କନକ ବ୍ୟୁରୋ: ରାଜ୍ୟର ମୋଟ ୧୭ଟି ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟରୁ ବ୍ରହ୍ମପୁର, ସମ୍ବଲପୁର, ଫକୀର ମୋହନ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟକୁ ଛାଡ଼ିଲେ ବାକି ସବୁଠି ଖାଲି କୁଳପତି ପଦ । ରେଭେନ୍ସା, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଏବଂ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ କୁଳପତିଙ୍କ କାର୍ଯ୍ୟକାଳ ଅବଧିକୁ ବୃଦ୍ଧି କରାଯାଇଛି । ବାକି ୮ଟି ବିଶ୍ବବିଦ୍ୟାଳୟରେ କୁଳପତି ଭାବେ କାମଚଳା ଦାୟିତ୍ବରେ ଅଛନ୍ତି ବରିଷ୍ଠ ଅଧ୍ୟାପକ । ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର କୁଳପତିଙ୍କ ଦେହାନ୍ତ ପରେ ଗତ ଅକ୍ଟୋବର ମାସରୁ କାମଚଳା ଦାୟିତ୍ବରେ ଆସୋସିଏଟ୍‌ ପ୍ରଫେସର୍ ନିବେଦିତା ନାଥ ରହିଛନ୍ତି । 

Advertisment

ଏସବୁ ଭିତରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଅବସରର ଚାରି ଦିନ ପରେ କାମଚଳା କୁଳପତି ନିଯୁକ୍ତ ହୋଇଛନ୍ତି । ବିଶ୍ବବିଦ୍ୟାଳୟ ବାୟୋଟେକ୍ନୋଲୋଜି ବିଭାଗ ଅଧ୍ୟାପକ ପ୍ରଫେସର୍ ଯଜ୍ଞେଶ୍ବର ଦଣ୍ଡପାଟଙ୍କୁ କୁଳପତି ଭାବେ ଦାୟିତ୍ବ ଦିଆଯାଇଥିବା ନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଧରଣୀଧର ଏବଂ ବିକ୍ରମ ଦେବ ଉଭୟ ବିଶ୍ବବିଦ୍ୟାଳୟ ଘୋଷଣା ହେବା ପରଠୁ କୁଳପତି ନିଯୁକ୍ତ ହୋଇନାହାନ୍ତି । ସେଠାରେ କୁଳପତି ଭାବେ କୁଳସଚିବ ଦାୟିତ୍ବ ନିର୍ବାହ କରୁଛନ୍ତି ।

ତେବେ ସରକାର କୁଳପତି ନିଯୁକ୍ତି ପ୍ରସଙ୍ଗ ନେଇ ମୁହଁ ଖୋଲୁନଥିବା ବେଳେ ବିଶ୍ବବିଦ୍ୟାଳୟ ଏବଂ ଗବେଷଣାର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠୁଛି । ଗତ ବିଧାନସଭା ତଥ୍ୟ ଅନୁସାରେ ରାଜ୍ୟରେ ସମସ୍ତ ବିଶ୍ବବିଦ୍ୟାଳୟରେ ମୋଟ ୨୪୫ ଜଣ ପ୍ରଫେସର୍, ୪୪୨ ଜଣ ଆସୋସିଏଟ୍ ପ୍ରଫେସର୍, ୬୬୬ ଜଣ ଆସିଷ୍ଟାଣ୍ଟ୍ ପ୍ରଫେସର୍ ପଦବୀ ଫାଙ୍କା ରହିଛି । କୁଳପତି ନିଯୁକ୍ତି ନହେଲେ ଖାଲି ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇପାରିବ ନାହିଁ ।