ପରିବା କିଣିଲେ ପକେଟ ଖାଲି ; ସବୁ ପରିବା ଦର ୫୦ରୁ ଶହେ

ପରିବା ପାଇଁ ବଜାର ଗଲେ ଭର୍ତ୍ତି ହେଉନି ବ୍ୟାଗ୍ । ଖାଲି ହେଉଛି ପକେଟ, ଅଧିକାଂଶ ସ୍ଥାନରେ ସବୁଜ ପରିବା ଦର ୫୦ରୁ ଶହେ ଟଙ୍କା । ଉତ୍ପାଦନକୁ ବାଧା ଦେଉଛି ବର୍ଷା, ପଡିଶା ଉପରେ ଭରସା । ଉଠିଲା ପ୍ରଶ୍ନ, କେବେ ଆତ୍ମନିର୍ଭରଶୀଳ ହେବ ରାଜ୍ୟ ।

42

କନକ ବ୍ୟୁରୋ: ଲଗାଣ ବର୍ଷା ପାଇଁ ପ୍ରଭାବିତ ହୋଇଛି ପରିବା ବଜାର। ଆବଶ୍ୟକ ଅନୁସାରେ ପରିବା ଆସି ପାରୁନାହିଁ । ଆଉ ଯାହା ଆସୁଛି ସେସବୁ ପଚି ସଢି ଯାଉଛି। ଯେଉଁଥିପାଇଁ ଏବେ ପରିବା ଦର ଶୁଣିଲେ ଡର ମାଡୁଛି । ସବୁଦିନ ବ୍ୟବହାର ହେଉଥିବା କଞ୍ଚା ପରିବା କିଛି ବି ୫୦ ଟଙ୍କା ତଳକୁ ନାହିଁ । ଏପଟେ ରଥଯାତ୍ରା ସମୟ ହୋଇଥିବାରୁ ବେପାରୀ ଗ୍ରାହକ ସମସ୍ତଙ୍କୁ ଚିନ୍ତା ଘାରିଛି । 

ପରିବା ବଜାରରେ ପରିବା ସହ ତ ଅଛି, ହେଲେ ହାତ ମାରିବାକୁ ଡର ଲାଗୁଛି । ଘରେ ପ୍ରତିଦିନ ବ୍ୟବହାର ହେଉଥିବା ପରିବା କିଛି ବି ୫୦ ଟଙ୍କା ତଳକୁ ନାହିଁ । ରାଜଧାନୀରେ ବାଇଗଣ ୬୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ଜହ୍ନି ୫୦, କଲରା ୫୦, କାକୁଡ଼ି ୫୦, ଭେଣ୍ଡି ୫୦, ପୋଟଳ ୬୦-୮୦, ବିନ୍ସ ୧୦୦-୧୨୦, ଝୁଡଙ୍ଗ ୪୦, ଟମାଟୋ ୪୦ ଟଙ୍କା, ଗାଜର ୫୦ ଟଙ୍କା କିଲୋରେ ବିକ୍ରି କରୁଛନ୍ତି ଖୁଚୁରା ବ୍ୟବସାୟୀ । ଅନ୍ୟପଟେ ପରିବା ଦୋକାନୀ ନିଜେ କିଣିବାକୁ ଡରୁଛନ୍ତି, ବିକିବେ କଣବୋଲି ପଚାରିବା ସାଙ୍ଗକୁ ବର୍ଷା ପାଇଁ ପରିବା ଆସିବା ବନ୍ଦ ହୋଇଥିବା ଅଭିଯୋଗ କରିଛନ୍ତି । ଗ୍ରାହକ ମଧ୍ୟ ଚଢ଼ା ଦରରେ ପରିବା କିଣୁଥିବାରୁ ଅସନ୍ତୋଷ ହୋଇଛନ୍ତି ।

ଆନ୍ଧ୍ର, କୋଲକାତା, ରାଞ୍ଚି, ରାୟପୁର, ବାଙ୍ଗାଲୋର ଭଳି ଜାଗାରୁ ଆସୁଥିବା ପରିବା ବାଟରେ ପଚି ନଷ୍ଟ ହୋଇଯାଉଛି। କିଛି ପରିବା ଟ୍ରକ ବର୍ଷା ପାଇଁ ଆସି ପାରୁନାହିଁ। ତେଣୁ ବସ୍ତାଏ ପରିବା ଅଧା ନଷ୍ଟ ବାହାରୁ ଥିବାରୁ ଆଉ ଅଧା ପରିବାକୁ ଏମିତି ଦରରେ ବିକିବାକୁ ଖୁଚୁରା ବ୍ୟବସାୟୀ ବାଧ୍ୟ ହେଉଥିବା ନେଇ କହିଛନ୍ତି ଗୋଦାମ ମାଲିକ।

କଟକ, ବ୍ରହ୍ମପୁରରେ ମଧ୍ୟ ସମାନ ସ୍ଥିତି । କଟକରେ କ୍ୟାପ୍ସିକମ୍ - ୮୦ ଟଙ୍କା, ଗାଜର - ୪୦ ଟଙ୍କା, ବନ୍ଧା କୋବି - ୩୦ ଟଙ୍କା, ପୋଟଳ - ୩୫ ଟଙ୍କା, ବାଇଗଣ - ୭୦ ଟଙ୍କା, ବିନ୍ସ - ୧୨୦ ଟଙ୍କା ଏବଂ ଝୁଡଙ୍ଗ - ୫୦ ଟଙ୍କାରେ ବିକ୍ରି ହେଉଛି । ଗ୍ରାହକ ପରିବା କିଣିବାକୁ ତ ଆସୁଛନ୍ତି । କିନ୍ତୁ ଦର ଅଧିକ ଥିବାରୁ କମ୍ ପରିବା କିଣି ଘରକୁ ନେଉଛନ୍ତି । ଯଦି ବର୍ଷା ଲାଗି ରୁହେ  ଏବଂ ଆଗକୁ ଯଦି ପରିବା ଆସିବା ଆହୁରି କମିଯାଏ ତାହେଲେ ଓଡ଼ିଶା ପରିବା ବଜାରରେ କି ପରିସ୍ଥିତି ଉପୁଜିବ ତାହା ଚିନ୍ତାଜନକ ହୋଇପଡ଼ିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe