସାଧାରଣ କଥା । ସାପର ଗୋଟିଏ ଚୋଟ ମାନେ ସବୁ ଖେଳ ଶେଷ । ତେଣୁ ବୟଜ୍ୟୋଷ୍ଠ ସବୁବେଳେ କୁହନ୍ତି ବିଷାକ୍ତ ସାପଙ୍କୁ ଦୂରୁ ଜୁହାର । କିନ୍ତୁ ଯଦି ଆମେ ଆପଣଙ୍କୁ ସାପ ଚାଷ ବିଷୟରେ କହୁ ତେବେ କ’ଣ ଆପଣ ବିଶ୍ୱାସ କରିବେ? ଆଜ୍ଞା ହଁ ଏମିତି ବି ବିଚିତ୍ର ଦେଶ ଅଛି ଯେ ବିଷାକ୍ତ ସାପ ଚାଷ କରୁଛି । ଶୁଣିଲେ ଅଜବ ଲାଗୁଥିବ କିନ୍ତୁ କଥାଟି ଶତପ୍ରତିଶତ ସତ ଆଜ୍ଞା । 

Zisiqiao
ଏହି ଦେଶଟି ହେଉଛି ଚୀନ୍ । ଚୀନର ଜିସିକିୟାଓ ଗାଁର ଲୋକେ ସାପଙ୍କୁ ନିଜ ଘରେ ଗାଇଗୋରୁଙ୍କ ଭଳି ପାଳନ୍ତି । ତାଜୁବର କଥା ହେଉଛି ଏହି ସାପଙ୍କ ଯୋଗୁଁ ହିଁ ସେମାନଙ୍କ ଘର ମଧ୍ୟ ଚଳେ । ଜୀବନଯାପନ କରିବା ପାଇଁ ଅଜବ ଏବଂ ବିପଦପୂର୍ଣ୍ଣ ଉପାୟ ଆପଣାଉଥିବା ଏହି ଗାଁର ଲୋକଙ୍କ କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ପ୍ରତିବର୍ଷ ଏହି ଗାଁରେ ପାଖାପାଖି ୩୦ ଲକ୍ଷ ସାପଙ୍କୁ ପାଳନ କରାଯାଏ । ସାପ ହିଁ ଏଠାକାର ଲୋକଙ୍କ ମୁଖ୍ୟ ଆୟର ସ୍ରୋତ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଚୀନରେ ସାପଙ୍କ ପାଳନର ପରମ୍ପରା ବହୁ ପୁରାତନ । ୧୯୮୦ ମସିହାରେ ପ୍ରଥମଥର ପାଇଁ ଜିସିକିୟାଓ ଗାଁର ଲୋକ ସାପ ଚାଷ କରିବା ଆରମ୍ଭ କରିଥିଲେ ।  


ଚୀନ୍ ଔଷଧରେ ଏହି ବିଷାକ୍ତ ସାପଙ୍କୁ ବ୍ୟବହାର କରାଯାଏ । ରିପୋର୍ଟ ଅନୁସାରେ , ହଜାରେ ଜନସଂଖ୍ୟା ଥିବା ଏହି ଗାଁରେ ୧୦୦ ରୁ ଅଧିକ ସାପଙ୍କ ଫାର୍ମ ରହିଛି । ବିଭିନ୍ନ ରୋଗ ପାଇଁ ପ୍ରସ୍ତୁତ ଔଷଧରେ ଏହି ସାପଙ୍କୁ ବ୍ୟବହାର କରାଯାଏ । ନାଗ , ଅଜଗର , ଅହିରାଜ ଭଳି ବିଷଧର ସାପଠୁ ଆରମ୍ଭ କରି କମ୍ ବିଷାକ୍ତ ସାପଙ୍କ ମଧ୍ୟ ଏଠାରେ ପାଳନ କରାଯାଏ । ଗ୍ରୀଷ୍ମରେ ସାପଙ୍କ ଛୁଆକୁ ଏଠାକାର ଲୋକ ପାଳନ କରନ୍ତି ଏବଂ ଶୀତ ଆସିଲେ ଆମେରିକା , ଦକ୍ଷିଣ କୋରିଆ , ରୁଷ୍ , ଜର୍ମାନୀ ଭଳି ଦୁନିଆର ଅନ୍ୟ ଦେଶରେ ବିକ୍ରି କରନ୍ତି । ଚୀନ୍ ସଂସ୍କୃତିରେ ସାପକୁ ଶକ୍ତି ତଥା ଦୀର୍ଘାୟୁ ଜୀବନର ପ୍ରତୀକ ବୋଲି ଲୋକ ମାନନ୍ତି ।