କନକ ବ୍ୟୁରୋ : କନ୍ଧମାଳ ଗାଜଲବାଡ଼ି ଜଙ୍ଗଲରୁ ନାବାଳିକାର କଙ୍କାଳ ଉଦ୍ଧାର ଘଟଣାରେ ଜିଲ୍ଲାରେ ଜନ ଅସନ୍ତୋଷ ଉଗ୍ର ରୂପ ନେଇଛି। । ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଟିକାବାଲି ବନ୍ଦ ଡାକରା । ବଣିକ ସଂଘ, ଅଟୋ ସଂଘ, ଟ୍ରାକ୍ଟର ଚାଳକ ସଂଘ ଏବଂ ଅନ୍ୟାନ୍ୟ କିଛି ସଂଘ ମିଳିତ ଭାବେ ଏହି ବନ୍ଦ ଡାକରା ଦେଇଛନ୍ତି । ତେବେ ନାବାଳିକାକୁ ଅପହରଣ, ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଅପହରଣରେ ବ୍ୟବହୃତ କାରକୁ ମଧ୍ୟ ଜବତ କରାଯାଇଛି ।
ଫେବ୍ରୁଆରୀ ୨୭ ତାରିଖ ଦିନ ସନ୍ଧ୍ୟାରେ ନାବାଳିକା ଜଣକ ଟ୍ୟୁସନ ଯାଇ ଆଉ ଘରକୁ ଫେରିନଥିଲା । ପରିବାର ଲୋକ ଝିଅକୁ ନପାଇବା ପରେ ମାର୍ଚ୍ଚ ୩ ତାରିଖ ଦିନ ଟିକାବାଲି ଥାନାରେ ଏନେଇ ଅଭିଯୋଗ କରିଥିଲେ । ତେବେ ରବିବାର ସୋରଡ଼ା ଥାନା ପୋଲିସ ଗାଜଲବାଡ଼ି ଜଙ୍ଗଲରୁ ନାବାଳିକାର କଙ୍କାଳ ଠାବ କରିବା ସହ ଟିକାବାଲି ପୋଲିସକୁ ଖବର ଦେଇଥିଲା । ଟିକାବାଲି ପୋଲିସ କଙ୍କାଳ ଜବତ କରି ତଦନ୍ତ କରିବା ପରେ ସାମ୍ନାକୁ ଆସିଥିଲା ଘଟଣା । ପୋଲିସ ମୁଖ୍ୟ ଅଭିଯୁକ୍ତ ବିଜୟ ନାୟକକୁ ଗିରଫ କରିବା ସହ ତାର ସହଯୋଗୀ ସଞ୍ଜୀବ ସାହୁ, ଚନ୍ଦନ ସେଠୀ ଏବଂ କାର ଡ୍ରାଇଭର ଦୀପକ ସାହୁକୁ ଗିରଫ କରିଛି । ଏହାକୁ ନେଇ ପୂରା ଜିଲ୍ଲାରେ ଘୋର ଅସନ୍ତୋଷ ଦେଖାଦେଇଛି।