କନକବ୍ୟୁରୋ : ରାଉରକେଲାରେ ପୁଣି ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ବଳୁ ଘାଟ ରାଉରକେଲା ଫୁଏଲ୍ସ ନାମକ ଏକ ପେଟ୍ରୋଲ ପମ୍ପରୁ ବିସ୍ଫୋରକ ଭର୍ତ୍ତି ଗାଡି ଜବତ କରିଛି ପୁଲିସ । ରଘୁନାଥ ପାଲି ଥାନା, ଆଡିସନାଲ ଏସପି, ମାଇନିଙ୍ଗ ଅଫିସରଙ୍କ ଉପସ୍ଥିତିରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ କରାଯାଇଛି । ଗାଡ଼ିରେ ବିପୁଳ ପରିମାଣର ଡିଟୋନେଟର ଥିବା ଜଣାପଡିଛି ।

Advertisment

ସୁନ୍ଦରଗଡ ବାଙ୍କୋ ଖଣି ଅଞ୍ଚଳରୁ ବିସ୍ଫୋରକ ଭର୍ତ୍ତି ଭ୍ୟାନ ଲୁଟ୍ ଘଟଣାକୁ ୫ ଦିନ ହେଲାଣି । ଝାଡଖଣ୍ଡ ସୀମାନ୍ତରୁ ୭୦ ପ୍ରତିଶତରୁ ଅଧିକ ବିସ୍ଫୋରକ ଉଦ୍ଧାର କରିଛନ୍ତି ସୁରକ୍ଷାକର୍ମୀ । ଏବେ ସରଣ୍ଡା ଜଙ୍ଗଲରେ ବାକି ୩୦ ପ୍ରତିଶତ ବିସ୍ଫୋରକ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛନ୍ତି ଡିଭିଏଫ ଓ ସିଆରପିଏଫ । ତେଣୁ ମାଓବାଦୀ ଲୁଟ କରିଥିବା ବିସ୍ଫୋରକ ସହ ଆଜି ଜବତ ହୋଇଥିବା ବିସ୍ଫୋରକର କୌଣସି ସଂପୃକ୍ତି ଅଛି ନା ନାହିଁ ତାହାର ଖୋଳତାଡ କରୁଛି ପୁଲିସ । ଜଙ୍ଗଲରେ ସୁରକ୍ଷାକର୍ମୀ କମ୍ୱିଂ ଅପରେସନ ଚଲାଇଥିବା ବେଳେ ସମସ୍ତଙ୍କୁ ଚକମା ଦେଇ ବିସ୍ଫୋରକକୁ ଅନ୍ୟତ୍ର ସ୍ଥାନାନ୍ତର ଉଦ୍ୟମ ହେଉଥିଲା କି ବୋଲି ସନ୍ଦେହ କରାଯାଉଛି । ପେଟ୍ରୋଲ ପମ୍ପ ନିକଟ ପାର୍କିଂରେ ୨ଟି ଗାଡ଼ି ଦୀର୍ଘ ସମୟ ଧରି ଛିଡ଼ା ହୋଇଥିଲା । ସନ୍ଦେହ ହେବାରୁ ପୁଲିସ ଗାଡ଼ିକୁ ଜବତ କରିବା ପରେ ବିସ୍ଫୋରକ ଜବତ ହୋଇଛି ।