କନକ ବ୍ୟୁରୋ: ଦିନ, ରାତି, ରାସ୍ତା, ଚାଷ ଜମି। ସବୁଠି କୁହୁଡି ଦେଖାଉଛି ତାଉ। ବିଳମ୍ବିତ ରାତିରୁ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡିର ବଳୟ ଭିତରେ ରହୁଛି ରାଜ୍ୟର ଅଧିକାଂଶ ଜିଲ୍ଲା। ଯାହା ସାଧାରଣ ଲୋକଙ୍କୁ କେବଳ ହଲାପଟା କରୁନି ବରଂ ଚାଷୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରି ଦେଇଛି। 

Advertisment

ଶୀତ ଯେତିକି କଲବଲ କରିନଥିଲା ତାହା ଠାରୁ ଅଧିକ ନାକେଦମ କଲାଣି ଘନ କୁହୁଡି। ରାସ୍ତା ଦିଶୁନି, ଦୁର୍ଘଟଣା ବଢୁଛି। ଯାହାକୁ ଦୃଷ୍ଟିରେ ରଖି ଆଗାମୀ ୨୪ ଘଣ୍ଟା ପର୍ୟ୍ୟନ୍ତ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରଛି ପାଣିପାଗ ବିଭାଗ। ଫେବ୍ରୁଆରୀ ୧ ତାରିଖ ପାଇଁ କୋରାପୁଟ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ ଓ ମୟୂରଭଞ୍ଜରେ ଘନ କୁହୁଡି ପାଇଁ ସର୍ତକତା ଜାରି କରାଯାଇଛି। ଜିରୋ ଭିଜିବିଲିଟି ନେଇ ଜାରି ହୋଇଛି ଆଲର୍ଟ। 

ରାଜରାସ୍ତାରେ କେବଳ କୁହୁଡି ରାଜୁତି କରୁନି । ବରଂ ସବୁଜ ଜମିରେ ଧଳା କୁହୁଡିର ଚାଦର ଚାଷୀଙ୍କ ନିଦ ହଜାଇ ଦେଇଛି ।   ଆସ୍କା, ଧରାକୋଟ ଓ ଅସ୍ତରଙ୍ଗରେ ଚାଷୀଙ୍କ ପାଇଁ କାଳ ସାଜିଛି  ଘନ କୁହୁଡି।  ରବି ଜାତୀୟ ଫସଲରେ ଜଉ ପୋକ ଭୟ ବଢାଇ ଦେଇଛି ଏହି କୁହୁଡି। ମୁଗ, ବିରି, କୋଳଥ, ଚଣା ଆଦି ଅମଳ ପୂର୍ବରୁ ଉଜୁଡିଯିବା ସ୍ଥିତି ସୃଷ୍ଟି ହୋଇଛି। ପନିପରିବା ଚାଷ ମଧ୍ୟ କୁହୁଡି ମୁହଁରେ ଯିବାକୁ ବସିଛି। କୁହୁଡି ପାଇଁ ବାଇଗଣ, କୋବି, ବିନିସ୍, ଶିମ୍ବ ଭଳି ପନିପରିବାରେ ଔଷଧ କାମ କରୁନାହିଁ । ସାଧାରଣ ଲୋକ ଓ ଚାଷୀଙ୍କ ପାଇଁ କୁହୁଡି ଏବେ କାଳ ସାଜି ଉଭା ହୋଇଛି। ବର୍ଷା, ମରୁଡି ପରେ ଏବେ କୁହୁଡି ଚାଷୀଙ୍କ ଉପରେ ଦାଉ ସାଧିଲାଣି ।