କନକ ବ୍ୟୁରୋ : ଦେଶର ଜଣେ ପ୍ରତିଷ୍ଠିତ ଶିଳ୍ପପତି ତଥା ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପାଇଁ ୨୦୨୬ ବର୍ଷ ଏକ ବଡ଼ ଦୁଃଖ ସହ  ଆରମ୍ଭ ହୋଇଛି । ତାଙ୍କର ୪୯ ବର୍ଷୀୟ ପୁତ୍ର ଅଗ୍ନିବେଶ ଅଗ୍ରୱାଲଙ୍କ ଅକାଳ ବିୟୋଗ ସମଗ୍ର ପରିବାରକୁ ଗଭୀର ଧକ୍କା ଦେଇଛି । ଆମେରିକାରେ ଚିକିତ୍ସିତ ହେଉଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣା ପରେ ଏବେ ସମସ୍ତଙ୍କ ନଜର ବେଦାନ୍ତ ଗ୍ରୁପର ଉତ୍ତରାଧିକାରୀ ଉପରେ ରହିଛି ।

Advertisment

ଅନିଲ ଅଗ୍ରୱାଲଙ୍କ ପରିବାର ବେଶ୍ ପାଇଁ ଜଣାଶୁଣା । ପରିବାରରେ ତାଙ୍କ ପତ୍ନୀ କିରଣ ଅଗ୍ରୱାଲ, ପୁତ୍ର ଅଗ୍ନିବେଶ ଏବଂ କନ୍ୟା ପ୍ରିୟା ଅଗ୍ରୱାଲ ଅଛନ୍ତି । ଏକ ସାଧାରଣ କବାଡ଼ି ବ୍ୟବସାୟରୁ ନିଜର ଜୀବନ ଆରମ୍ଭ କରିଥିବା ଅନିଲ ଅଗ୍ରୱାଲ, ୧୯୭୬ରେ ବେଦାନ୍ତ ଗ୍ରୁପର ମୂଳଦୁଆ ପକାଇଥିଲେ । ଆଜି ତାଙ୍କର ବ୍ୟବସାୟ ଧାତୁ, ଖଣି, ଶକ୍ତି ଏବଂ ତୈଳ କ୍ଷେତ୍ରରେ ବିଶ୍ୱସ୍ତରରେ ବ୍ୟାପିଛି । ଫୋର୍ବସ ଅନୁଯାୟୀ, ଅଗ୍ରୱାଲ ପରିବାରର ମୋଟ ସମ୍ପତ୍ତି ପ୍ରାୟ ୩୫,୦୦୦ କୋଟି ଟଙ୍କା ।

ଅଧିକ ପଢ଼ନ୍ତୁ---ପୃଥିବୀର ବିଭିନ୍ନ ପ୍ରାନ୍ତରେ ଜଳୁଥିବା ଯୁଦ୍ଧର ନିଆଁ ଏବଂ ବୃହତ ଶକ୍ତିମାନଙ୍କ ମଧ୍ୟରେ ବଢ଼ୁଥିବା ତିକ୍ତତା ମହାବିନାଶର ସ୍ପଷ୍ଟ ସଙ୍କେତ ଦେଉଛି

ଅଗ୍ନିବେଶ ଅଗ୍ରୱାଲ ବ୍ୟବସାୟିକ ଦୁନିଆରେ ଜଣେ ଜଣାଶୁଣା ବ୍ୟକ୍ତି ଥିଲେ । ସେ 'ଫୁଜୈରା ଗୋଲ୍ଡ'ର ପ୍ରତିଷ୍ଠାତା ଥିବା ସହ ହିନ୍ଦୁସ୍ତାନ ଜିଙ୍କ୍‌ର ଅଧ୍ୟକ୍ଷ ମଧ୍ୟ ଥିଲେ । ତାଙ୍କର ଅକାଳ ବିୟୋଗ ପରେ ଏବେ ସମସ୍ତ ଦାୟିତ୍ୱ କନ୍ୟା ପ୍ରିୟା ଅଗ୍ରୱାଲଙ୍କ କାନ୍ଧକୁ ଆସିବାକୁ ଯାଉଛି । ପ୍ରିୟା ବର୍ତ୍ତମାନ ବେଦାନ୍ତ ଏବଂ ହିନ୍ଦୁସ୍ତାନ ଜିଙ୍କ୍‌ର ବୋର୍ଡ ସଦସ୍ୟା ଅଛନ୍ତି ଏବଂ ହିନ୍ଦୁସ୍ତାନ ଜିଙ୍କ୍‌ର ଚେୟାରପର୍ସନ ଭାବେ ବଡ଼ ଦାୟିତ୍ୱ ତୁଲାଉଛନ୍ତି । ଆଗାମୀ ଦିନରେ ସେ ବେଦାନ୍ତ ଗ୍ରୁପର ମୁଖ୍ୟ ଭୂମିକାରେ ନଜର ଆସିପାରନ୍ତି ।

ଅନିଲ ଅଗ୍ରୱାଲ ନିଜ ସମ୍ପତ୍ତିର ୭୫ ପ୍ରତିଶତ ସମାଜସେବା ପାଇଁ ଦାନ କରିବାକୁ ସଂକଳ୍ପ ନେଇଛନ୍ତି । ପୁତ୍ରର ମୃତ୍ୟୁ ପରେ ସେ ଭାବୁକ ହୋଇ କହିଛନ୍ତି ଯେ, ଅଗ୍ନିବେଶଙ୍କ ସ୍ୱପ୍ନ ଥିଲା ଦେଶର କୌଣସି ଶିଶୁ ଯେପରି ଭୋକିଲା ନ ରୁହନ୍ତି ଏବଂ ସମସ୍ତେ କର୍ମସଂସ୍ଥାନ ପାଆନ୍ତି । ଏବେ ଏହି ଲକ୍ଷ୍ୟ ଏବଂ ସମାଜସେବା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଗ୍ରୱାଲ ପରିବାର ପ୍ରତିଶ୍ରୁତିବଦ୍ଧ । ପୁତ୍ର ବିୟୋଗ ସତ୍ତ୍ୱେ ଭାରତକୁ ଆତ୍ମନିର୍ଭର କରିବା ମିଶନରେ ସେ ତାଙ୍କ ଝିଅ ପ୍ରିୟାଙ୍କ ସହ ଆଗକୁ ବଢ଼ିବେ ।